Home News in Odia ବାତ୍ୟା ଦୁର୍ଦ୍ଦଶାକୁ ବଳିଯାଉଛି ଅସରାଏ ବର୍ଷା

ବାତ୍ୟା ଦୁର୍ଦ୍ଦଶାକୁ ବଳିଯାଉଛି ଅସରାଏ ବର୍ଷା

ଭୁବନେଶ୍ୱର : ମହାବାତ୍ୟା, ଫନି, ହୁଡହୁଡ୍‍, ପାଇଲିନ୍‍ ଭଳି ପ୍ରଳୟଙ୍କରୀ ଝଡବାତ୍ୟା ସମୟରେ ରାଜଧାନୀର ଯେଉଁ ଅଞ୍ଚଳରେ ପାଣି ଜମୁନଥିଲା ଏବେ ସେଠାରେ ଅସରାଏ ବର୍ଷାରେ ଆଣ୍ଠୁଏ ପାଣି ଜମୁଛି । କେବଳ ସେତିକି ନୁହେଁ, ରାସ୍ତା ପାଣି ବି ଅନେକ ଘରେ ପଶୁଛି । ଏଥିପାଇଁ ଲୋକେ ପୂର୍ତ୍ତ ଓ ନଗର ଉନ୍ନୟନ ବିଭାଗକୁ ସିଧାସଳଖ ଭାବେ ଦାୟୀ କରୁଛନ୍ତି ।

ରାଜଧାନୀର ନିଳାଦ୍ରୀବିହାର, ଲୁମ୍ବିନୀବିହାର, ମଙ୍ଗଳାବସ୍ତି ଅଞ୍ଚଳରେ ଲୋକେ ବର୍ଷାକୁ ଦେଖିଲେ ଡରୁଛନ୍ତି । ଗୋଟିଏ ପଟେ ଆବାସିକ ଅଞ୍ଚଳରେ ନିରାପତ୍ତା ବ୍ୟବସ୍ଥା ପ୍ରତି ଧ୍ୟାନ ନଦେଇ ମହାନଗର ନିଗମ ଓ ବିଡିଏ କର୍ତ୍ତୃପକ୍ଷ ଛୋଟ ଛୋଟ ପ୍ଲଟରେ ବଡ ବଡ ଆପାର୍ଟମେଣ୍ଟ ପାଇଁ ନକ୍ସା ଅନୁମୋଦନ କରୁଥିବାବେଳେ ଅନ୍ୟପଟେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବ ଲୋକଙ୍କୁ ବାସଗୃହ ଯୋଗାଇବାପାଇଁ ପାହାଡ ଫଟାଇ ପ୍ରାକୃତିକ ଜଙ୍ଗଲ ନଷ୍ଟକରି ବୁଦ୍ଧଜୟନ୍ତୀ ପାର୍କର ଉପର ମୁଣ୍ଡରେ ସହସ୍ରାଧିକ ଫ୍ଲାଟ୍‍ ନିର୍ମାଣ କରାଯାଇଛି ।

ପୂର୍ବରୁ ଏହି ବର୍ଷା ସମୟରେ ଏହି ପାହାଡର ପାଣି ଚାରିଆଡକୁ ବାଣ୍ଟିହୋଇ ଯାଉଥିଲା ଏବଂ ତଳମୁଣ୍ଡରେ ଥିବା ଏକ ଝରଣାରେ ତାହା ମିଶିବା ଫଳରେ ଜଳବନ୍ଦୀ ସମସ୍ୟା ଉପୁଜୁନଥିଲା । ଏବେ ପାହାଡ ଉପରେ ସହସ୍ରାଧିକ ଲୋକଙ୍କ ପାଇଁ ଆବାସ ଯୋଜନାରେ ଘର ତିଆରି କରାଇବା ସହିତ ସେଠାରୁ ପାଣି କିଭଳି ଖଲାସ ହେବ ତାହାର ବ୍ୟବସ୍ଥା ନକରି ଲୁମ୍ବିନୀ ବିହାର ଓ ନିଳାଦ୍ରୀବିହାର ପଟକୁ ଦୁଇଟି ଚଉଡା ଗଡାଣିଆ ରାସ୍ତା ପାହାଡ ଉପରୁ ନିର୍ମାଣ କରାଯାଇଛି । ଫଳରେ ଅସରାଏ ବର୍ଷା ହେଲେ ଏହି ଗଡାଣିଆ ରାସ୍ତାରେ ପ୍ରବଳ ସୁଅରେ ଟେକାପଥର ବି ଭାସିଆସୁଛି ।

ସିଧାସଳଖ ଭାବେ ଏହି ଆବାସ ବସ୍ତି ଅଞ୍ଚଳର ପାଣି ଗୋଟିଏ ରାସ୍ତା ଦେଇ ଲୁମ୍ବିନୀବିହାରକୁ ଉବୁଟୁବୁ କରି ତାହାର ତଳ ଅଞ୍ଚଳରେ ଥିବା ଆଦର୍ଶ ମଙ୍ଗଳାବସ୍ତିରେ ପଶୁଛି । ସେଠାରେ ବସ୍ତିବାସିନ୍ଦାଙ୍କ ଘରେ ପାଣି ପଶି କଢେଇ, ହାଣ୍ଡି, ବାସନକୁସନ, ବିଛଣା ସମେତ ସବୁ ସାମଗ୍ରୀ ଭାସୁଛି । ଏମିତିକି ଡାଲି, ଚାଉଳ ପରିବା ଆଦି ମଧ୍ୟ ନଷ୍ଟହୋଇ ଯାଉଛି ।

ସେହିପରି ବୁଦ୍ଧପାର୍କ କଡ ଦେଇ ପାହାଡ ଉପରୁ ଅନ୍ୟ ଯେଉଁ ରାସ୍ତାଟି ଆସିଛି ସେଥିରେ ବି ପ୍ରବଳ ସୁଅ ହେଉଥିବାରୁ ନିଳାଦ୍ରୀବିହାର ଜିଏ ପ୍ଲଟ ଅଞ୍ଚଳର ରାସ୍ତାଘାଟ ଉବୁଟୁବୁ ହେବା ସହିତ ସେଠାରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ କୃତ୍ରିମ ହ୍ରଦର ଭ୍ରମ ସୃଷ୍ଟି ହେଉଛି । ଏହି ଅଞ୍ଚଳରେ ଠିକଣା ଭାବେ ଡ୍ରେନେଜ କାମ କରାଯାଇନଥିବା ଏବଂ ଆଉ କେତେକ ସ୍ଥାନରେ ଜାଣିଶୁଣି ଡ୍ରେନେଜ ନିର୍ମାଣ କରାଯାଇ ନଥିବାରୁ ସମସ୍ୟା ବଢି ଚାଲୁଛି । ଏହାଛଡା ପାହାଡ ଉପରୁ ଗଡୁଥିବା ପାଣିକୁ ସ୍ୱତନ୍ତ୍ର ଡ୍ରେନରେ ତଳମୁଣ୍ଡରେ ଝରଣାରୁ ପାଲଟିଥିବା ନାଳରେ ଛଡାନଯିବା ଫଳରେ ସମସ୍ୟା ବଢୁଛି ।

ଏ କଥା ପୂର୍ତ୍ତ ବିଭାଗ ସମେତ ବିଏମସି ଓ ବିଡିଏର କ୍ଷେତ୍ର ଅଧିକାରୀମାନେ ଦେଖୁଥିଲେ ବି ନିରବ ରହୁଥିବାରୁ ଲୋକେ ନାହିଁ ନଥିବା ହୀନସ୍ତା ଭୋଗୁଛନ୍ତି । ଏମିତିକି ନିଜେ ପୂର୍ତ୍ତମନ୍ତ୍ରୀ ଏହି ଅଞ୍ଚଳରେ ପ୍ରାୟ ୫୦୦ ଫୁଟର ଏକ ଡ୍ରେନେଜ ନିର୍ମାଣ ପାଇଁ ପ୍ରାୟ ୮ମାସ ତଳୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ କହିଥିଲେ ବି ଏଯାବତ୍‍ କାମ ଆରମ୍ଭ ହେଉନାହିଁ । ତେଣେ ଯେଉଁମାନଙ୍କ ଲାଗି ଆବାସ ଯୋଜନାରେ ପାହାଡ ଉପରେ ଓ ନିଳମାଧବ ନିବାସରେ ବହୁତଳ ବିଶିଷ୍ଟ ଆପାର୍ଟମେଣ୍ଟମାନ ନିର୍ମାଣ କରାଯାଇଛି ସେମାନଙ୍କ ଘରେ ଅସରାଏ ବର୍ଷାରେ କାନ୍ଥ ଭିଜି ପାଣିପଶୁଛି । ନିମ୍ନମାନର କାମ ଯୋଗୁଁ ଏଭଳି ଘଟୁଥିବା ସମସ୍ତେ ସ୍ୱୀକାର କରୁଥିବାବେଳେ ତାହାର ପ୍ରତିକାର ମଧ୍ୟ କରାଯାଇ ପାରୁନାହିଁ । ଖୋଦ ରାଜଧାନୀରେ ଏଭଳି ସ୍ଥିତି ଥିବାବେଳେ ଉପାନ୍ତ ଅଞ୍ଚଳରେ ଲୋକେ କିଭଳି କଲବଲ ହେଉଥିବେ ତାହା ସହଜରେ ଅନୁମେୟ । (ତଥ୍ୟ)