Home General ବାଉଁଶ ଖର୍ଚ୍ଚ ୨୧ ଲକ୍ଷ ୯୦ହଜାର

ବାଉଁଶ ଖର୍ଚ୍ଚ ୨୧ ଲକ୍ଷ ୯୦ହଜାର

ଭୁବନେଶ୍ୱର : କରୋନା ମହାମାରୀ ସମୟରେ କଣ୍ଟେନମେଣ୍ଟ ଜୋନ୍‍ ପାଇଁ ୬୩,୫୨୬ ଖଣ୍ଡ ବାଉଁଶ ବ୍ୟବହାର କରାଯାଇଥିଲା । ଏହିସବୁ ବାଉଁଶରେ ୪୦୬ଟି ସ୍ଥାନରେ କଣ୍ଟେନ୍‍ମେଣ୍ଟ ଜୋନ୍‍ ହୋଇଥିବା ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ସୂଚନା ଦେଇଛନ୍ତି ।

ବିଧାୟକ ଭବାନୀ ଶଙ୍କର ଭୋଇ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ମଲ୍ଲିକ କହିଛନ୍ତି ଯେ ବ୍ୟବହାର ହୋଇଥିବା ବାଉଁଶ ମଧ୍ୟରୁ ଅଧିକାଂଶ ଭଡ଼ା ସୂତ୍ରରେ ଅଣାଯାଇଥିଲା । ଏଥିପାଇଁ ମୋଟ୍‍ ୯୧ଲକ୍ଷ ୬୯ହଜାର ଟଙ୍କାର ବ୍ୟୟ ଅଟକଳ କରାଯାଇଥିବା ବେଳେ ୨୧ଲକ୍ଷ ୯୦ହଜାର ଟଙ୍କା ଖର୍ଚ୍ଚ ହୋଇଛି ।

ସେହିଭଳି ବାହାର ରାଜ୍ୟରୁ ଫେରିଥିବା ଶ୍ରମିକମାନଙ୍କ ପାଇଁ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକରେ କ୍ୱାରେଣ୍ଟାଇନ୍‍ କେନ୍ଦ୍ର ହୋଇଥିଲା । ୬୦ଟି କେନ୍ଦ୍ରର ମରାମତି, ରଙ୍ଗଦେବା ଓ ଉନ୍ନତିକରଣ ପାଇଁ ମୋଟ୍‍ ୧୩ କୋଟି ୪୪ ଲକ୍ଷ ୬୧ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ।