ଭୁବନେଶ୍ୱର : ବିଏମସି ଅଞ୍ଚଳରେ ହୋର୍ଡିଂ ମାରିବା ପାଇଁ ଅନୁମତି ପାଇଥିବା ସଂସ୍ଥା ବକେୟା ରାଶି ପୈଠ କରି ନଥିବାରୁ ସେମାନଙ୍କର ସମସ୍ତ ହୋର୍ଡିଂ କାଢିଦେବା ପାଇଁ ବିଏମସିର ୩୭ତମ ସାଧାରଣ ପରିଷଦ ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ହୋଇଛି । ଆସନ୍ତା ୨ ତାରିଖରୁ ଏହି ଅଭିଯାନ ଆରମ୍ଭ ହେବାକୁ ସ୍ଥିର ହୋଇଛି ।
ସହରରେ ଥିବା ସମସ୍ତ ଟଏଲେଟ୍ (ଲୁ)ର ପରିଚାଳନା ତଥା ନବିକରଣ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ସେହିପରି ପୂର୍ବରୁ ଜନପଥରେ ଲାଗିଥିବା ହୋଡିଂରୁ ଯେଉଁ ଆୟହେଉଥିଲା ତାହା ସ୍ମାର୍ଟ ସିଟିକୁ ଯାଉଥିଲା । ମାତ୍ର ଏବେଠାରୁ ସେ ସବୁ ବିଏମ୍ ସିକୁ ଆସିବ । ୫୦୦୦ ବର୍ଗଫୁଟ ରୁ ଅଧିକ ସ୍ଥାନରେ କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଏନ୍ ଓ ସି ଅନୁମୋଦନ କରିବା ପୂର୍ବରୁ ତାହା ପ୍ଲାନିଂ ଷ୍ଟାଣ୍ଡିଂ କମିଟି କୁ ଅବଗତ କରିବା ପାଇଁ ନିଷ୍ପତ୍ତି ହୋଇଛି ।
ନିୟମ ଉଲ୍ଲଘଂନ କରି ବହୁତଳ ଆପାର୍ଟମେଣ୍ଟ ନିର୍ମାଣ କଲେ, ସେମାନଙ୍କଠାରୁ ଜୋରିମାନା ଆଦାୟ ହେବ କିମ୍ବା କାର୍ଯ୍ୟ ବନ୍ଦ କରିଦିଆଯିବା ନେଇ ଗୃହରେ ଆଲୋଚନା ହୋଇଥିଲା । ସମସ୍ତ ବ୍ୟବସାୟୀଙ୍କଠାରୁ ଯଥୋଚିତ ୟୁଜର୍ସ ଫି ଆଦାୟ କରାଯିବା ନେଇ ଆଲୋଚନା ହୋଇଥିଲା ।
ମେୟର ଶ୍ରୀମତୀ ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କହଁର, କମିଶନର ଶ୍ରୀ ଚଞ୍ଚଳ ରାଣା, ସିଟି ଇଂଜିନିୟର ଶ୍ରୀ ନାରଦ ଚନ୍ଦ୍ର ରଥ, ଅତିରିକ୍ତ କମିଶନର ଶ୍ରୀ ରତ୍ନାକର ସାହୁ, ଶ୍ରୀମତୀ ସସ୍ମିତା ସାହୁ ଓ ଶ୍ରୀ କୈଳାସ ଚନ୍ଦ୍ର ଦାସ, ମୁଖ୍ୟ ବିତ୍ତ ଅଧିକାରୀ ଶ୍ରୀ ଦୀପକ ରଂଜନ ବେହେରା ମଞ୍ଚାସୀନ ଥିଲେ ।
ପଥ ଉତ୍ସବକୁ ଚଳିତ ବର୍ଷ ସ୍ୱତନ୍ତ୍ର ଭାବେ କରିବା ଏବଂ ଏଥିପାଇଁ ସମସ୍ତ କର୍ପୋରେଟର ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ କମିଶନର । କେବଳ ସେତିକି ନୂହେଁ ନୂଆ ବର୍ଷରେ କିଛି ନୂଆ ଆଶା ଓ କିଛି ନୂଆ କାର୍ଯ୍ୟ କରିବା ପାଇଁ କମିଶନର ସମସ୍ତଙ୍କୁ ଆହ୍ୱାନ ଦେବା ସହ ବିଏମ୍ ସିକୁ ଦେଶର ସ୍ୱଚ୍ଛ ସହର ତାଲିକାର ପ୍ରଥମ ତିନୋଟି ସ୍ଥାନ ମଧ୍ୟରେ ରଖିବା ପାଇଁ କର୍ପୋରେଟରମାନଙ୍କର ସହାୟତା କାମନା କରିଛନ୍ତି । ଏହା ସହ ଟିଟିଏସ୍, ବାୟୋ ମାଇନିଂ, ଦୟା ଓ୍ୱେଷ୍ଟ ସହ ଅନେକ ବଡ ବଡ ପ୍ରକଳ୍ପ କାମ କରିବାକୁ ରହିଛି ବୋଲି ସେ କହିଥିଲେ ।
ଭୁବନେଶ୍ୱର ମହାନଗର ନିଗମକୁ ଦେଶର ସ୍ୱଚ୍ଛ ତାଲିକାର ତିନି ନମ୍ବର ଭିତରେ ରଖିବାକୁ ହେଲେ ସମସ୍ତ କର୍ପୋରେଟର ଓ ବିଏମ୍ ସି ଅଧିକାରୀ, କର୍ମଚାରୀଙ୍କର ମିଳିତ ପ୍ରୟାସ ଦରକାର । ନୂଆ ବର୍ଷରେ ସେଥିପାଇଁ ସମସ୍ତେ ଆଗେଇ ଆସିବାକୁ ପ୍ରାରମ୍ଭିକ ଅଭିଭାଷଣରେ ମେୟର ଆହ୍ୱାନ ଦେଇଥିଲେ । ସମସ୍ତଙ୍କୁ ନବ ବର୍ଷ ୨୦୨୬ର ଅଭିନନ୍ଦନ ଜଣାଇବା ସହ ନୂଆ ବର୍ଷ ନୂତନ ଆଶା ଓ ଉଦ୍ଧିପନା ନେଇ ଆସୁଛି । ଗତବର୍ଷ ହୋଇଥିବା ବିଭିନ୍ନ ପ୍ରକଳ୍ପ ସଂପର୍କରେ ସମ୍ୟକ ସୂଚନା ଦେବା ସହ ଆଗାମୀ ଦିନରେ ଅନେକ କାର୍ଯ୍ୟ କରିବାର ଅଛି । ସଂପ୍ରତି ଆଉ ୨୪ଟି ଓ୍ୱାର୍ଡରେ ଓ୍ୱାର୍ଡ ଅଫିସ ହୋଇନଥିବା, ବର୍ଷା ଦିନ ପୂର୍ବରୁ ସମସ୍ତ ରାସ୍ତାଘାଟ ମରାମତି ତଥା ନୂତନ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ କରିବା, ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରିବା ଆଦି ସଂପର୍କରେ ସୂଚନା ଦେଇଥିଲେ ।

