ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ଦିନ ରାତି ଏକ କରିଦେଇଥିବାବେଳେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ କିନ୍ତୁ ୨୨ ତାରିଖ ଦିନ ରାଜଧାନୀରେ ଏକ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରିବା ସହିତ ଏଥିରେ ଯୋଗ ଦେବାପାଇଁ ୨ଶହରୁ ଅଧିକ ଅଧିକାରୀଙ୍କୁ ଆମନ୍ତ୍ରଣ କରିଛି । ଏଥିରେ ଯୋଗ ଦେବାପାଇଁ ବିଏମସି, ସିଏମ୍ସି, ୱାଟକୋ, ହାଉସିଂବୋର୍ଡ, ବିଡିଏ, ସିଡିଏ, କ୍ରୁଟ୍, ଭୁବନେଶ୍ୱର ମେଟ୍ରୋ ରେଲ ନିଗମ ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିମନ୍ତ୍ରଣ କରାଯାଇଛି ।
ଗୋଟିଏ ବେସରକାରୀ ସଂସ୍ଥା ସହଯୋଗରେ ରାଜଧାୀନୀର ଏକ ତାରକା ହୋଟେଲରେ ଆସନ୍ତା ୨୨ ତାରିଖ ଦିନ ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ଏହି ତାଲିମ କାର୍ଯ୍ୟକ୍ରମ ଆୟୋଜନ ହେବ ବୋଲି ବିଭାଗର ସ୍ୱତନ୍ତ୍ର ସଚିବ ସାଗରିକା ପଟ୍ଟନାୟକ ସମସ୍ତଙ୍କୁ ପତ୍ର ଲେଖିଛନ୍ତି । ଏହି ତାଲିମ କାର୍ଯ୍ୟକ୍ରମରେ ଅଧିକାରୀମାନଙ୍କୁ ନେତୃତ୍ୱ, ଯୋଗାଯୋଗ ଓ କାର୍ଯ୍ୟକ୍ରମରେ ଯୌନ ନିର୍ଯ୍ୟାତନାକୁ ପ୍ରତିରୋଧ କରାଯିବା ଆଦି ସଂକ୍ରାନ୍ତରେ ତାଲିମ ଦିଆଯିବ ।
ଉଲ୍ଲେଖନୀୟ ଯେ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇ ଓଡିଶା ଉପକୂଳ ମୁହାଁ ହୋଇଥିବାବେଳେ ଏହା ବାତ୍ୟାରେ ପରିଣତ ହେବ ଏବଂ ଆସନ୍ତା ୨୩ ତାରିଖରେ ଓଡିଶା ଉପକୂଳର କୌଣସି ସ୍ଥାନରେ ସ୍ଥଳଭାଗ ଛୁଇଁବା ନେଇ ଆକଳନ କରାଯାଉଛି । ଏଭଳି ସୂଚନା ପାଇବାପରେ ରାଜ୍ୟ ପ୍ରଶାସନ ଏବେ ବାତ୍ୟା ମୁକାବିଲା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବା ସହିତ ପ୍ରଶାସନକୁ ସଜାଗ କରିବାରେ ଲାଗିଛନ୍ତି ।
ସମ୍ଭାବ୍ୟ ବାତ୍ୟା ଓ ଏହାର ପ୍ରଭାବରେ ବଡ ବର୍ଷା ଆସୁଥିବାରୁ ରାଜ୍ୟର ପୌର ପ୍ରଶାସନଗୁଡିକ ମଧ୍ୟ ଏ ଦିଗରେ ସଜାଗ ରହିବାକୁ କୁହାଗଲାଣି । ଭୁବନେଶ୍ୱର ମହାନଗର ନିଗମରେ ବଡ ବର୍ଷା ସମୟରେ କିଭଳି ଅବସ୍ଥା ସୃଷ୍ଟିହୁଏ ତାହା ସମସ୍ତେ ଦେଖିଛନ୍ତି । କଟକରେ ମଧ୍ୟ ଅସରାଏ ବର୍ଷା ବନ୍ୟା ସ୍ଥିତିର ମୁକାବିଲା କରିବାକୁ ପଡେ । ଆସୁଥିବା ଅବପାତ ପ୍ରଭାବରେ ବାତ୍ୟା ନହେଲେ ବି ଉପକୂଳରେ ବଡ ବର୍ଷା ହେବା ଏକ ପ୍ରକାର ନିଶ୍ଚିତ ।
ଇତି ମଧ୍ୟରେ ଭାରତୀୟ ପାଣିପାଗ ବିଭାଗ ଅବପାତର ଅପଡେଟ୍ ଜାରି କରୁଥିବାବେଳେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏଭଳି ସ୍ଥିତିରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଘରୋଇ ସଂସ୍ଥା ସହଯୋଗରେ ତାରକା ହୋଟେଲରେ ଏଭଳି କର୍ମଶାଳାର ଆୟୋଜନ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି କର୍ମଶାଳାକୁ ଓଡିଶା ଓଡିଶା ଅର୍ବାନ ଏକାଡେମୀ ଏବଂ ସମ୍ପୃକ୍ତ ବେସରକାରୀ ଅନୁଷ୍ଠାନ ମିଳିତ ଭାବେ ଆୟୋଜନ କରିଥିବାବେଳେ ଏଥିରେ ଯୋଗଦେବାକୁ ଥିବା ଅଧିକାରୀମାନଙ୍କୁ ସେମାନଙ୍କ ନିଜ ନିଜ ସଂସ୍ଥା ଦକ୍ଷତା ବିକାଶ ପାଣ୍ଠିରୁ ଅର୍ଥକୁ ଟିଏ ଡିଏ ଆକାରରେ ଦେବାକୁ ପରାମର୍ଶ ଦିଆଯାଇଛି । (ତଥ୍ୟ)
 
            
