ଭୁବନେଶ୍ୱର : ବୟସାଧିକ୍ୟ କାରଣରୁ ଏଥର ନିର୍ବାଚନରେ ବହୁ ପୁରୁଖା ରାଜନେତାଙ୍କୁ ବାଦ୍ ଦେଇ ସେମାନଙ୍କ ଆସନରେ ନୂଆ ପ୍ରାର୍ଥୀ ବିଭିନ୍ନ ଦଳ ଛିଡା କରାଇ ପାରନ୍ତି । ଏଥିଘେନି ବିଜେଡି, ବିଜେପି ଓ କଂଗ୍ରେସ ଦଳରେ ଜୋରଦାର କସରତ ଚାଲିଛି ।
୨୦୧୯ରେ ବିରୋଧିଦଳ ନେତା ହୋଇଥିବା ବିଜେପିର ପ୍ରଦୀପ୍ତ ନାୟକ ସ୍ୱାସ୍ଥ୍ୟଗତ କାରଣରୁ ଦାୟିତ୍ୱରୁ ଓହରିଯିବା ପରେ ତାଙ୍କ ସ୍ଥାନରେ ଜୟନାରାୟଣ ମିଶ୍ରଙ୍କୁ ବିରୋଧିଦଳ ନେତା ପଦବୀ ମିଳିଥିଲା । ତେବେ ପରବର୍ତ୍ତୀ ସମୟରେ ଶ୍ରୀ ମିଶ୍ର ମଧ୍ୟ ବିଭିନ୍ନ ରୋଗରେ ପୀଡିତ ଅଛନ୍ତି । ଏବେ ବିଜେପି ମହଲରେ ଚର୍ଚ୍ଚା ହେଉଛି ଯେ ଏହି ଦୁଇ ଆସନରେ ପ୍ରଦୀପ୍ତ ଓ ଜୟନାରାୟଣଙ୍କ ଦୁଇ ସମ୍ପର୍କୀୟଙ୍କୁ ବିଜେପି ପ୍ରାର୍ଥୀ କରିପାରେ ।
ସେହିଭଳି ପୂର୍ବତନ ବିରୋଧିଦଳ ନେତା ନରସିଂହ ମିଶ୍ର ଆଉ ନିର୍ବାଚନ ଲଢିବେ ନାହିଁ ବୋଲି ଗଣମାଧ୍ୟମରେ ବାରମ୍ବାର କହି ଆସୁଥିବାବେଳେ କଂଗ୍ରେସର ଅନ୍ୟତମ ବିଧାୟକ ସୁରେଶ କୁମାର ରାଉତରାୟ ମଧ୍ୟ ଗତ ବିଧାନସଭା ଅଧିବେଶନ କାଳରେ ଭାବବିହ୍ୱଳ ହୋଇ ଆଉ ବିଧାନସଭାକୁ ଆସିବେନାହିଁ ବୋଲି କହିବା ସହ ମୁଣ୍ଡିଆ ମାରିଥିଲେ । ଏହି ଦୁଇ ବରିଷ୍ଠ ନେତାଙ୍କ ମନୋନୀତ ପ୍ରାର୍ଥୀଙ୍କୁ କଂଗ୍ରେସ ଯଥାକ୍ରମେ ବଲାଙ୍ଗିର ଓ ଜଟଣୀରୁ ଟିକଟ ଦେଇପାରେ ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି ।
୨୦୧୯ର ନିର୍ବାଚନ ବେଳେ ବିଜେଡି ୧୭ଟି ଲୋକସଭା ଓ ପ୍ରାୟ ୫୦ଟି ବିଧାନସଭା ଆସନରେ ନୂଆ ପ୍ରାର୍ଥୀ ଦେଇ ଅଭୂତପୂର୍ବ ସଫଳତା ପାଇଥିଲା । ପୂର୍ବ ଫର୍ମୁଲାକୁ ଆପଣେଇ ଏଥର ବି ବିଜେଡି ବହୁ ଆସନରେ ବୟସ୍କ ନେତାମାନଙ୍କୁ ବଦଳାଇ ସେମାନଙ୍କ ସ୍ଥାନରେ ଯୁବ ଚେହେରାଙ୍କୁ ଅଗ୍ରାଧିକାର ଦେଇପାରେ ବୋଲି ବହୁ ଦଳୀୟ ନେତା ଆଶା ଓ ଆଶଙ୍କା ବ୍ୟକ୍ତ କରୁଛନ୍ତି ।
ପୂର୍ବରୁ ପ୍ରଫୁଲ ଚନ୍ଦ୍ର ଘଡାଇ, ସୁରେନ୍ଦ୍ରନାଥ ନାୟକ, ଦାମୋଦର ରାଉତଙ୍କ ଭଳି ବିଜେଡିର ବହୁ ପୁରୁଖା ନେତା ବାଦ୍ ପଡିଥିଲେ । ଏଥର ଏହି ତାଲିକାରେ ଆଉ କେତେକଙ୍କ ନାମ ଯୋଡାଯାଇ ପାରେ । ଏମିତିକି ବୟସାଧିକ୍ୟ କାରଣରୁ କେତେକ ବିଧାୟକ ଓ ମନ୍ତ୍ରୀ ନିଜ ନିଜର ପରିବାରରୁ କାହାକୁ ପ୍ରାର୍ଥୀ କରାଇବାପାଇଁ ବିଶେଷ ଆଗ୍ରହୀ । ତେବେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପରେ ନିର୍ଭର କରେ ।
ମୋଟାମୋଟି ଭାବେ ବିଜେଡି ଓ ବିଜେପି ଅନେକ ଲୋକସଭା ଆସନରେ ନୂଆ ପ୍ରାର୍ଥୀ ଦେବା ସହିତ କେତେକ ସାଂସଦଙ୍କୁ ବିଧାନସଭା ନିର୍ବାଚନ ଲଢାଇବା ସମ୍ଭାବନା ରହିଛି । ମୋଟାମୋଟି ଭାବେ ଲୋକସଭା ନିର୍ବାଚନ ପାଇଁ କମ୍ ଆଶାୟୀ ଥିବାବେଳେ ସବୁ ଦଳରେ କିନ୍ତୁ ବିଧାନସଭା ପାଇଁ ଆଶାୟୀଙ୍କ ସଂଖ୍ୟା ଢେର ଅଧିକ ଲକ୍ଷ୍ୟ କରାଯାଉଛି ।
ଏବେ ବହୁ ସାଂସଦ, ବିଧାୟକ ଓ ଆଶାୟୀଙ୍କ ଗଣିତ ମହିଳା କାର୍ଡ ଯୋଗୁଁ ବିଗିଡି ଯାଉଛି । ଗତଥର ମହିଳା କାର୍ଡଖେଳି ବିଜେଡି ବେଶ୍ ସୁଫଳ ପାଇଥିଲା । ତେଣୁ ଏଥର ମହିଳା କାର୍ଡ ଖେଳିବାପାଇଁ ପ୍ରାୟ ସବୁ ଦଳ ମଧ୍ୟରେ ଅଘୋଷିତ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଏବେ ଟିକଟ ଆଶାୟୀଙ୍କ ଭିଡ ନବୀନ ନିବାସ, କଂଗ୍ରେସ ଭବନ ଓ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଜମୁଛି । ଏହାଛଡା ଆଶାୟୀମାନେ ମଧ୍ୟ ବିଭିନ୍ନ ନେତାଙ୍କ ମାଧ୍ୟମରେ ନିଜ ଟିକଟ ସୁରକ୍ଷାପାଇଁ ଚାପ ପକାଇବାରେ ଲାଗିଛନ୍ତି । ଏହି ଭିତ୍ତିଭୂମିରେ ଟିକଟ ପାଇବାରୁ ବଞ୍ଚିତ ହେବା ଆଶଙ୍କାରେ କେତେକ ଦଳ ବଦଳ କରିଥିବାବେଳେ ଆଉ ଅନେକ ନେତା ଏଥିପାଇଁ ଅପେକ୍ଷାରେ ଅଛନ୍ତି । (ତଥ୍ୟ)