Home General ବାତ୍ୟା ପ୍ରବଣ ଜିଲ୍ଲା ବାଲେଶ୍ୱର

ବାତ୍ୟା ପ୍ରବଣ ଜିଲ୍ଲା ବାଲେଶ୍ୱର

ଭୁବନେଶ୍ୱର : ଉପକୂଳ ମୁହାଁ ହେଉଥିବା ବାତ୍ୟା ‘ୟସ’ ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ କ୍ଷୟକ୍ଷତି କରିବାର ପୂର୍ବାନୁମାନ କରାଯାଉଥିବାବେଳେ ବାଲେଶ୍ୱର ଯେ ବାତ୍ୟାପ୍ରବଣ ଜିଲ୍ଲା ତାହା ପୁଣିଥରେ ପ୍ରମାଣିତ ହେବାକୁ ଯାଉଛି । ୧୯୯୯ ର ମହାବାତ୍ୟା ଏବଂ ଏହାପରେ ଓଡିଶାକୁ ଯେତେ ବାତ୍ୟା ଆସିଛି କେବଳ ୨୦୧୪ର ହୁଡ୍‍ ହୁଡ୍‍କୁ ବାଦ୍‍ ଦେଲେ ଅନ୍ୟ ସବୁଥିରେ ବାଲେଶ୍ୱର ଜିଲ୍ଲା ଅଳ୍ପେ ବହୁତେ କ୍ଷତିଗ୍ରସ୍ତ ହୋଇଛି ।

୧୯୯୯ ମସିହାରେ ଆସିଥିବା ଉପକୂଳର ସବୁଠାରୁ ବଡ ବାତ୍ୟା ‘ମହାବାତ୍ୟା’ । ଏଥିରେ ୧୨ଟି ଜିଲ୍ଲା ଓ ୯୭ଟି ବ୍ଲକ ପ୍ରଭାବିତ ହୋଇଥିବାବେଳେ ବାଲେଶ୍ୱର ବି ସାମିଲ ଥିଲା । ମହାବାତ୍ୟାରେ ୧୫,୬୭୬ଟି ଗ୍ରାମ, ୨୮ଟି ପୌରାଞ୍ଚଳ ଓ ୪୨୭ଟି ୱାର୍ଡ କ୍ଷତିଗ୍ରସ୍ତ ହୋଇଥିବାବେଳେ ଏକ କୋଟି ୨୫ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିଲେ । ମହାବାତ୍ୟାର ପ୍ରକୋପ ଯଦିଓ ବାଲେଶ୍ୱରକୁ କମ୍‍ ରହିଥିଲା ତଥାପି ଏଥିରେ ଜିଲ୍ଲାର ପୌରାଞ୍ଚଳକୁ ନେଇ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ବହୁ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିଲା ।

ଏହାପରେ ୨୦୧୩ରେ ଆସିଥିଲା ଫାଇଲିନ୍‍ । ଅକ୍ଟୋବର ମାସରେ ଆସିଥିବା ଏହି ବାତ୍ୟାରେ ୧୮ଟି ଜିଲ୍ଲା ପ୍ରଭାବିତ ହୋଇଥିବାବେଳେ ଏଥିରେ ବି ବାଲେଶ୍ୱର କ୍ଷତିଗ୍ରସ୍ତ ହୋଇଥିଲା । ଫାଇଲିନ୍‍ ମାଡରେ ୧୭୧ ବ୍ଲକ ୪୪ ପୌରଂସସ୍ଥା ଓ ୧୮ହଜାରର ଅଧିକ ଗାଁ କ୍ଷତିଗ୍ରସ୍ତ ହୋଇଥିଲା । ୨୦୧୪ରେ ଆସିଥିବା ହୁଡ୍‍ ହୁଡ୍‍ରେ ୧୫ଟି ଜିଲ୍ଲା କ୍ଷତିଗ୍ରସ୍ତ ହୋଇଥିବାବେଳେ ଏଥିରେ କିନ୍ତୁ ବାଲେଶ୍ୱରର ନାଁ ନଥିଲା । ୨୦୧୮ରେ ଆସିଥିବା ତିତିଲିରେ ୧୭ଟି ଜିଲ୍ଲା ପ୍ରଭାବିତ ହୋଇଥିବାବେଳେ ଏଥିରେ ବି ବାଲେଶ୍ୱର ଥିଲା । ଏହି ବାତ୍ୟା ରାୟଗଡା, ଗଜପତି ଠାରୁ ଆରମ୍ଭ କରି ବାଲେଶ୍ୱର ପର୍ଯ୍ୟନ୍ତ କ୍ଷୟକ୍ଷତି ଘଟାଇଥିଲା । ଏହି ବାତ୍ୟାରେ ସର୍ବାଧିକ ୭୨ଜଣ ମୃତ୍ୟୁବରଣ କରିଥିଲେ ।

୨୦୧୯ ରେ ଆସିଥିବା ଫନିରେ ବି ବାଲେଶ୍ୱର କ୍ଷତିଗ୍ରସ୍ତ ହୋଇଥିଲା । ଫନି ବାତ୍ୟାରେ ମୋଟ୍‍ ୧୪ଟି ଜିଲ୍ଲା ପ୍ରଭାବିତ ହୋଇଥିବାବେଳେ ଏହା ୧୫୯ ଟି ବ୍ଲକ, ୨୦ହଜାରରୁ ଅଧିକ ଗାଁ ଓ ୫୧ଟି ପୌର ସ୍ଥଂସ୍ଥାରେ କ୍ଷୟକ୍ଷତି ଘଟାଇଥିଲା । ସେହିବର୍ଷ ଆସିଥିବା ବାତ୍ୟା ବୁଲ୍‍ ବୁଲ୍‍ ବି ବାଲେଶ୍ୱରରେ କ୍ଷୟକ୍ଷତି ଘଟାଇଥିଲା ।

ଗତବର୍ଷ ଆସିଥିବା ସାମୁଦ୍ରିକ ବାତ୍ୟା ଅମ୍ଫାନ ଓଡିଶା ପଶ୍ଚିମବଙ୍ଗ ସୀମାରେ ତାଣ୍ଡବ ରଚିଥିବାବେଳେ ଏଥିରେ ବାଲେଶ୍ୱର ବିଶେଷଭାବେ ପ୍ରଭାବିତ ହୋଇଥିଲା । ଏହି ବାତ୍ୟା ରାଜ୍ୟର ୧୦ଟି ଜିଲ୍ଲାରେ ପ୍ରଭାବ ପକାଇଥିବାବେଳେ ୯୭ଟି ବ୍ଲକ, ପ୍ରାୟ ୧୦ହଜାର ଗାଁ ଓ ୨୨ଟି ପୌର ସଂସ୍ଥାରେ ଅଳ୍ପେ ବହୁତେ କ୍ଷତି ଘଟାଇଥିଲା ।

ମୋଟାମୋଟି ଭାବେ ଓଡିଶା ଉପକୂଳରେ ଯେତେ ଛୋଟ ବଡ ବାତ୍ୟା ଆସୁଛି ତାହା ବାଲେଶ୍ୱର ଉପରେ ପ୍ରଭାବ ପକାଉଛି । ଅଧିକାଂଶ ବାତ୍ୟା ବାଲେଶ୍ୱର ଓ ପଶ୍ଚିବଙ୍ଗ ସୀମାରେ ବ୍ୟାପକ କ୍ଷୟକ୍ଷତି ଘଟାଇ ସୁନ୍ଦରବନ ଓ ବଙ୍ଗଳାଦେଶ ଆଡେ ମୁହାଁଉଥିବା ଲକ୍ଷ୍ୟ କରାଯାଉଛି । ଚଳିତବର୍ଷର ପ୍ରଥମ ବାତ୍ୟା ‘ୟସ’ ଏବେ ବାଲେଶ୍ୱର ଆଡକୁ ମାଡି ଆସୁଥିବାବେଳେ ଏଥିପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସବୁ ପ୍ରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାରେ ଲାଗିଛନ୍ତି । (ତଥ୍ୟ)