Home General ବାତ୍ୟା ଭୟ ବଢାଉଛି ଉଦବେଗ

ବାତ୍ୟା ଭୟ ବଢାଉଛି ଉଦବେଗ

ଭୁବନେଶ୍ୱର : ବାତ୍ୟା ଘେନି କିଛି ନିର୍ଦ୍ଧିଷ୍ଟ ସୂଚନା ନଥିଲେ ମଧ୍ୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଯେଉଁ ସମ୍ଭାବନା ରହିଛି ତାହା ଏବେ ଲୋକଙ୍କ ଭିତରେ ଭୟ ସଞ୍ଚାର କରିଛି । କାରଣ ଅତୀତରେ ଅକ୍ଟୋବର ମାସରେ ଅନେକ ଭୟଙ୍କର ବାତ୍ୟା ହୋଇ ବିପୁଳ ଧନଜୀବନ କ୍ଷତି ଘଟିଥିବା ପୃଷ୍ଠଭୂମିରେ ଚଳିତମାସ ୨୪ତାରିଖରୁ ଲଘୁଚାପ ଗଭୀର ଅବପାତ କିମ୍ବା ଛୋଟ ବାତ୍ୟାର ରୂପ ନେଇପାରେ ବୋଲି ବିଶେଷଜ୍ଞମାନେ ଯେଉଁ ଆଶଙ୍କା ଓ ପୂର୍ବାନୁମାନ ବ୍ୟକ୍ତ କରୁଛନ୍ତି ସେଥିଘେନି ଉଦ୍‍ବେଗପ୍ରକାଶ ପାଇବା ସ୍ୱାଭାବିକ ।

୧୯୯୯ ଅକ୍ଟୋବର ୨୯ ତାରିଖରେ ଓଡିଶା ଉପକୂଳରେ ଘଟିଥିବା ମହାବାତ୍ୟାର କରାଳ ଚିତ୍ର ଏବଯାତ୍‍ ଲୋକଙ୍କ ମନରୁ ଲିଭିନାହିଁ । ପ୍ରତିବର୍ଷ ଏହି ଦିନ ଟିର ସ୍ମୃତିଚାରଣ ମଧ୍ୟ ସରକାରୀ ଓ ବେସରକାରୀ ସ୍ତରରେ ହେଉଛି । ଏହାଛଡା ମହାବାତ୍ୟା ପରେ ହୋଇଥିବା ଫାଇଲିନ୍‍, ତିତ୍‍ଲି, ହୁଡ୍‍ହୁଡ୍‍ ଭଳି ପ୍ରାକୃତିକ ବିପତ୍ତି ମଧ୍ୟ ଓଡିଶାରେ ବେଶ୍‍ କ୍ଷତି ଘଟାଇଛି । ତେଣୁ ଅକ୍ଟୋବର ମାସରେ ଲଘୁଚାପ ସୃଷ୍ଟିହେବା କଥା ଶୁଣିଲାମାତ୍ରେ ସାଧାରଣ ଲୋକେ ଆଶଙ୍କାବ୍ୟକ୍ତ କରିବା ସ୍ୱାଭାବିକ ।

ଏଠାରେ ଉଲ୍ଲେଖନୀୟ ଯେ ୧୯୯୯ ଅକ୍ଟୋବର ମାସରେ ଘଟିଥିବା ମହାବାତ୍ୟା ରାଜ୍ୟର ସାମଜ ଜୀବନ ସହିତ ଅର୍ଥନୀତିକୁ ଦୋହଲାଇ ଦେଇଥିଲା । ଏଥିରୁ ମୁକୁଳିବାପାଇଁ ସାଧାରଣ ଜନତା ଓ ସରକାରଙ୍କୁ ବେଶ୍‍ କଷ୍ଟସ୍ୱୀକାର କରିବାକୁ ପଡିଛି । ଅବଶ୍ୟ ମହାବାତ୍ୟା ପରେ ଓଡିଶା ସରକାର ଅନେକ ପରିମାଣରେ ଚେତିବା ଯୋଗୁଁ ଏବେ ବାତ୍ୟା ସମୟରେ ଜୀବନହାନି ସଂଖ୍ୟା ଢେର କମିଛି । ଫାଇଲିନ୍‍, ହୁଡ୍‍ହୁଡ୍‍, ତିତିଲ ଭଳି ଅକ୍ଟୋବର ମାସରେ ଅତୀତରେ ଯେଉଁସବୁ ବାତ୍ୟା ହୋଇଥିଲା ସେଥିରେ ଜୀବନହାନିର ପରିମାଣ ଢେର କମ୍‍ ଥିଲା ।

ପୂର୍ବ ଅଭିଜ୍ଞତାରୁ ଶିକ୍ଷାଲାଭ କରି ଓଡିଶା ସରକାର ‘ଜିରୋ କାଜୁଆଲିଟି’ ନୀତି ଆପଣେଇବା ପରଠାରୁ ପ୍ରାକୃତିକ ଦୁର୍ବିପାକ ସମୟରେ ଓଡିଶାରେ ଜୀବନହାନି ସଂଖ୍ୟା କମିଛି । କବେଳ ସେତିକି ନୁହେଁ, କେନ୍ଦ୍ର ସରକାର ମଧ୍ୟ ଓଡିଶାର ଏହି ଆଭିମୁଖ୍ୟକୁ ପ୍ରଶଂସା କରିବା ସଂଗେ ସଂଗେ ଅନ୍ୟ ରାଜ୍ୟମାନେ ଏ ପ୍ରସଙ୍ଗରେ ଶିକ୍ଷାଲାଭ କରିବାପାଇଁ ଖୋଦ ପ୍ରଧାନମନ୍ତ୍ରୀ ଏକାଧିକବାର ମନ୍ତବ୍ୟ ରଖିଛନ୍ତି ।

ବନ୍ୟା, ବାତ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ୨୫ବର୍ଷ ତଳେ ଓଡିଶାକୁ ଅନ୍ୟ ରାଜ୍ୟମାନେ ସହାୟତାର ହାତ ବଢାଉଥିବାବେଳେ । ଏମିତିକି ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ବି ଅନ୍ୟ ରାଜ୍ୟର ସରକାରୀ ଓ ବେସରକାରୀ ସଂସ୍ଥାମାନେ ଓଡିଶାରେ ଆସି ନିୟୋଜିତ ହେଉଥିଲେ । ଗୋଟିଏ ସମୟରେ ବାତ୍ୟାରେ ଉପୁଡି ଯାଉଥିବା ଗଛଗୁଡିକୁ ହଟାଇ ଗମନାଗମନ ବ୍ୟବସ୍ଥା ସ୍ୱାଭାବିକ କରିବାପାଇଁ ଆନ୍ଧ୍ର ଉପରେ ଓଡିଶା ବହୁ ପରିମାଣରେ ନିର୍ଭର କରୁଥିଲା । ଏବେ କିନ୍ତୁ ସ୍ଥିତି ବଦଳି ଯାଇଛି । ଅନ୍ୟ ରାଜ୍ୟରେ ଘଟୁଥିବା ପ୍ରାକୃତିକ ଦୁର୍ବିପାକ ସମୟରେ ଉଦ୍ଧାର କାର୍ଯ୍ୟରେ ଓଡିଶାର ଓଡ୍ରାଫ ଓ ଅନ୍ୟ ସରକାରୀ ସଂସ୍ଥାମାନେ ବେଶ୍‍ ପ୍ରଶଂସନୀୟ କାର୍ଯ୍ୟ କରୁଛନ୍ତି ।

ସମୁଦ୍ରରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ ଅବପାତର ରୂପ ନେଇପାରେ ବୋଲି ପାଣିପାଗ ବିଜ୍ଞାନୀମାନେ ମତବ୍ୟକ୍ତ କରୁଥିବା ପରିପ୍ରେକ୍ଷୀରେ ଓଡିଶା ସରକାର ମଧ୍ୟ ‘ଜିରୋ କାଜୁଆଲିଟି’ ନୀତି ଆଧାରରେ କ୍ଷେତ୍ର ଅଧିକାରୀମାନଙ୍କୁ ସତର୍କ କରାଉଛନ୍ତି । ସୃଷ୍ଟି ହେବାକୁ ଯାଉଥିବା ଅବପାତ ଯଦି ଘୂର୍ଣ୍ଣିବଳୟର ରୂପ ନିଏ ତେବେ ତାହା ସମୁଦ୍ରପଥରେ ବଙ୍ଗଳାଦେଶ ଆଡକୁ ମୁହାଁଇବା ସମ୍ଭାବନା ଅଧିକ ରହିଥିଲେ ବି ଓଡିଶା ପ୍ରତି ଚଳିତ ସପ୍ତାହରେ ବାତ୍ୟାର ଭୟ ନାହିଁ ବୋଲି ନିର୍ଦ୍ଦିଷ୍ଟ ଭାବେ କୁହାଯାଇ ପାରୁନାହିଁ । (ତଥ୍ୟ)