Home General ବହୁ ତଳ ପାର୍କିଂରେ ଗାଡି ରଖୁନାହାନ୍ତି

ବହୁ ତଳ ପାର୍କିଂରେ ଗାଡି ରଖୁନାହାନ୍ତି

ଭୁବନେଶ୍ୱର : ସ୍ମାର୍ଟ ସିଟି ଅର୍ଥରେ ରାଜଧାନୀରେ ନିର୍ମାଣ ହୋଇଛି ଦୁଇ ଦୁଇଟି ବହୁତଳ ପାର୍କିଂ ସୌଧ । ଏଠାରେ ଏକାଧିକ ଦୁଇ ଓ ଚାରିଚକିଆ ଯାନ ସହଜରେ ପାର୍କିଂ ହୋଇପାରିବ । ସହରର ପାର୍କିଂ ଭିଡକୁ ହ୍ରାସ କରିବାପାଇଁ କର୍ତ୍ତୃପକ୍ଷ କରିଥିବା ଏହି ବହୁତଳ ପାର୍କିଂ ସ୍ଥାନକୁ କିନ୍ତୁ ଲୋକେ ନିଜ ନିଜ ଗାଡି ନେଇ ଯାଉନାହାନ୍ତି । ଫଳରେ ଏହାର ଆଖପାଖ ରାସ୍ତାଉପରେ ଗାଡିମୋଟର ପୂର୍ବରୁ ଯେମିତି ରାସ୍ତା ଅବରୋଧ କରୁଥିଲା ଏବେ ବି ସେହିଭଳି ଅବସ୍ଥା ।

ରାଜଧାନୀରେ ବୃଦ୍ଧି ପାଉଥିବା ଗାଡିମୋଟର ସଂଖ୍ୟାକୁ ଦୃଷ୍ଟିରେ ରଖି ସ୍ମାର୍ଟ ସିଟି କର୍ତ୍ତୃପକ୍ଷ ଶହୀଦନଗର ଓ ଦୁଇ ନମ୍ବର ମାର୍କେଟ ବିଲ୍ଡିଂ ଅଞ୍ଚଳରେ ଦୁଇ ଦୁଇଟି ବହୁତଳ ପାର୍କିଂ କୋଠା ନିର୍ମାଣ ହୋଇଛି । ତେବେ ଏହା ନିର୍ମାଣ ପରଠାରୁ ଏଠାରେ ଲୋକେ ଗାଡିମୋଟର ପାର୍କିଂ ପାଇଁ ରାଜି ହେଉନାହାନ୍ତି । ଏଠାରେ ଘଣ୍ଟା ପ୍ରତି ଚଢା ଦରରେ ପାର୍କିଂ ଫି ଆଦାୟ ଯୋଗୁଁ ଲୋକେ ନିଜ ନିଜ ଯାନକୁ ଆଖପାଖରେ ଥିବା ଗଳିକନ୍ଦିରେ ରଖିଦେଉଛନ୍ତି ।

ତେବେ ଯେଉଁମାନେ ପୂର୍ବଭଳି ରାସ୍ତାଉପରେ ଗାଡିମୋଟର ରଖୁଛନ୍ତି କମିଶନରେଟ ପୁଲିସ୍‍ ଦ୍ୱାରା ନିୟୋଜିତ ଘରୋଇ ସଂସ୍ଥା ସେମାନଙ୍କ ଗାଡିକୁ ଉଠାଇ ନେଉଛନ୍ତି । ଏଠାରୁ ଉଠାଇ ନିଆଯାଉଥିବା ଚାରିଚକିଆ ଯାନପାଇଁ ମାଲିକମାନେ ୧୨୦୦ ଟଙ୍କାର ତଣ୍ଡ ଗଣୁଥିବାବେଳେ ରାଜକୋଷକୁ ମାତ୍ର ୫୦୦ ଟଙ୍କା ଯାଉଛି । ତେବେ ବହୁତଳ ପାର୍କିଂ ଆଖପାଖରେ ରାସ୍ତାଉପରେ ଗାଡିମୋଟର ରଖାଇ ଦିଆଯାଉନଥିଲେ ମଧ୍ୟ ଲୋକେ କିନ୍ତୁ ପାର୍କିଂ ସୌଧରେ ଗାଡି ରଖିବାକୁ ମଙ୍ଗୁ ନାହାନ୍ତି । ଫଳରେ ବଜାର ଆଖପାଖ ଗଳି ରାସ୍ତା ଏବେ ଗାଡି ମୋଟରରେ ଭର୍ତ୍ତି ହୋଇଯାଉଛି ।

ସେହିଭଳି ଶହୀଦନଗର ଅଞ୍ଚଳରେ ଥିବା ବହୁତଳ ପାର୍କିଂ କୋଠା ଫାଙ୍କା ପଡୁଛି । ଲୋକେ ସେଠାରେ ଗାଡିମୋଟର ରଖି ଆଖପାଖରେ ଥିବା ବିଭିନ୍ନ ମଲ୍‍ ଓ ଦୋକାନକୁ ଯିବାକୁ ଚାଲି ଚାଲି ଯିବାକୁ ରାଜି ହେଉନାହାନ୍ତି । ବିଏମ୍‍ସି କର୍ତ୍ତୃପକ୍ଷ ଜନପଥ ଉପରେ ଗାଡିମୋଟରରୁ ପାର୍କିଂ ଫି ଆଦାୟ କରୁଥିବାରୁ ଲୋକେ ବହୁତଳ ପାର୍କିଂରେ ଗାଡି ରଖିବା ବଦଳରେ ରାସ୍ତାଉପରେ ଗାଡି ରଖି ଦେଉଛନ୍ତି ।

ଗୋଟିଏ ପଟେ ବହୁତଳ ପାର୍କିଂରେ ଗାଡିମୋଟର ରହୁନଥିବାବେଳେ ସହରର ରାସ୍ତାଘାଟ ଏବେ ଗାଡିମୋଟରରେ ଭର୍ତ୍ତି ହୋଇଯାଉଛି । ଅବସ୍ଥା ଏଭଳି ହୋଇଛି ଯେ ଜନପଥରେ ସତ୍ୟନଗର ଠାରୁ ବାପୁଜୀନଗର ପର୍ଯ୍ୟନ୍ତ ଗାଡି ରଖିବାକୁ ଲୋକେ ନୟାନ୍ତ ହେଉଛନ୍ତି । ଗୋଟିଏ ପଟେ ସ୍ମାର୍ଟସିଟି କର୍ତ୍ତୃପକ୍ଷ ରାସ୍ତାକୁ ସଙ୍କୁଚିତ କରିଦେଇଥିବାବେଳେ ଅନ୍ୟପଟେ ଏହି ରାସ୍ତାପାଶ୍ୱର୍ରେ ଥିବା ବ୍ୟବସାୟୀମାନେ ସକାଳୁ ସକାଳୁ ଆସି ନିଜ ନିଜର ଗାଡିମୋଟର ପାର୍କିଂ ସ୍ଥଳରେ ରଖିଦେଇ ଯାଉଛନ୍ତି । ତେଣୁ ନିଜ ନିଜର ସାମଗ୍ରୀ ଖରିଦ କରିବାକୁ ଯାଉଥିବା ଲୋକେ ଗାଡିମୋଟର ରଖିବାକୁ ସ୍ଥାନ ଟିକେ ପାଉନାହାନ୍ତି ।

ଆଗକୁ ପାର୍ବଣଋତୁ ଆସୁଥିବାବେଳେ ବର୍ତ୍ତମାନ ଠାରୁ ପାର୍କିଂ ବ୍ୟବସ୍ଥା ପ୍ରତି ଦୃଷ୍ଟି ନଦେଲେ ସ୍ଥିତି ବିଗିଡିବାର ସମ୍ଭାବନା ରହିଛି । ବିଶେଷକରି ବହୁ ଅର୍ଥ ବ୍ୟୟରେ ନିର୍ମାଣ ହୋଇଥିବା ବହୁତଳ ପାର୍କିଂ ସୌଧରେ ଲୋକେ ଯେଭଳି ନିଜ ନିଜ ଗାଡିମୋଟର ରଖିବେ ସେ ଦିଗରେ ପ୍ରଶାସନ ପଦକ୍ଷେପ ଗ୍ରହଣ କରିବାକୁ ମତପ୍ରକାଶ ପାଉଛି । (ତଥ୍ୟ)