Home News in Odia ବାଚସ୍ପତି, ମନ୍ତ୍ରୀ ପାଇଁ ବଢୁଛି ଆଶାୟୀଙ୍କ ସଂଖ୍ୟା

ବାଚସ୍ପତି, ମନ୍ତ୍ରୀ ପାଇଁ ବଢୁଛି ଆଶାୟୀଙ୍କ ସଂଖ୍ୟା

ଭୁବନେଶ୍ୱର : ବାଚସ୍ପତି ପଦରୁ ବିକ୍ରମ କେଶରୀ ଆରୁଖ ଓ ମନ୍ତ୍ରୀ ପଦରୁ ରୋହିତ ପୂଜାରୀ ଯିବା ପରେ ଏ ଦୁଇଜଣଙ୍କ ସ୍ଥାନରେ ନିଯୁକ୍ତି ପାଇଁ ବିଜୁ ଜନତା ଦଳର ବହୁ ନେତା ଆଶାୟୀ ।

ପଶ୍ଚିମଓଡିଶାର ଟାଣୁଆ ସଂଗଠକ ନବ କିଶୋର ଦାସଙ୍କ ହତ୍ୟାକାଣ୍ଡ ପରେ ଅନ୍ୟଜଣେ ସଂଗଠନ ସାରଦା ପ୍ରସାଦ ନାୟକଙ୍କୁ ରାଜ୍ୟ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିଛି । ତେବେ ରୋହିତ ପୂଜାରୀଙ୍କୁ ମନ୍ତ୍ରୀମଣ୍ଡଳରୁ ଅପସାରଣ କରାଯିବା ପରେ ପଶ୍ଚିମଓଡିଶାର ଅନ୍ୟଜଣେ ଟାଣୁଆ ନେତାଙ୍କୁ ଏହି ଦାୟିତ୍ୱ ମିଳିପାରେ ବୋଲି ଅବିଭକ୍ତ ସମ୍ବଲପୁର, ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାର ନେତାମାନେ ଆଶା ରଖିବା ସ୍ୱଭାବିକ ।

ପୂର୍ବରୁ ମନ୍ତ୍ରୀମଣ୍ଡଳରୁ ପଶ୍ଚିମଓଡିଶାର ଅନ୍ୟ ଦୁଇଜଣ ଟାଣୁଆ ନେତା ସୁଶାନ୍ତ ସିଂହ ଓ ଦିବ୍ୟ ଶଙ୍କର ମିଶ୍ର ଓହାରି ଯାଇ ସାଂଗଠନିକ କାମରେ ଅଧିକ ସମୟ ଦେଉଛନ୍ତି । ପଶ୍ଚିମଓଡିଶାର ସମସ୍ତ ଲୋକସଭା ଆସନ ୨୦୧୯ରେ ବିଜେପି ପୋଛି ନେଇଥିବାବେଳେ ଏଥର ଯେଭଳି ଗୋଟିଏ ହେଲେ ଆସନ ବିଜେପି ଖାତାକୁ ନଯାଏ ତାହାକୁ ଦୃଷ୍ଟିରେ ରଖି ବିଜେଡି ଜୋରଦାର କସରତ ଚଳାଇଛି । ଏହାର ଫଳ ସ୍ୱରୂପ ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡି ବେଶ୍‍ ସଫଳତା ସାଉଁଟୁଛି । ଆଗକୁ ବିଧାନସଭା ଓ ଲୋକସଭା ନିର୍ବାଚନ ଥିବା ଦୃଷ୍ଟିରୁ ରୋହିତ ପୂଜାରୀଙ୍କ ସ୍ଥାନରେ ପଶ୍ଚିମଓଡିଶାରୁ ଜଣେ କିମ୍ବା ଦୁଇଜଣ ନେତାଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇପାରେ ।

ଏଠାରେ ଉଲ୍ଲେଖନୀୟ ଯେ ଅତୀତରେ ସମୀର ଦାସ ଓ ଶ୍ରୀକାନ୍ତ ସାହୁ ମନ୍ତ୍ରୀ ପରିଷଦରୁ ଇସ୍ତଫା ଦେବାପରେ ସେମାନଙ୍କ ବିଭାଗ ରାଜସ୍ୱମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଦିଆଯାଇଥିଲା । ସେହିଭଳି ନବ କିଶୋର ଦାସଙ୍କ ହତ୍ୟାକାଣ୍ଡ ପରେ ତାଙ୍କ ବିଭାଗ ସେତେବେଳର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ପାଖରେ ରଖାଯାଇଥିଲା । ବାଚସ୍ପତି ପଦରୁ ଇସ୍ତଫା ଦେଇଥିବା ବିକ୍ରମ କେଶରୀ ଆରୁଖ ଇତି ମଧ୍ୟରେ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି । ସେହିଭଳି ସୁଦାମ ମାର୍ଣ୍ଡି ଓ ସାରଦା ପ୍ରସାଦ ନାୟକ ମନ୍ତ୍ରୀମଣ୍ଡଳରେ ଯୋଗ ଦେବାପରେ ପ୍ରମିଳା ମଲ୍ଲିକଙ୍କ ପାଖରେ ଥିବା ଅତିରିକ୍ତ ବିଭାଗ ସେମାନଙ୍କ ପାଖକୁ ଯାଇଛି ।

ସୂର୍ଯ୍ୟ ନାରାୟଣ ପାତ୍ର ବାଚସ୍ପତି ପଦରୁ ଇସ୍ତଫା ଦେବାପରେ ବିକ୍ରମ କେଶରୀ ଆରୁଖ ବର୍ଷାଧିକାଳ ଧରି ବାଚସ୍ପତି ପଦବୀରେ ରହିଥିଲେ । ଏବେ ସେ ଇସ୍ତଫା ଦେଇ ପୁଣି ମନ୍ତ୍ରୀମଣ୍ଡଳରେ ସାମିଲ ହେବା ଫଳରେ ବାଚସ୍ପତି ପଦବୀଟି ଖାଲି ପଡିଛି । ବିଧାନସଭାର ଆଗାମୀ ଅଧିବେଶନ କାଳରେ କିମ୍ବା ତାହା ପୂର୍ବରୁ ସ୍ୱତନ୍ତ୍ର ଅଧିବେଶନରେ ନୂଆ ବାଚସ୍ପତି ନିର୍ବାଚିତ ହେବାର ସମ୍ଭାବନା ଥିବାରୁ ବିଜେଡିର ବହୁ ପୁରୁଖା ବିଧାୟକ ଏହି ଆସନରେ ବସିବାପାଇଁ ଅପେକ୍ଷାରେ ଅଛନ୍ତି ।

ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଓ ବିଭାଗ ଅଦଳ ବଦଳ ହେଲେ ପୁଣି କିଏ ନୂଆ ସ୍ଥାନ ପାଇବେ, କିଏ ବଦଳିବେ ଏବଂ କାହାର କେଉଁ ବିଭାଗ ରହିବ ସେଥିଘେନି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ଭାବେ ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାଧିନ ବ୍ୟାପାର । ସେ ଚାହିଁଲେ ଯେକୌଣସି ସମୟରେ ମନ୍ତ୍ରୀମଣ୍ଡଳର ଅଦଳ ବଦଳ ଓ ସମ୍ପ୍ରସାରଣ କରିପାରନ୍ତି । ତେବେ ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ଏ ଦିଗରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ମାପି ଚୁପି ନିଷ୍ପତ୍ତି ନେଇପାରନ୍ତି । (ତଥ୍ୟ)