ଭୁବନେଶ୍ୱର : ନିଯୁକ୍ତି ଓ ପଦୋନ୍ନତି କ୍ଷେତ୍ରରେ ସଂରକ୍ଷିତ ବର୍ଗଙ୍କ ପାଇଁ ଥିବା ସୁବିଧାକୁ ବହୁ କ୍ଷେତ୍ରରେ ଉଲ୍ଲଙ୍ଘନ କରାଯାଉଛି ନିଯୁକ୍ତି ଓ ପଦୋନ୍ନତିରୁ ବଞ୍ଚିତ ଏହି ବର୍ଗର ଆଶାୟୀମାନେ ଆଇନ୍ ଅଦାଲତରେ ସରକାରଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବାକୁ ବାଧ୍ୟ ହେଉଛନ୍ତି ।
ପୂର୍ବରୁ ସରକାରୀ ଚାକିରିର ବିଭିନ୍ନ କ୍ୟାଡରରେ ୧୦୦ ପଏଣ୍ଟ ରୋଷ୍ଟର ବ୍ୟବସ୍ଥା ଥିଲା । ପରବର୍ତ୍ତୀ ସମୟରେ ଏହାକୁ ବଦଳାଇ ରାଜ୍ୟ ସରକାର ୮୦ ପଏଣ୍ଟ ମଡେଲ ରୋଷ୍ଟର ପ୍ରଚଳନ କରିଥିଲେ । ଯେଉଁ କ୍ୟାଡରରେ ଯେତେ ପଦବୀ ଖାଲି ହୋଇଥିଲା ତାହା ମଧ୍ୟରୁ ସଂରକ୍ଷିତବର୍ଗଙ୍କୁ ଭାଗ ଦିଆଯାଉଥିଲା । ଏଥିଘେନି ବହୁ ସମସ୍ୟା ଉପୁଜିବାରୁ ସୁପ୍ରିମ୍କୋର୍ଟଙ୍କ ଏକ ରାୟ ଆଧାରରେ ପଦବୀ ଭିତ୍ତିକ ସଂରକ୍ଷଣ ବ୍ୟବସ୍ଥା ରୋଷ୍ଟରରେ ରହିଲା ।
ପଦବୀ ଭିତ୍ତିକ ସଂରକ୍ଷଣ ବ୍ୟବସ୍ଥାରେ ଯେଉଁ ରୋଷ୍ଟର ପଏଣ୍ଟ ଯେଉଁ ବର୍ଗଙ୍କ ପାଇଁ ରହିଛି ସେହି ବର୍ଗର ପ୍ରାର୍ଥୀଙ୍କୁ ଉକ୍ତ ପଦବୀରେ ନିଯୁକ୍ତି ଓ ପଦୋନ୍ନତି ଦେବାପାଇଁ କୁହାଗଲା । ସଂରକ୍ଷିତବର୍ଗର ପ୍ରାର୍ଥୀମାନେ ସେମାନଙ୍କ ପାଇଁ ଥିବା ରୋଷ୍ଟରପଏଣ୍ଟ ପଦବୀରେ ନିଯୁକ୍ତି ଓ ପଦୋନ୍ନତି ପାଇବାରେ ଅସୁବିଧା ନଥିବାବେଳେ ଅଣସଂରକ୍ଷିତ ପଦବୀଗୁଡିକ ପୂରଣ କ୍ଷେତ୍ରରେ ବାରମ୍ବାର ସମସ୍ୟା ଲାଗି ରହୁଛି ।
ସୁପ୍ରିମ୍କୋର୍ଟ, ହାଇକୋର୍ଟ, ସ୍ୟାଟ୍ ଓ କ୍ୟାଟ୍ ଆଦି ଶହ ଶହ ମାମଲାରେ ଦେଇଥିବା ରାୟରେ ବାରମ୍ବାର ସ୍ପଷ୍ଟ କରିଦେଇଛନ୍ତି ଯେ ଅଣସଂରକ୍ଷିତ ପଦବୀଗୁଡିକ କୌଣସି ବର୍ଗଙ୍କ ପାଇଁ ସଂରକ୍ଷିତ ନୁହେଁ । ଏହା ନିରୋଳା ଯୋଗ୍ୟତା ଆଧାରରେ ପୂରଣ ହେବାକଥା । ଯଦି ସଂରକ୍ଷିତବର୍ଗର କୌଣସି ଯୋଗ୍ୟ ପ୍ରାର୍ଥୀ ଭଲ ପ୍ରଦର୍ଶନ କରିଥାନ୍ତି ତେବେ ତାଙ୍କ ମେଧା ଆଧାରରେ ତାଙ୍କୁ ଅଣସଂରକ୍ଷିତ ପଦବୀରେ ନିଯୁକ୍ତି ଦିଆଯାଇପାରିବ । କେବଳ ସେତିକି ନୁହେଁ, ଯଦି ବରିଷ୍ଠତା ତାଲିକାରେ ତାଙ୍କର ନାଁ ଉପରେ ଥାଏ ତେବେ ଉକ୍ତ ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ବି ଅଣସଂରକ୍ଷିତ ପାହ୍ୟାରେ ପଦୋନ୍ନତି ଦିଆଯାଇ ପାରିବ । ଏ ସଂକ୍ରାନ୍ତରେ ୧୯୯୭ ମସିହାରୁ ଏଯାବତ୍ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ବାରମ୍ବାର ବିଜ୍ଞପ୍ତି ପ୍ରକାଶ କରି ଚାଲିଛନ୍ତି । ଏମିତିକି ଓଡିଶା ସରକାରୀ ଚାକିରିରେ ପଦୋନ୍ନତି ପାଇଁ ଥିବା ଆଇନ୍କୁ ବି ସଂଶୋଧନ କରାଯାଇ ଅଣସଂରକ୍ଷିତ ବର୍ଗର ସଜ୍ଞା ନିର୍ଦ୍ଧାରଣ କରାଯାଇଛି । ଏଥିରେ କୁହାଯାଇଛି ଯେ ଉଭୟ ସଂରକ୍ଷିତ ଓ ସାଧାରଣବର୍ଗର ପ୍ରାର୍ଥୀମାନେ ଅଣସଂରକ୍ଷିତ ପଦବୀପାଇଁ ଯୋଗ୍ୟତା ଓ ବରିଷ୍ଠତା ଆଧାରରେ ବଛାଯାଇ ପାରିବ ।
ତେବେ ବହୁ ଆଦିବାସୀ ବହୁଳ ଜିଲ୍ଲାରେ ଏହି ବ୍ୟବସ୍ଥାର ଉଲ୍ଲଙ୍ଘନ ହେଉଥିବା ଘେନି ବାରମ୍ବାର ଅଭିଯୋଗମାନ ଆସୁଛି । ତିନି ଚାରିବର୍ଷର ବରିଷ୍ଠ ଏସସି ଓ ଏସ୍ଟି ବର୍ଗର ସରକାରୀ ଚାକିରିଆମାନଙ୍କୁ ଉପେକ୍ଷା କରି ସେମାନଙ୍କ ଠାରୁ ବରିଷ୍ଠତା ତାଲିକାରେ ଢେର ତଳେ ଥିବା ଅଣସଂରକ୍ଷିତ ବର୍ଗର ଚାକିରିଆଙ୍କୁ ଆଗୁଆ ପଦୋନ୍ନତି ଦିଆଯାଉଛି । କେନ୍ଦୁଝର ଜିଲ୍ଲାରେ ଏସ୍ଟି ବର୍ଗର ଜଣେ ବରିଷ୍ଠ ଅମିନଙ୍କୁ ଉପେକ୍ଷା କରି ତାଙ୍କଠାରୁ ଢେର କନିଷ୍ଠ ଅଣସଂରକ୍ଷିତ ବର୍ଗର ଅମିନଙ୍କୁ ଆରଆଇ ପାହ୍ୟାକୁ ପଦୋନ୍ନତି ଦିଆଯାଇଥିବା ମାମଲାରେ ଏପରି ଘଟଣା ସରକାରଙ୍କ ନଜରକୁ ଆସିଛି ।
ଅନୁସୂଚିତ ଜନଜାତି ଓ ଜାତି କଲ୍ୟାଣ ବିଭାଗର ବରିଷ୍ଠ ଅଧିକାରୀମାନେ କହୁଛନ୍ତି ଯେ ଏସଂକ୍ରାନ୍ତରେ ବାରମ୍ବାର ବିଭିନ୍ନ ବିଭାଗ, ବିଭାଗୀୟ ମୁଖ୍ୟ ଦପ୍ତର ଓ ଜିଲ୍ଲାପାଳମାନଙ୍କୁ ସ୍ପଷ୍ଟିକରଣ ଦିଆଯାଉଥିଲେ ମଧ୍ୟ ନିର୍ଦ୍ଦିଷ୍ଟ କେତେକ କ୍ଷେତ୍ରରେ କର୍ତ୍ତୃପକ୍ଷ ଜାଣି ଶୁଣି ତାହାର ଉଲ୍ଲଙ୍ଘନ କରିବା ଫଳରେ ଆଇନ୍ ଅଦାଲତରେ ସଂରକ୍ଷଣ ସଂକ୍ରାନ୍ତୀୟ ମାମଲା ସଂଖ୍ୟା ବୃଦ୍ଧି ପାଉଛି । ଏମିତିକି ନିଯୁକ୍ତି ପରୀକ୍ଷାରେ ଅଧିକ ନମ୍ବର ରଖୁଥିବା ଭିନ୍ନକ୍ଷମ ବର୍ଗର ପ୍ରାର୍ଥୀଙ୍କୁ ଅଣସଂରକ୍ଷିତ ଆସନରେ ନିଯୁକ୍ତି ଦେବାପାଇଁ ଆଇନ୍ ଥିଲେ ମଧ୍ୟ ତାହାର ବି ଠିକଣା ଅନୁପାଳନ ହେଉନଥିବାରୁ ସରକାର ଅଯଥାରେ ମାମଲାରେ ଛନ୍ଦି ହେଉଛନ୍ତି । (ତଥ୍ୟ)