Home Agriculture ବାକିଆ ଅର୍ଥ ପାଇଁ କେନ୍ଦ୍ରକୁ ଚିଠି

ବାକିଆ ଅର୍ଥ ପାଇଁ କେନ୍ଦ୍ରକୁ ଚିଠି

ଭୁବନେଶ୍ୱର : ଧାନକିଣା ବାବଦରେ କେନ୍ଦ୍ର ସରକାରଙ୍କ ଠାରୁ ପାଇବାକୁଥିବା ୫୬୧୬ କୋଟି ଟଙ୍କାର ବକେୟା ସବ୍‌ସିଡି ଅର୍ଥ ତୁରନ୍ତ ପ୍ରଦାନ ଲାଗି କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ଶ୍ରୀ ପିୟୁଷ ଗୋୟଲଙ୍କୁ ପତ୍ର ଲେଖିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

ଶ୍ରୀ ସ୍ୱାଇଁ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଠିକ୍‌ ସମୟରେ ମିଳୁ ନଥିବାରୁ ରାଜ୍ୟରେ ଧାନ ସଂଗ୍ରହ କରୁଥିବା ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ଘୋର ଆର୍ଥିକ ସଙ୍କଟରେ ସମ୍ମୁଖୀନ ହୋଇଛି । ଅଦ୍ୟାବଧି ଯୋଗାଣ ନିଗମକୁ ଧାନ ସଂଗ୍ରହ ନିମନ୍ତେ ବିଭିନ୍ନ ବ୍ୟାଙ୍କରୁ ପ୍ରାୟ ୧୯ ହଜାର କୋଟି ଟଙ୍କା ଋଣ କରିବାକୁ ପଡ଼ିଛି ।

କଷ୍ଟମ ମିଲିଂ ଚାଉଳ ଯୋଗାଣ ବାବଦରେ ଓଡ଼ିଶାରେ ୩୦ ଲକ୍ଷ ମେଟି୍ରକ୍‌ ଟନ୍‌ ବଳକା ଚାଉଳର ଆକଳନ ରହିଛି ଯାହାକି ଭାରତୀୟ ଖାଦ୍ୟ ନିଗମ ଦ୍ୱାରା ଚଳିତ ଖରିଫ୍‌ ବିପଣନ ଋତୁରେ ରାଜ୍ୟରୁ ଉଠାଣ କରିବାର ଆବଶ୍ୟକତା ରହିଛି । ମାତ୍ର ଭାରତୀୟ ଖାଦ୍ୟ ନିଗମ ଅଦ୍ୟାବଧି ମାତ୍ର ୬.୮୦ ଲକ୍ଷ ମେଟି୍ରକ୍‌ ଟନ୍‌ ଚାଉଳ ଉଠାଣ କରିଛି ।

ଚଳିତ ମାସ ନିମନ୍ତେ ଏଫ୍‌ସିଆଇ ଓଡ଼ିଶା ରିଜିଅନ୍‌ର, ରାଜ୍ୟରୁ ବହୁ କମ୍‌ ପରିମାଣର ଚାଉଳ ଉଠାଣର ବ୍ୟବସ୍ଥା ରହିଛି । ଯେଉଁ ହାରରେ ରାଜ୍ୟରୁ ଚାଉଳ ଉଠାଣ ହେଉଛି, ସେଥିରେ ଧାର୍ଯ୍ୟ କରାଯାଇଥିବା ସମୟସୀମା ମଧ୍ୟରେ ଆଶା କରାଯାଉଥିବା ଚାଉଳ ଉଠାଣ କରିବା ଅତ୍ୟନ୍ତ କଷ୍ଟକର ହେବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପତ୍ରରେ ଉଲ୍ଲେଖ କରିଛନ୍ତି ।

ଠିକ୍‌ ସମୟରେ ଚାଉଳ ଉଠାଣ ନ ହେବା ଫଳରେ ରାଜ୍ୟର ଚାଉଳ ଗୋଦାମର କ୍ଷମତା ଉପରେ ଗମ୍ଭୀର ପ୍ରଭାବ ପଡ଼ିବ ଏବଂ କଷ୍ଟମ ମିଲରମାନଙ୍କ ଠାରୁ ଠିକ୍‌ ସମୟରେ ଚାଉଳ ପାଇବାରେ ବାଧା ସୃଷ୍ଟି ହେବ । ପ୍ରକାରାନ୍ତରେ ଏହା ଚଳିତ ରବି ଋତୁରେ ଏବଂ ପରବର୍ତ୍ତୀ ଖରିଫ୍‌ ଋତୁରେ ରାଜ୍ୟରେ ସୁରୁଖୁରରେ ଧାନ ସଂଗ୍ରହ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପତ୍ରରେ ଉଲ୍ଲେଖ କରିଛନ୍ତି ।

ତେଣୁ କେନ୍ଦ୍ର ମନ୍ତ୍ରୀ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଉପରୋକ୍ତ ସମସ୍ୟାର ଆଶୁ ସମାଧାନ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଅନୁରୋଧ କରିଛନ୍ତି ଯେପରି ରାଜ୍ୟରେ ଧାନ ସଂଗ୍ରହ କାର୍ଯ୍ୟ ସୁରୁଖୁରୁରେ ହୋଇପାରିବ ।