Home News in Odia ବାଲିଯାତ୍ରାରେ ହେଲମେଟ୍ ଉପହାର

ବାଲିଯାତ୍ରାରେ ହେଲମେଟ୍ ଉପହାର

କଟକ : ଐତିହାସିକ କଟକ ବାଲିଯାତ୍ରାରେ ସଡ଼କ ସୁରକ୍ଷାର ଶପଥପାଠ । ତାହାସହ ସୁରକ୍ଷା ସେଲଫି ଏବଂ ପ୍ରତିଦିନ ହେଲମେଟ୍ ଉପହାର ଜିତିବାର ସୁଯୋଗ । ଗୋଟିଏ ସ୍ଥାନରେ ପରିବହନ ସେବା ସମ୍ବନ୍ଧୀୟ ସମସ୍ତ ସୂଚନା ଏବଂ ସହଯୋଗ । ଓଡ଼ିଶା ସଡ଼କ ସୁରକ୍ଷା ସମିତି ଏବଂ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, କଟକ ଆନୁକୂଲ୍ୟରେବାଲିଯାତ୍ରାରେ ସ୍ୱତନ୍ତ୍ର ଷ୍ଟଲ୍ ଆଗନ୍ତୁକଙ୍କୁ ଆକର୍ଷିତ କରୁଛି ।

ଏହି ଷ୍ଟଲରେ ବାଣିଜ୍ୟ ଓ ପରିବହନ ବିଭାଗ ତଥା ରାଜ୍ୟ ପରିବହନ ପ୍ରାଧିକରଣର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଯଥା ଏକକାଳୀନ ଟିକସ ପ୍ରଦାନରେ ଜରିମାନା ରିହାତି, ଗାଡ଼ି ସ୍କ୍ରାପିଂ, ବୈଦ୍ୟୁତିକ ମୋଟର ଯାନରେ ସବସିଡି ଇତ୍ୟାଦି ସଂପର୍କରେ ବିସ୍ତୃତ ତଥ୍ୟ ପ୍ରଦର୍ଶିତ ହୋଇଛି । ଏହାସହ ସଡ଼କ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯାଇ ଗୁଡ୍ ସମରିଟାନ, ହିଟ୍ ଏଣ୍ଡ ରନ୍, ଜୁନିୟର ରକ୍ଷକ, ନିଃଶୁଳ୍କ ଯାନ ଚାଳନା ପ୍ରଶିକ୍ଷଣ, ଟ୍ରମା କେୟାର ଟ୍ରିଟମେଣ୍ଟ ଫଣ୍ଡ୍ ଭଳି ଯୋଜନାର ପ୍ରଚାର ପ୍ରସାର କରାଯାଉଛି ।

ଏସବୁ ବ୍ୟତୀତ ଆରଟିଓ ଅଫିସକୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ଲୋକେ ସେ ସମସ୍ତ ସେବା ସଂପର୍କରେ ଏଠାରେ ମଧ୍ୟ ସୂଚନା ପାଇପାରୁଛନ୍ତି । ଯାନ ପଞ୍ଜୀକରଣ, ଡ୍ରାଇଭିଂ ଲାଇସେନ୍ସ ପ୍ରସ୍ତୁତି ଆଦିର ଉଭୟ ଅନଲାଇନ ଓ ଅଫଲାଇନ ପ୍ରକ୍ରିୟା ସଂପର୍କରେ ଜନସାଧାରଣଙ୍କୁ ସୂଚନା ପ୍ରଦାନ କରାଯାଉଛି ।

ତେବେ ସବୁଠାରୁ ଆକର୍ଷଣୀୟ ସାଜିଛି, ସଡ଼କ ସୁରକ୍ଷାର ଶପଠ ପାଠ ଏବଂ ଲକି ଡ୍ର । ଏହାକୁ ନେଇ ଯୁବପିଢ଼ିଙ୍କ ମଧ୍ୟରେ ଅଧିକ ଉତ୍ସାହ ଦେଖିବାକୁ ମିଳୁଛି । ସୁରକ୍ଷିତ ଗାଡ଼ି ଚାଳନା ପାଇଁ ଥିବା ନିୟମ ସବୁର ପାଳନ ପାଇଁ ଏଠାରେ ଶପଥ ନିଆଯାଉଛି । ଏହାପରେ ସଡ଼କ ସୁରକ୍ଷା ବାର୍ତ୍ତା ସହ ସେଲଫି ନେଉଛନ୍ତି ଲୋକେ ।

ଶପଥ ନେଉଥିବା ବ୍ୟକ୍ତିଙ୍କ ମଧ୍ୟରେ ପ୍ରତିଦିନ ଲକି ଡ୍ର କରାଯାଇ ଦଶ ଜଣଙ୍କୁ ଆରଟିଓ, କଟକଙ୍କ ପକ୍ଷରୁ ସଡ଼କ ସୁରକ୍ଷାର ପ୍ରତୀକ ଭାବେ ହେଲମେଟ୍ ଉପହାର ପ୍ରଦାନ କରାଯାଉଛି । ଏହି ଅବସରରେ ରାଜ୍ୟ ପରିବହନ ଆୟୁକ୍ତ ଅମିତାଭ ଠାକୁର ଏହି ଷ୍ଟଲ୍ ପରିଦର୍ଶନ କରି ନିଆଯାଇଥିବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ସମସ୍ତେ ଆଗେଇ ଆସିବା ଉଚିତ୍ ବୋଲି ଶ୍ରୀଯୁକ୍ତ ଠାକୁର ମତ ରଖିଛନ୍ତି ।

ତଳ ପଡ଼ିଆ ଡିସିପି ଅଫିସ୍ ଗଡ଼ାରେ ହାଇକୋର୍ଟ ଷ୍ଟଲ ପଛରେ ଜିବି-8 ନମ୍ବର ଷ୍ଟଲରେ ଏହା ଆୟୋଜିତ ହୋଇଛି । ଏହି ଷ୍ଟଲକୁ ଲାଗି ରାଜ୍ୟ ସରକାରଙ୍କ ଯାତ୍ରୀ ପରିବହନ କ୍ଷେତ୍ରରେ ନୂଆ ପଦକ୍ଷେପ ଓଡ଼ିଶା ଯାତ୍ରୀ ସଂପର୍କରେ ମଧ୍ୟ ସୂଚନା ପ୍ରଦର୍ଶିତ ହୋଇଛି । ଏଠାରେ ଉଭୟ ଚାଳକ ଓ ଯାତ୍ରୀଙ୍କୁ ଓଡ଼ିଶା ଯାତ୍ରୀ ଆପ୍ଲିକେସନର ବ୍ୟବହାର ଏବଂ ସୁବିଧା ସଂପର୍କରେ ସୂଚନା ପ୍ରଦାନ କରାଯାଉଛି ।