ଭୁବନେଶ୍ୱର : ଅଧିକ ଉପାର୍ଜନ କରୁଥିବା ବ୍ୟକ୍ତି ବିଶେଷଙ୍କ ରାସନକାର୍ଡ କାଟିବାପାଇଁ ସରକାରଙ୍କ ପକ୍ଷରୁ ଯେଉଁ ଘୋଷଣା କରାଯାଇଛି ତାହା କାର୍ଯ୍ୟକାରୀ କରାଗଲେ ସଂଖ୍ୟାଧିକ ଶ୍ରମିକ ମାଗଣା ଚାଉଳ ପାଇବାରୁ ବଞ୍ଚିତ ହେବେ ଏବଂ ଏଥିଯୋଗୁଁ ସେମାନଙ୍କୁ ବିଏସକେୱାଇ ସମେତ ଅନ୍ୟାନ୍ୟ ସୁବିଧା ସୁଯୋଗ ମଧ୍ୟ ହରାଇବାକୁ ପଡିପାରେ ବୋଲି ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଅଭିଯୋଗ ହେଉଛି ।
ଏଠାରେ ଉଲ୍ଲେଖନୀୟ ଯେ ଗ୍ରାମାଞ୍ଚଳରେ ଯେଉଁମାନଙ୍କ ମାସିକ ହାରାହାରି ଆୟ ୧୦,୦୦୦ ଟଙ୍କା ଓ ସହରାଞ୍ଚଳରେ ୧୫,୦୦୦ ଟଙ୍କାରୁ ଅଧିକ ସେମାନେ ସ୍ୱେଚ୍ଛାକୃତ ଭାବେ ରାସନକାର୍ଡ ଫେରାଇ ଦେବାପାଇଁ ନିକଟରେ ଖାଦ୍ୟ ଓ ଯୋଗାଣମନ୍ତ୍ରୀ ବିବୃତ୍ତି ଜାରି କରିଛନ୍ତି । ଏହା କରାନଗଲେ ବିଧି ବ୍ୟବସ୍ଥା ଅନୁଯାୟୀ ରାସନକାର୍ଡ ତାଲିକାରୁ ସେମାନଙ୍କ ନାମ କାଟି ଦିଆଯିବ ବୋଲି ମଧ୍ୟ ଚେତାବାନୀ ଦିଆଯାଇଛି ।
ରାଜ୍ୟ ସରକାର ଗତ ମାର୍ଚ୍ଚ ୧୩ତାରିଖ ଓ ପରବର୍ତ୍ତୀ ସମୟରେ ଜୁଲାଇ ୧୦ତାରିଖରେ ଯେଉଁ ନିଷ୍ପତ୍ତି ନେଇଛନ୍ତି ତଦନୁଯାୟୀ ଅଣକୁଶଳୀ ଶ୍ରମିକମାନଙ୍କ ସର୍ବନିମ୍ନ ଦୈନିକ ମଜୁରୀ ୪୫୦ ଟଙ୍କା ଧାର୍ଯ୍ୟ କରାଯାଇଥିବାବେଳେ ଅର୍ଦ୍ଧକୁଶଳୀ ଶ୍ରମିକଙ୍କର ଦୈନିକ ୫୦୦ଟଙ୍କା, କୁଶଳୀ ଶ୍ରମିକଙ୍କର ୫୫୦ ଟଙ୍କା ଓ ଅତି କୁଶଳୀ ଶ୍ରମିକମାନଙ୍କ ପାଇଁ ୬୦୦ ଟଙ୍କା କରି ଧାର୍ଯ୍ୟ କରାଯାଇଛି । ଏହି ହାରରେ ଜଣେ ଜଣେ ଶ୍ରମିକ ଯଦି ମାସ ସାରା କାମ ପାଆନ୍ତି ତେବେ ଅଣକୁଶଳୀଙ୍କ ଠାରୁ ଅତି କୁଶଳୀଙ୍କ ପର୍ଯ୍ୟନ୍ତ ବିଭିନ୍ନ ବର୍ଗର ଶ୍ରମିକମାନଙ୍କ ମାସିକ ଆୟ ପରିମାଣ ୧୦ହଜାର ଟଙ୍କାରୁ ଅଧିକ କରି ରହିବ । ଏମିତିକି କ୍ଷେତ୍ର ବିଶେଷରେ ଏହା ୧୫ ରୁ ୧୮ହଜାର ଟଙ୍କ ପର୍ଯ୍ୟନ୍ତ ହେବ ।
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ପଡିକାର୍ଡ ଉପଭୋକ୍ତାଙ୍କ ପାଇଁ ଯେଉଁ ମାସିକ ଆୟ ସୀମା ଧାର୍ଯ୍ୟ କରିଛନ୍ତି ସେହି ଭିତ୍ତିରେ ଯଦି ରାସନକାର୍ଡରୁ ହିତାଧିକାରୀମାନଙ୍କ ନାମ କଟାଯାଏ ତେବେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ କାମଧନ୍ଦା କରି କଷ୍ଟେ ମଷ୍ଟେ ଚଳୁଥିବା ଲକ୍ଷ ଲକ୍ଷ ଶ୍ରମିକଙ୍କ ନାମ ରାସନକାର୍ଡରୁ କଟିଯିବ । ଫଳରେ ସେମାନେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଓ ରାଜ୍ୟ ସରକାରଙ୍କ ଖାଦ୍ୟ ନିରାପତ୍ତା ଯୋଜନାରେ ଆଉ ମୁଣ୍ଡପିଛା ମାସିକ ୫ କିଲୋ କରି ମାଗଣା ଚାଉଳ ପାଇପାରିବେ ନାହିଁ ।
ଅବଶ୍ୟ ରାଜ୍ୟରେ ଅନେକ ସରକାରୀ କର୍ମଚାରୀ ଓ ଧନିକ ଶ୍ରେଣୀର ଲୋକେ ଗରିବ ଲୋକଙ୍କ ଖାଦ୍ୟ ନିରାପତ୍ତା ପାଇଁ ଯୋଗାଯାଉଥିବା ମାଗଣା ଚାଉଳ ହଡପ କରୁଥିବାର ଅନେକ ପ୍ରମାଣ ରାଜ୍ୟ ସରକାରଙ୍କ ନଜରକୁ ଆସିଛି । ରାସନକାର୍ଡର ଇ-କେୱାଇସି ତନଖିବେଳେ ଏଭଳି ଅନେକ ଘଟଣା ଧରାପଡୁଛି । ଏ ପରିପ୍ରେକ୍ଷୀରେ ବେଆଇନ୍ ଭାବେ ମାଗଣା ଚାଉଳ ଉଠାଉଥିବା ସରକାରୀ କର୍ମଚାରୀମାନେ ନିଜଆଡୁ ରାସନକାର୍ଡ ଫେରସ୍ତ କରିବାପାଇଁ ମଧ୍ୟ ତାଗିଦ ହେଉଛି । ସେହିଭଳି ଯେଉଁ ଧନି ଲୋକମାନେ ଏହି ଚାଉଳ ଉଠାଉଛନ୍ତି ସେମାନଙ୍କୁ ମଧ୍ୟ ବାରମ୍ବାର ତାଗିଦ କରାଯାଉଛି ।
କେନ୍ଦ୍ର ସରକାର ପ୍ରଣୟନ କରିଥିବା ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ରେ ବେଆଇନ୍ ଓ ଜାଲ୍ ହିତାଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଥିବାବେଳେ ସେ ଦିଗରେ ବିଶେଷ କାର୍ଯ୍ୟାନୁଷ୍ଠାନ ହେଉନାହିଁ । କେବଳ ମାଗଣା ଚାଉଳ କାହିଁକି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଆବାସ ଯୋଜନା ଓ ସାମାଜିକ ସୁରକ୍ଷା ଯୋଜନାରେ ଦେଉଥିବା ଭତ୍ତା ଓ ଆର୍ଥିକ ପ୍ରୋତ୍ସାହନ ମଧ୍ୟ ଅନେକ ଅଯୋଗ୍ୟ ବ୍ୟକ୍ତି ବର୍ଷ ବର୍ଷ ଧରି ହାତେଇଛନ୍ତି । ଏମିତିକି ମୃତ ବ୍ୟକ୍ତିଙ୍କ ନାମରେ ମଧ୍ୟରେ ଏହି ସୁବିଧା ହଡପ କରାଯାଉଥିବାର ବହୁ ନଜିର ରହିଛି । (ତଥ୍ୟ)