Home General  ଚିହ୍ନଟ ହେବେ ବାଂଲାଦେଶୀ

 ଚିହ୍ନଟ ହେବେ ବାଂଲାଦେଶୀ

ଭୁବନେଶ୍ୱର: ବାଂଲାଦେଶରେ ରାଜନୈତିକ ଅସ୍ଥିରତା ପରିପ୍ରେକ୍ଷୀରେ ବିଜେପି ସରକାର ସମସ୍ତ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କୁ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି।

ବିଜେପି ବିଧାୟକ ଭାସ୍କର ମାଢେଇଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଶ୍ରୀ ମାଝୀ କହିଛନ୍ତି ଯେ, ବିଭିନ୍ନ ସ୍ଥାନରେ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ପାଇଁ ତହସିଲ, ବ୍ଲକ ଓ ଥାନା ଅଧିକାରୀଙ୍କୁ ନେଇ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ବିଧାନସଭାରେ ଅନ୍ୟ ଏକ ବିବୃତ୍ତିରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ୨୦୨୧ ମସିହା ସୁଦ୍ଧା ରାଜ୍ୟରେ ମୋଟ ୩୭୪୦ ବାଂଲାଦେଶୀ ଅନୁପ୍ରବେଶକାରୀ ବେଆଇନ ଭାବେ ରହୁଥିଲେ।

ସେଥିମଧ୍ୟରୁ କେନ୍ଦ୍ରାପଡ଼ା ଜିଲ୍ଲାରେ ୧୬୪୯, ଜଗତସିଂହପୁରରେ ୧୧୧୨, ମାଲକାନଗିରିରେ ୬୫୫, ଭଦ୍ରକରେ ୧୯୯, ନବରଙ୍ଗପୁରରେ ୧୦୬, ଖୋର୍ଦ୍ଧା ଜିଲ୍ଲାରେ ଭୁବନେଶ୍ୱରରେ ୧୭ ଓ ବରଗଡ଼ ଜିଲ୍ଲାରେ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେମାନଙ୍କୁ ନିଜ ଦେଶକୁ ପଠାଇବା ପ୍ରସ୍ତାବ ସରକାରଙ୍କ ବିଚାରାଧୀନ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ବିଜେଡି ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ମାଝୀ କହିଛନ୍ତି ଯେ ବାଂଲାଦେଶର ସାମ୍ପ୍ରତିକ ରାଜନୈତିକ ଅସ୍ଥିରତା ପରିପ୍ରେକ୍ଷୀରେ ନିୟମିତ ବ୍ୟବଧାନରେ ପାଟ୍ରୋଲିଂ କରି ସାମୁଦ୍ରିକ ସୀମା ଅଞ୍ଚଳ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସାମୁଦ୍ରିକ ଥାନାର କର୍ମଚାରୀଙ୍କ ସହ ତଟରକ୍ଷୀ ବାହିନୀ ଏବଂ ମତ୍ସ୍ୟ ବିଭାଗର ଅଧିକାରୀମାନେ ସମୁଦ୍ର ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।

ଭାରତୀୟ ଓ ବିଦେଶୀ ନାଗରିକଙ୍କୁ ଚିହ୍ନଟ କରିବା ପାଇଁ ଗୃହ ମନ୍ତ୍ରଣାଳୟ ଦ୍ୱାରା ପ୍ରଦାନ କରାଯାଇଥିବା ଜାତୀୟ ଜନସଂଖ୍ୟା ରେଜିଷ୍ଟର କାର୍ଡ ରିଡର ମେସିନ୍ ବ୍ୟବହାର କରାଯାଉଛି।

ଏହାବ୍ୟତୀତ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ ସମସ୍ତ ଉପକୂଳବର୍ତ୍ତୀ ଜିଲ୍ଲାର ଏସପିମାନଙ୍କୁ ସତର୍କ ରହିବା ସହ ଜଳପଥରେ ପାଟ୍ରୋଲିଂ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ରାଜ୍ୟରେ ମୋଟ ୧୮ଟି ସାମୁଦ୍ରିକ ଥାନା କାର୍ଯ୍ୟ କରୁଥିବା ବେଳେ କେନ୍ଦ୍ରୀୟ ଯୋଜନାରେ ପୁଲିସକୁ ୧୫ଟି ହାଇସ୍ପିଡ୍ ଇଣ୍ଟରସେପ୍ଟର ବୋଟ୍ ଯୋଗାଇ ଦିଆଯାଇଛି।

ଉପକୂଳବର୍ତ୍ତୀ ଅଞ୍ଚଳରେ ପାଟ୍ରୋଲିଂ ପାଇଁ ଅତ୍ୟାଧୁନିକ ଉପକରଣ ସହ କାର୍ ଓ ଦୁଇ ଚକିଆ ଯାନର ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ମାଝୀ କହିଛନ୍ତି।

ପ୍ରତ୍ୟେକ ସାମୁଦ୍ରିକ ଥାନାକୁ ବର୍ଷକୁ ଅତି କମରେ ୧୮୦୦ ଘଣ୍ଟା ସମୁଦ୍ରରେ ପାଟ୍ରୋଲିଂ କରିବାକୁ କୁହାଯାଇଛି। ୨୦୨୩ମସିହାରେ ପ୍ରତ୍ୟେକ ସାମୁଦ୍ରିକ ଥାନା ୨୩୯୫ ଘଣ୍ଟା ଧରି ସମୁଦ୍ର ପାଟ୍ରୋଲିଂ କରିଥିଲା।