Home General ବାର୍ଡ ଫ୍ଲୁ ନେଇ ଲୋକଙ୍କୁ ଛାନିଆ କରୁଛି କିଏ?

ବାର୍ଡ ଫ୍ଲୁ ନେଇ ଲୋକଙ୍କୁ ଛାନିଆ କରୁଛି କିଏ?

ଭୁବନେଶ୍ୱର : ରାଜ୍ୟର ଦୁଇଟି ଜିଲ୍ଲା ପୁରୀ ଓ କେନ୍ଦ୍ରାପଡାର କେତେକ ସ୍ଥାନରେ କୁକୁଡାଙ୍କୁ ବାର୍ଡ ଫ୍ଲୁ ହୋଇଥିବା ସାମ୍ନାକୁ ଆସିଥିବାବେଳେ ସମଗ୍ର ଉପକୂଳ ବିଶେଷକରି କୁକୁଡାମାଂସ ଓ ଅଣ୍ଡାର ବଡ ବଜାର ରାଜଧାନୀରେ ଲୋକେ କୁକୁଡା ମାଂସ ଓ ଅଣ୍ଡା ଖାଉ ନାହାନ୍ତି । ବାର୍ଡ ଫ୍ଲୁ ମାତ୍ର କେତୋଟି ଅଞ୍ଚଳରେ ସୀମିତ ଥିବାବେଳେ ଲୋକଙ୍କୁ ଏଭଳି କିଏ ଡରାଉଛି ତାହା ଏବେ କୁକୁଡା ଚାଷୀ ଓ ଏହି ଚାଷର ମୁଖ୍ୟ ପୃଷ୍ଠପୋଷକ କମ୍ପାନୀମାନଙ୍କୁ ଚିନ୍ତାରେ ପକାଇଛି ।

କୁକୁଡା ଚାଷୀମାନେ ଇତି ମଧ୍ୟରେ ରନ୍ଧା କୁକୁଡା ମାଂସରେ ବାର୍ଡ ଫ୍ଲୁ ନାହିଁ ବୋଲି ଦର୍ଶାଇବା ସହିତ ଗଣମାଧ୍ୟମ ସମ୍ମୁଖରେ ନିଜେ ରନ୍ଧା କୁକୁଡାମାଂସ ଖାଇବା ସହିତ ଲୋକଙ୍କୁ ମାଗଣାରେ ଖୁଆଇଥିଲେ । ଲୋକେ ବି ଖାଇଥିଲେ । ତେବେ ସରକାରଙ୍କ ପକ୍ଷରୁ ବାର୍ଡ ଫ୍ଲୁ ନେଇ କୌଣସି ସୂଚନା ଜାରି ହେଉନଥିବାରୁ ଲୋକେ ଭୟରେ କୁକୁଡା ମାଂସ କିମ୍ବା ଅଣ୍ଡା ଖାଉ ନାହାନ୍ତି । ଫଳରେ ବାର୍ଡ ଫ୍ଲୁ ନଥିବା ଅନ୍ୟାନ୍ୟ ଅଞ୍ଚଳରୁ କୁକୁଡା କିମ୍ବା ଅଣ୍ଡା ଆସୁନାହିଁ । ରାଜଧାନୀର ବହୁ କୁକୁଡାମାଂସ ଦୋକାନରେ ଏବେ ତାଲା ପଡିଗଲାଣି । ଏଥିରେ କାର୍ଯ୍ୟରତ କର୍ମଚାରୀମାନେ ଏବେ ବେକାର ହୋଇଗଲେଣି ।

କୁକୁଡା ଚାଷୀମାନଙ୍କ କହିବାକଥା ଯେ ବାର୍ଡ ଫ୍ଲୁ ମାର୍ଗଦର୍ଶିକା ଅନୁଯାୟୀ ଯେଉଁଠାରେ ବାର୍ଡ ଫ୍ଲୁ ଚିହ୍ନଟ ହେବ ସେଠାରେ ଏକ କିଲୋମିଟର ପରିମିତ ଅଞ୍ଚଳ ମଧ୍ୟରେ ଥିବା କୁକୁଡା ଫାର୍ମର ସମସ୍ତ କୁକୁଡାଙ୍କୁ ମାରି ଦିଆଯିବ । ସେହିଭଳି ବାର୍ଡଫ୍ଲୁ ହୋଇଥିବା ଫାର୍ମର ୧୦କିଲୋମିଟର ଅଞ୍ଚଳକୁ ସର୍ଭିଲାନ୍ସ ଅଞ୍ଚଳ ଭାବେ ଘୋଷଣା ହୋଇଥାଏ । ସେହି ଅଞ୍ଚଳରେ ଥିବା କୁକୁଡାକୁ ସମ୍ପୃକ୍ତ ଅଞ୍ଚଳରେ ହିଁ ବିକ୍ରି ହୋଇଥାଏ । ଏହି କୁକୁଡାଙ୍କ ମାଂସ ଓ ଅଣ୍ଡା ଖାଇବା ସମ୍ପୂର୍ଣ୍ଣ ନିରାପଦ ।

ତେବେ ପୁରୀ ଜିଲ୍ଲାର ପିପିଲି ଓ ନିମାପଡା ସମେତ କେନ୍ଦ୍ରାପଡା ଅଞ୍ଚଳର କେତେକ ସ୍ଥାନରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିବାବେଳେ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇନାହିଁ । ସେହିସବୁ ଅଞ୍ଚଳର କୁକୁଡା ଓ ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ । ତେବେ ସରକାର ଏ ଦିଗରେ କୌଣସି ପଦକ୍ଷେପ ନେଉନଥିବାରୁ ଏବେ ସେଠାକାର ଚାଷୀମାନେ ବି ମୁଣ୍ଡରେ ହାତଦେଇ ବସିଗଲେଣି । ଶାଗମାଛ ଦରରେ କୁକୁଡା ବିକ୍ରି କରୁଛନ୍ତି ।

ସେହିଭଳି ଓଡିଶାରେ ବାର୍ଡ ଫ୍ଲୁ ପ୍ରଚାର ପରେ ଏବେ କୁକୁଡା ମାଂସ ଓ ଅଣ୍ଡାର ବଡ ଆମଦାନୀ ରାଜ୍ୟ ପଶ୍ଚିମବଙ୍ଗ କଠୋର ଆଭିମୁଖ୍ୟ ଗ୍ରହଣ କରିଛି । ଓଡିଶାରୁ ଯାଉଥିବା କୁକୁଡା ଓ ଅଣ୍ଡା ଗାଡିକୁ ସେହି ରାଜ୍ୟରେ ପୂରାଇ ଦେଉନାହିଁ । ତେଣୁ ରାଜ୍ୟର କେଉଁ ଅଞ୍ଚଳରେ ବାର୍ଡ ଫ୍ଲୁ ହୋଇଛି ଏବଂ କେଉଁଠାରେ ସୁରକ୍ଷିତ କୁକୁଡା ଓ ମାଂସ ଆଦି ରହିଛି ତାହାର ଏକ ତାଲିକା ରାଜ୍ୟ ସରକାର ଜାରି କରିବାପାଇଁ କୁକୁଡାଚାଷୀମାନେ ମତ ଦେଉଛନ୍ତି ।

ସରକାର ଏ ଦିଗରେ ପଦକ୍ଷେପ ନହେଲେ ଓଡିଶାରେ କୁକୁଡା ଚାଷ ସହିତ ଜଡିତ ପ୍ରାୟ ୧୨ଲକ୍ଷ ଲୋକଙ୍କ ବେଉସା ବୁଡିବା ସହିତ ଏହି ଶିଳ୍ପ ଧ୍ୱଂସ ପାଇଯିବ ଏବଂ ଏହାର ନକରାତ୍ମକ ପଭାବ ରାଜ୍ୟର ଅର୍ଥନୀତି ଉପରେ ପଡିବ ବୋଲି କୁକୁଡାଚାଷୀମାନେ ମତ ଦେଉଛନ୍ତି । (ତଥ୍ୟ)