Home General ବାତ୍ୟା ପାଇଁ ପୁରୁଣା ସାମଗ୍ରୀ ବିକ୍ରି

ବାତ୍ୟା ପାଇଁ ପୁରୁଣା ସାମଗ୍ରୀ ବିକ୍ରି

ଭୁବନେଶ୍ୱର : ବାତ୍ୟା ଖବର ପ୍ରଚାରିତ ହେବାପରେ ଲୋକେ ଏବେ ଦୋକାନରୁ ଖାଦ୍ୟ ସାମଗ୍ରୀ ବୋହିବାରେ ଲାଗିଛନ୍ତି । ଚୂଡା, ଗୁଡ ଠାରୁ ଆରମ୍ଭକରି ଅନ୍ୟାନ୍ୟ ଶୁଖିଲାଖାଦ୍ୟ ଏପରିକି ମସଲା ଆଦି ନେଇ ଯାଉଛନ୍ତି । ପ୍ରତିଯୋଗିତା ଭିତରେ ଏହିସବୁ ସାମଗ୍ରୀ ଖରିଦ ହେଉଥିବାରୁ ଅନେକ ବ୍ୟବସାୟୀ ଦୋକାନରେ ମହଜୁଦ ଥିବା ପୁରୁଣା ସାମଗ୍ରୀକୁ ଏହି ମଉକାରେ ଖସାଇ ଦେଉଥିବା ଜଣାଯାଇଛି ।

ବାତ୍ୟା ଦାନା ଓଡିଶା ମୁହାଁ ହେବାନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ଲୋକେ ଏବେ ହାଟ ବଜାରରୁ ସାମଗ୍ରୀ ବୋହିବାରେ ଲାଗିଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀ ସହିତ ଦୁଇ ତିନି ମାସ ପାଇଁ ଘରସଉଦା ବି ବୋହି ନେଉଛନ୍ତି । ଏଥିପାଇଁ ଦୋକାନରେ ଅସମ୍ଭବ ଭିଡ ଲାଗି ରହିଛି । ଅବସ୍ଥା ଏଭଳି ହୋଇଛି ଯେ ନେଉଥିବା ସାମଗ୍ରୀର ବ୍ୟବହାର ଅବଧି କେବେ ସରିବ ତାକୁ ପରଖିବାକୁ ଲୋକଙ୍କ ନିକଟରେ ସମୟ ନାହିଁ । ଦୋକାନୀକୁ ସିଧା ଚିଠା ଧରାଉଛନ୍ତି ଓ ବସ୍ତାରେ ସାମଗ୍ରୀ ଧରି ଧାଉଁଛନ୍ତି ।

ଲୋକେ ସାଧାରଣତଃ ଦୋକାନରୁ ଚୁଡା, ଚିନି, ଗୁଡ, ବିସ୍କୁଟ, ସୁଜି, ଅଟା, ଲୁଣ, ଡାଲି ଆଦି ବୋହିବାରେ ଲାଗିଛନ୍ତି । ପ୍ରଶାସନ ଯେତେ ବୁଝାଇଲେ ବି ଲୋକେ ବୁଝିବାକୁ ନାରାଜ । ଜଣକୁ ଦେଖି ଅନ୍ୟଜଣେ ସାମଗ୍ରୀ ବୋହି ଚାଲିଥିବାବେଳେ ସେମାନେ ନେଉଥିବା ସାମଗ୍ରୀର ମାନ କ’ଣ ରହିଛି ତାହାକୁ ବି ପରଖୁ ନାହାନ୍ତି । ଏପରିକି ଘରକୁ ନେଉଥିବା ବିସ୍କୁଟ, ସୁଜି, ମସଲାଗୁଣ୍ଡ ଉପରେ ଲେଖାଥିବା ବ୍ୟବହାର ଅବଧିକୁ ମଧ୍ୟ ପଢୁ ନାହାନ୍ତି ।

ବ୍ୟବସାୟୀମାନଙ୍କ ପାଇଁ ବାତ୍ୟା ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରୁଥିବାରୁ ସେମାନେ ଗ୍ରାହକଙ୍କ ମୁହଁକୁ ବି ଅନାଉ ନାହାନ୍ତି । ବରାଦ ମୁତାବକ ସାମଗ୍ରୀ ଯୋଗାଣ କରୁଛନ୍ତି । ଅବସ୍ଥା ଏଭଳି ହୋଇଛି ଯେ କିଛି ବ୍ୟବସାୟୀ ଅଧିକ ସାମଗ୍ରୀ ବିକ୍ରି ପାଇଁ ଲୋକଙ୍କୁ ବାତ୍ୟାର ଭୟ ଓ ସାମଗ୍ରୀ ସରିଯିବାର ଡର ଦେଖାଉଛନ୍ତି ।

ପ୍ରଶାସନର ସମସ୍ତ ପ୍ରକାର ବୁଝାସୁଝା ପରେ ବି ଲୋକେ ଘରକୁ ବୋହି ନେଇ ଯାଉଥିବା ଚୁଡା ଭଲ କି ପିତା ତାହାକୁ ଲୋକେ ପରଖୁ ନାହାନ୍ତି । ଅଟା ର ଅବସ୍ଥା ବି ସେଇଆ । ଏହି ଦୁଇ ସାମଗ୍ରୀ ବର୍ଷାଋତୁରେ କିଛିଦିନ ଗୋଦାମରେ ରହିଲେ ଖରାପ ହୋଇଥାଏ । ତେଣୁ ତାକୁ ପରଖିକି ଘରକୁ ନେବାକଥା । ଲୋକେ ତାହା କରୁନଥିବାବେଳେ ବେପାରୀମାନେ ବି ମଉକା ଦେଖି ପୁରୁଣା ସାମଗ୍ରୀ ବିକ୍ରିକରି ଦେଉଛନ୍ତି । ବାତ୍ୟା ପରେ ଆଉ ସାମଗ୍ରୀ ଫେରସ୍ତର ବ୍ୟବସ୍ଥା ନଥିବା କିଛି ବ୍ୟବସାୟୀ ରୋକଠୋକ୍‍ ଭାବେ ବୁଝାଇ ଦେଉଛନ୍ତି ।

ତେବେ ହାଟ ଓ ବଜାରରେ ଲୋକେ ଏଭଳି ହାଉଜାଉ ହୋଇ ସାମଗ୍ରୀ କିଣୁଥିବାବେଳେ ଯୋଗାଣ ବିଭାଗ କିମ୍ବା ଖାଦ୍ୟ ସୁରକ୍ଷା ଅଧିକାରୀ କାହାରି ହେଲେ ଦେଖାଦର୍ଶନ ନାହିଁ । ମାପ ଓଜନ ବିଭାଗର ଅଧିକାରୀ ବି ଚଢଉ କରିବାର ଦେଖାଯାଉ ନାହିଁ । ଫଳରେ ବାତ୍ୟା ଏବେ ବ୍ୟବସାୟୀଙ୍କ ପାଇଁ ଧନ ବର୍ଷା କରିବାରେ ଲାଗିଥିବାବେଳେ ବର୍ଷା ଓ ବାତ୍ୟା ଆଶଙ୍କାରେ ଲୋକେ ଗୁଡିଏ ଅନାବଶ୍ୟକ ଓ ଖାଦ୍ୟ ଅନୁପଯୋଗୀ ସାମଗ୍ରୀ ଘରକୁ ବୋହି ନେଉଥିବା ଦେଖିବାକୁ ମିଳୁଛି । (ତଥ୍ୟ)