ଭୁବନେଶ୍ୱର : ଆଇନଗତ ବିବାଦ ଯୋଗୁ ରାଜ୍ୟର ବିଶ୍ୱବିଦ୍ୟାଳୟ ଗୁଡିକରେ ସହସ୍ରାଧିକ ଶିକ୍ଷକ ପଦବୀ ଖାଲି ପଡିଥିବାବେଳେ ପାଠପଢା ଓ ଗବେଷଣା କାର୍ଯ୍ୟ ଗୁରୁତର ଭାବେ ବ୍ୟାହାତ ହେଉଛି । ଏହି ସମସ୍ୟାର ସମାଧାନ ପାଇଁ ଅବସରପ୍ରାପ୍ତ ପ୍ରଫେସର, ସହଯୋଗୀ ପ୍ରଫେସର ଓ ସହକାରୀ ପ୍ରଫେସରମାନଙ୍କୁ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟର କୂଳପତିମାନେ ଠିକାରେ ଅସ୍ଥାୟୀ ନିଯୁକ୍ତି ଦେଇ କାମ ଚଳାଇ ପାରିବେ । ଏ ସମ୍ପର୍କରେ ଉଚ୍ଚଶିକ୍ଷା ବିଭାଗ ତତ୍ପରତା ପ୍ରକାଶ କରୁଛି ।
ଏଠାରେ ଉଲ୍ଲେଖନୀୟ ଯେ ପୂର୍ବରୁ ବିଶ୍ୱବିଦ୍ୟାଳୟ ଗୁଡିକ ନିଜ ନିଜ ପାଇଁ ବିଭିନ୍ନ ପାହ୍ୟାର ଶିକ୍ଷକଙ୍କ ନିଯୁକ୍ତି ଓ ପଦୋନ୍ନତି କଥା ବୁଝୁଥିଲେ । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗଙ୍କ ନିର୍ଦ୍ଧାରିତ ନୀତି ମୁତାବକ କୂଳାଧିପତିବା ରାଜ୍ୟପାଳଙ୍କ ସ୍ୱୀକୃତିରେ ଶିକ୍ଷକ ଚୟନ ପାଇଁ ବିଶେଷଜ୍ଞଙ୍କୁ ନେଇ କମିଟିମାନ ବସୁଥିଲା ଏବଂ କମିଟିର ସୁପାରିସ ଆଧାରରେ କୂଳାଧିପତି ସହକାରୀ ପ୍ରଫେସର, ସହଯୋଗୀ ପ୍ରଫେସର ଓ ପ୍ରଫେସର ପଦବୀ ଲାଗି ନିଯୁକ୍ତି ଦେଉଥିଲେ ।
ରାଜ୍ୟ ସରକାର ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନରେ ସଂଶୋଧନ ଆଣି ବିଶ୍ୱବିଦ୍ୟାଳୟ ଗୁଡିକ ହାତରୁ ଶିକ୍ଷକ ନିଯୁକ୍ତି ଓ ପଦୋନ୍ନତି କ୍ଷମତା କାଢି ନେବାସହ ଏହା ଓଡ଼ିଶା ଲୋକସେବା ଆୟୋଗ ମାଧ୍ୟମରେ କରାଇବା ପାଇଁ ବ୍ୟବସ୍ଥା କରିଥିଲେ । ସଂଶୋଧିତ ଆଇନ ସଂକ୍ରାନ୍ତରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହି ଆଇନକୁ ଓଡ଼ିଶା ହାଇକୋର୍ଟ ବୈଧ ଘୋଷଣା କରିଥିବାବେଳେ ଉକ୍ତ ରାୟ ବିରୁଦ୍ଧରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ଏବଂ ସୁପ୍ରିମ୍କୋର୍ଟ ମଧ୍ୟ ଏହା ଉପରେ ଅନ୍ତରୀଣ ଆଦେଶ ଜାରି କରିବାରୁ ଲୋକସେବା ଆୟୋଗ ବିଶ୍ୱବିଦ୍ୟାଳୟ ଗୁଡିକ ପାଇଁ ଶିକ୍ଷକ ଚୟନ ପ୍ରକ୍ରିୟାରେ ଆଗେଇ ପାରୁନାହିଁ ।
ପୁରୁଣା ଆଇନ ସଂଶୋଧିତ ହୋଇସାରିଥିବା ଏବଂ ନୂଆଆଇନର ବୈଧତା ଘେନି ସୁପ୍ରିମ୍କୋର୍ଟଙ୍କ ନିକଟରେ ମାମଲା ପଡିଥିବା ଦୃଷ୍ଟିରୁ ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟ ଗୁଡିକରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଗୁରୁତର ଭାବେ ବ୍ୟାହାତ ହୋଇଛି । ଏଥିଘେନି ନ୍ୟାକ୍ର ଉନ୍ନତ ଗ୍ରେଡ୍ ପାଇବା କ୍ଷେତ୍ରରେ ମଧ୍ୟ ସମସ୍ୟା ଉପୁଜୁଛି । ମାମଲା ଫଇସଲା ପର୍ଯ୍ୟନ୍ତ ପୁରୁଣା କିମ୍ବା ନୂଆ ଆଇନ ଆଧାରରେ ନିଯୁକ୍ତି ଦିଆଯାଉନାହିଁ । ଫଳରେ ରାଜ୍ୟର ବିଶ୍ୱବିଦ୍ୟାଳୟ ଗୁଡିକରେ ଏବେ ପାଖାପାଖି ୬୦ପ୍ରତିଶତ ଶିକ୍ଷକ ପଦବୀ ଖାଲି ପଡିଛି । ଏମିତିକି ଗୋଟିଏ ଗୋଟିଏ ବିଶ୍ୱବିଦ୍ୟାଳୟରେ ଏବେ ମାତ୍ର ୨/୩ ଜଣ କରି ପ୍ରଫେସର ଅଛନ୍ତି ।
ଉତ୍କଳ, ରେଭେନ୍ସା, ବ୍ରହ୍ମପୁର, ସମ୍ବଲପୁର, ରମାଦେବୀ ଆଦି ବିଶ୍ୱବିଦ୍ୟାଳୟରେ ସମସ୍ୟା ଉତ୍କଟତର ହେବାରେ ଲାଗିଛି । ରାଜେନ୍ଦ୍ର, କଳାହାଣ୍ଡି, ଖଲ୍ଲିକୋଟ, ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଆଦିରେ ଜଣେ ହେଲେ ପ୍ରଫେସର ନାହାନ୍ତି । ଅଧିକାଂଶ ବିଶ୍ୱବିଦ୍ୟାଳୟର ବହୁ ବିଭାଗ ବିନା ପ୍ରଫେସରରେ ଚାଲିଛି । ଯେତିକି ବି ଶିକ୍ଷକ ଅଛନ୍ତି ସେମାନେ ପାଠ ପଢାଇବା ଘେନି ଚାପରେ ରହୁଥିବାବେଳେ ପ୍ରଶାସନିକ, ଗବେଷଣା ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ସେମାନଙ୍କ ନିକଟରେ ସମୟ ନାହିଁ ।
ମାମଲାର ତ୍ୱରିତ ଫଇସଲା ଲାଗି ରାଜ୍ୟ ସରକାର ସୁପ୍ରିମ୍କୋର୍ଟରେ ନିୟୋଜିତ ଓକିଲଙ୍କ ମାଧ୍ୟମରେ ଉଦ୍ୟମ ଚଳାଇଛନ୍ତି । ତେବେ ମାମଲା କେବେ ସରିବ ସେଥିଘେନି ନିର୍ଦ୍ଦିଷ୍ଟ ଭାବେ କେହି କିଛି ଗ୍ୟାରେଣ୍ଟି ଦେଇପାରିବେ ନାହିଁ । ବିଧି ବିଷାରଦମାନେ କହିଛନ୍ତି ଯେ, ପଛୁଆ ବର୍ଗଙ୍କ ପାଇଁ ରାଜ୍ୟ ସରକାର କରିଥିବା ୨୭ପ୍ରତିଶତ ସଂରକ୍ଷଣ ଆଇନ କାଟ୍ ଖାଇଯିବା ପରେ ଏହା ବିରୁଦ୍ଧରେ ସରକାର ସୁପ୍ରିମ୍କୋର୍ଟକୁ ଯାଇଛନ୍ତି । ଏହି ମାମଲା ବିଚାରାଧିନ ଥିବାବେଳେ ୨୦୧୪ ମସିହାରେ ରାଜ୍ୟ ସରାକର ଏକ ବିଜ୍ଞପ୍ତି ଆଧାରରେ ପୁରୁଣା ବ୍ୟବସ୍ଥା ଅନୁଯାୟୀ ଏସ୍ଇବିସି ବର୍ଗଙ୍କ ଲାଗି ୧୧.୨୫ ପ୍ରତିଶତ ସ୍ଥାନ ସଂରକ୍ଷଣ ଚାଲୁ ରଖିଛନ୍ତି ।
ଏହି ନଜିର ଆଧାରରେ ସରକାର ଚାହିଁଲେ ପୁରୁଣା ଆଇନ ଆଧାରରେ ବିଶ୍ୱବିଦ୍ୟାଳୟ ଗୁଡିକ ମାଧ୍ୟମରେ ପ୍ରାର୍ଥୀ ଚୟନ କରାଯାଇ ନିଯୁକ୍ତି ଦିଆଯାଇପାରିବ । ତେବେ ଉଚ୍ଚଶିକ୍ଷା ବିଭାଗ ଏଭଳି ବିବାଦୀୟ ପରିସ୍ଥିତିରେ ସୁପ୍ରିମ୍କୋର୍ଟଙ୍କ ରାୟକୁ ଅପେକ୍ଷା କରିଥିବାବେଳେ ସମସ୍ୟାର ଅସ୍ଥାୟୀ ସମାଧାନ ଲାଗି ଅବସରପ୍ରାପ୍ତ ପ୍ରଫେସର, ସହଯୋଗୀ ପ୍ରଫେସର ଓ ପ୍ରଫେସରମାନଙ୍କୁ ଠିକାରେ ନିଯୁକ୍ତି ଦେଇ ଛାତ୍ରଛାତ୍ରୀମାନଙ୍କ ପାଠପଢା କ୍ଷେତ୍ରରେ ଉପୁଜୁଥିବା ସମସ୍ୟାର ସାମୟିକ ସମାଧାନ କରିବାକୁ ଯାଉଛନ୍ତି । (ତଥ୍ୟ)