Home General ବାର କାଉନସିଲ ନିର୍ବାଚନ ଉପରେ ନଜର

ବାର କାଉନସିଲ ନିର୍ବାଚନ ଉପରେ ନଜର

ଭୁବନେଶ୍ୱର : ଓକିଲମାନଙ୍କ ଶୀର୍ଷ ସଙ୍ଗଠନ ଓଡ଼ିଶା ରାଜ୍ୟ ବାର୍‍ କାଉନ୍‍ସିଲ୍‍ ପାଇଁ ଆସନ୍ତା ୧୫ ତାରିଖରେ ହେବାକୁ ଥିବା ନିର୍ବାଚନ ଉପରେ ଏବେ କେବଳ ଓକିଲମାନଙ୍କର ନୁହେଁ ବିଭିନ୍ନ ରାଜନୈତିକ ଦଳମାନଙ୍କର କଡ଼ା ନଜର ରହିଛି । ସେଦିନ ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଭୋଟଗ୍ରହଣ କରାଯିବ ଏବଂ ଏଥିଲାଗି ବ୍ୟାପକ ବନ୍ଦୋବସ୍ତ ମଧ୍ୟ ହୋଇଛି ।

ଏଠାରେ ଉଲ୍ଲେଖନୀୟ ଯେ ଦୀର୍ଘବର୍ଷ ଧରି ରାଜ୍ୟ ବାର୍‍ କାଉନ୍‍ସିଲ୍‍ର ନିର୍ବାଚନ ହୋଇନାହିଁ । ନିର୍ବାଚିତ ପରିଷଦର କାର୍ଯ୍ୟକାଳ ସରିଯିବା ପରେ ମନୋନୀତ ପରିଷଦ କାର୍ଯ୍ୟ ତୁଲାଉଛି । ଏପରିପ୍ରେକ୍ଷୀରେ ନିର୍ବାଚନ ଲାଗି ହୋଇଥିବା ମାମଲା ଆଧାରରେ ସୀମିତ ସମୟ ମଧ୍ୟରେ ନିର୍ବାଚିତ ପ୍ରତିନିଧି ଚୟନ ଲାଗି ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ଆଧାରରେ ଏହି ନିର୍ବାଚନ ହେଉଛି ।

ରାଜ୍ୟ ବାର୍‍ କାଉନ୍‍ସିଲ୍‍ ପାଇଁ ୨୫ଜଣ ସଦସ୍ୟ ନିର୍ବାଚିତ ହେବାକୁ ଥିବାବେଳେ ୯୬ଜଣ ପ୍ରାର୍ଥୀ ରହିଛନ୍ତି । ଏମାନଙ୍କ ମଧ୍ୟରୁ କେତେକ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ବିଜେଡ଼ି, ବିଜେପି ଓ କଂଗ୍ରେସ ସଙ୍ଗଠନ ଉଦ୍ୟମ କରୁଛି । ଏମିତିକି ରାଜ୍ୟ ବାର୍‍ କାଉନ୍‍ସିଲ୍‍ର ସଭାପତି ହେବା ପାଇଁ ଆଶାୟୀ କିଛି ବ୍ୟକ୍ତି ମଧ୍ୟ ନିଜ ନିଜ ଅଘୋଷିତ ପ୍ୟାନେଲ୍‍କୁ ଜିତାଇବା ପାଇଁ ଜୋର୍‍ଦାର ଉଦ୍ୟମ ଚଳାଇଛନ୍ତି । ଇତିମଧ୍ୟରେ ଅନେକ ପ୍ରାର୍ଥୀ ରାଜ୍ୟର ବିଭିନ୍ନ ଅଞ୍ଚଳ ଗସ୍ତ କରି ନିଜ ନିଜ ସପକ୍ଷରେ ଓକିଲମାନଙ୍କୁ ଟାଣିବା ପାଇଁ ବିଭିନ୍ନ ପ୍ରକାରର ଉଦ୍ୟମ କରିଛନ୍ତି । ଭୋଟ ଦିନ ପାଖେଇ ଆସୁଥିବାରୁ ଏବେ ବହୁ ପ୍ରାର୍ଥୀ ସାମାଜିକ ଗଣମାଧ୍ୟମରେ ସେମାନଙ୍କ ପ୍ରଚାରକୁ ଜୋର୍‍ଦାର୍‍ କରିଥିବା ଲକ୍ଷ୍ୟ କରାଯାଉଛି । ଏମିତିକି ବ୍ୟକ୍ତିଗତ ଭାବେ ସମସ୍ତ ଭୋଟରଙ୍କୁ ଏବେ ଟେଲିଫୋନ୍‍ ମାଧ୍ୟମରେ ଯୋଗାଯୋଗ ସମ୍ଭବ ହେଉନଥିବାରୁ ପ୍ରାର୍ଥୀମାନଙ୍କ ଭଏସ୍‍ ରେକର୍ଡିଂ କରି ମୋବାଇଲ୍‍ରେ ଛଡାଯାଉଛି ଯାହାକୁ ଅନେକ ଓକିଲଙ୍କୁ ବିରକ୍ତ କରୁଛି ।

କେବଳ ଓଡ଼ିଶାରେ ନୁହେଁ ଦେଶର ବହୁ ରାଜ୍ୟରେ ନିୟମିତ ବ୍ୟବଧାନରେ କିଛିବର୍ଷ ଧରି ବାର୍‍ କାଉନ୍‍ସିଲ ନିର୍ବାଚନ ହେଉନାହିଁ । ଏଥିଯୋଗୁ ବାର୍‍ କାଉନ୍‍ସିଲ ଅଫ୍‍ ଇଣ୍ଡିଆ ନିର୍ବାଚନ ମଧ୍ୟ ବ୍ୟାହାତ ହେଉଛି ।

ଓଡ଼ିଶାରେ ବାର୍‍ କାଉନ୍‍ସିଲ୍‍ ନିର୍ବାଚନବେଳେ ଏବେ ସଂଖ୍ୟାଧିକ ଆଶାୟୀ ପ୍ରାର୍ଥୀଙ୍କ ନଜର ରହିଛି ଓଡ଼ିଶାର ପଶ୍ଚିମାଞ୍ଚଳ ଉପରେ । ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ପ୍ରସଙ୍ଗରେ ସୃଷ୍ଟି ହୋଇଥିବା ଗଣ୍ଡଗୋଳିଆ ପରିସ୍ଥିତିରେ ସମ୍ବଲପୁରର କେତେକ ଆଇନଜୀବୀ ଓ ସେମାନଙ୍କ ନେତାଙ୍କୁ ଗିରଫ କରାଯାଇଥିବା ଏହି ପ୍ରସଙ୍ଗରେ ବାର୍‍ କାଉନ୍‍ସିଲ ଅଫ୍‍ ଇଣ୍ଡିଆ ହସ୍ତକ୍ଷେପ କରି ଅନେକ ଓକିଲଙ୍କ ଲାଇସେନ୍ସ ସସ୍‍ପେଣ୍ଡ କରିଥିଲା । ସୁପ୍ରିମ୍‍କୋର୍ଟ ଓ ହାଇକୋର୍ଟରେ ଏହି ମାମଲା ଦୀର୍ଘଦିନ ଧରି ଚାଲିବା ପରେ ଜେଲ୍‍ରେ ଥିବା ଆଇନଜୀବୀମାନଙ୍କୁ ଜାମିନ ମିଳିଛି ଏବଂ ବାର୍‍ କାଉନ୍‍ସିଲ ମଧ୍ୟ ଲାଇସେନ୍ସ ସସ୍‍ପେଣ୍ଡ ଆଦେଶ ପ୍ରତ୍ୟାହାର କରିନେଇଛି । ଏଭଳି ସ୍ପର୍ଶକାତର ଘଟଣାରେ କେଉଁ ପ୍ରାର୍ଥୀଙ୍କର କ’ଣ ଭୂମିକା ଥିଲା ଏବଂ କେଉଁମାନେ ହାଇକୋର୍ଟ ବେଞ୍ଚ ଆନ୍ଦୋଳକୁ ସମର୍ଥନ ଓ ବିରୋଧ କରୁଛନ୍ତି ତାହା ଉପରେ ପଶ୍ଚିମାଞ୍ଚଳର ବହୁ ଆଇନଜୀବୀ କଡ଼ା ନଜର ରଖିଛନ୍ତି । ବ୍ରହ୍ମପୁର ସମେତ ଦକ୍ଷିଣାଞ୍ଚଳରେ ବି ହାଇକୋର୍ଟ ବେଞ୍ଚ ଦାବି ରହିଛି । ଏହା ବି ବାର୍‍ କାଉନ୍‍ସିଲ ନିର୍ବାଚନ ଉପରେ ପ୍ରଭାବ ପକାଇପାରେ ବୋଲି ଅନେକ ଆଇନଜୀବୀ ମତବ୍ୟକ୍ତ କରୁଛନ୍ତି ।
ଇତିମଧ୍ୟରେ ସାରା ଦେଶର ଓକିଲମାନଙ୍କ ଶିକ୍ଷାଗତ ଯୋଗ୍ୟତା ସଂକ୍ରାନ୍ତୀୟ ସାର୍ଟିଫିକେଟ ଯାଞ୍ଚ ସଂକ୍ରାନ୍ତରେ ବି ଝଡ ଉଠିଛି । ଏହା ବି ଚଳିତ ନିର୍ବାଚନରେ ଅନ୍ୟତମ ପ୍ରସଙ୍ଗ ହେଉଛି । ଏହାଛଡା ରାଜ୍ୟ ଆଇନଜୀବୀ କଲ୍ୟାଣ ପାଣ୍ଠିର ଅଭବୃଦ୍ଧି ଏବଂ ଏହାର ଉପଯୋଗ ଓ ଦୂରୂପଯୋଗ ପ୍ରସଙ୍ଗ ବି ଏହି ନିର୍ବାଚନରେ ଉଠୁଛି । ତେବେ ରାଜ୍ୟ ଆଇନଜୀବୀ ପରିଷଦ ପାଇଁ ନିର୍ବାଚନ ଲଢୁଥିବା ଯେଉଁ ପ୍ରାର୍ଥୀମାନେ ନିର୍ଦ୍ଧିଷ୍ଟ ଦଳ ସହ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ଜିଣାଇବା ପାଇଁ ଦଳୀୟ ସ୍ତରରେ ଥିବା ଶାଖା ସଙ୍ଗଠନ ଗୁଡିକ ବେଶ୍‍ ସକ୍ରିୟ ହୋଇ ପଡିଥିବା ଲକ୍ଷ୍ୟ କରାଯାଉଛି । ନିର୍ବାଚନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ନକଲି ଭୋଟରଙ୍କୁ ରୋକିବା ପାଇଁ ପରିଚୟପତ୍ରକୁ ମତଦାନବେଳେ ବାଧ୍ୟତାମୂଳକ କରାଯାଇଥିବା ଜଣାପଡିଛି । (ତଥ୍ୟ)