Home General ବହୁ ତଳ ପାର୍କିଂକୁ ଏବେ ଅର୍ଥ ଚିନ୍ତା

ବହୁ ତଳ ପାର୍କିଂକୁ ଏବେ ଅର୍ଥ ଚିନ୍ତା

ଭୁବନେଶ୍ୱର : ରାଜଧାନୀରେ ପ୍ରତିଷ୍ଠା ହୋଇଥିବା ବହୁ ତଳ କାର ପାର୍କିଂ ସୌଧ ସରକାରଙ୍କ ପାଇଁ ବୋଝ ପାଲଟିଛି । ବହୁତଳ କାର ପାର୍କିଂରେ ଆୟ କମୁଥିବାରୁ ଶହୀଦନଗର ପାର୍କିଂ ସୌଧର ଆଉଗୋଟିଏ ମହଲାକୁ ଭଡାରେ ଲଗାଇବାପାଇଁ କର୍ତ୍ତୃପକ୍ଷ ବିଚାରୁଥିବା ସୂଚନା ମିଳିଛି ।

ଭୁବନେଶ୍ୱର ସ୍ମାର୍ଟସିଟି କର୍ତ୍ତୃପକ୍ଷ ଟ୍ରାଫିକ ବ୍ୟବସ୍ଥାରେ ସୁଧାର ପାଇଁ ସହରରେ ଦୁଇଟି ବହୁ ତଳ କାର ପାର୍କିଂ ନିର୍ମାଣ କରିଥିଲେ । ଗୋଟିଏ ଶହୀଦନଗରରେ ଥିବାବେଳେ ଆଉଗୋଟିଏ ରାଜମହଲ ନିକଟରେ ରହିଛି । ତେବେ ଏହି ପାର୍କିଂସୌଧ ଯେଭଳି ବ୍ୟବହାର ହେବାକଥା ତାହା ହେଉନାହିଁ । ଲୋକେ ଏଠାରେ ଗାଡିମୋଟର ରଖିବା ବଦଳରେ ଆଖପାଖ ଗଳିକନ୍ଦିରେ ରଖି ପଳାଉଛନ୍ତି । ଅବସ୍ଥା ଏଭଳି ହୋଇଛି ଯେ ଏହାର ପରିଚାଳନା ଦାୟିତ୍ୱ ନେବାପାଇଁ କୌଣସି ସଂସ୍ଥା ସେଭଳି ଆଗ୍ରହ ପ୍ରକାଶ କରୁନାହାନ୍ତି ।

ଶହୀଦନଗର ବହୁତଳୀୟ ପାର୍କିଂ ସ୍ଥଳୀରେ ୧୬୯ଟି କାର୍‍ ଓ ୩୯୦ଟି ଦୁଇ ଚକିଆ ଯାନ ପାର୍କିଂର ବ୍ୟବସ୍ଥା ରହିଛି । ଏଠାରେ ଦୁଇଟି ବେସ୍‍ମେଣ୍ଟକୁ ମିଶାଇ ୫ଟି ମହଲା ଥିବାବେଳେ ଏହାର ତିନିଟି ମହଲା ଆଇଟି କମ୍ପାନୀକୁ ଦେଇ ଦିଆଯାଇଛି । ଆଉ ଦୁଇଟିରେ ଗାଡି ମୋଟର ପାର୍କିଂ ହେଉଛି । ତେବେ ସୌଧ ଭଡା ଦିଆଯାଇଥିବାରୁ ପାର୍କିଂ ଓ ଘରଭଡାକୁ ମିଶାଇ କର୍ତ୍ତୃପକ୍ଷ ମାସକୁ ୧୧ଲକ୍ଷ ଟଙ୍କା ଆୟ କରୁଛନ୍ତି ।

ଇତି ମଧ୍ୟରେ ସ୍ମାର୍ଟସିଟି ଅବଧି ସରିଯାଇଥିବାରୁ ଅର୍ଥ ଆଦାୟ ପାଇଁ କର୍ତ୍ତୃପକ୍ଷ ଏହି ପାର୍କିଂ ସୌଧର ଆଉଗୋଟିଏ ମହଲାକୁ ଭଡାରେ ଦେବାକୁ ବିଚାରୁଛନ୍ତି । ଏହା ହେଲେ ମାସକୁ ଆହୁରି ୧୨ଲକ୍ଷ ଟଙ୍କା ଅଧିକ ଆୟ ହୋଇପାରିବ ବୋଲି ଆକଳନ କରାଯାଇଛି । ତେବେ ଏହାର ପ୍ରଭାବ ପାର୍କିଂ ଉପରେ କିଭଳି ପଡିବ ସେ ନେଇ ଆଲୋଚନା ଜାରି ରହିଥିବା ସୂଚନା ମିଳିଛି ।

ସେହିଭଳି ରାଜମହଲ ଅଞ୍ଚଳରେ ଥିବା ପାର୍କିଂ ସ୍ଥଳୀରୁ କର୍ତ୍ତୃପକ୍ଷ ମାସକୁ ୯ଲକ୍ଷ ଟଙ୍କା ଆୟ କରୁଛନ୍ତି । ଏଠାରେ ଯେଉଁ ହାରରେ ଗାଡିମୋଟର ପାର୍କିଂ ହେବାକଥା ତାହା ହେଉନାହିଁ । ଘଣ୍ଟା ହିସାବରେ ଭଡା ଆଦାୟ ହେଉଥିବାରୁ ସ୍ଥାନୀୟ ବ୍ୟବସାୟୀଙ୍କ ଠାରୁ ଆରମ୍ଭକରି ସାଧାରଣ ଲୋକେ ଏଠାରେ ଗାଡିମୋଟର ରଖୁନାହାନ୍ତି । କିଏ ରାସ୍ତା ଉପରେ ରଖିଦେଇ ଯାଉଛି ତ ଆଉ କିଏ ଆଖପାଖରେ ଥିବା ଗଳିକନ୍ଦିରେ ଗାଡିମୋଟର ରଖି ସାମଗ୍ରୀ ଖରିଦ ପାଇଁ ଯାଉଛି । ଏଥିଯୋଗୁଁ ଏବେ ଏଜିରୁ ରାଜମହଲ ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତାରେ ସଂଧ୍ୟା ହେଲେ ଲୋକେ ଯିବାକୁ ଡରିଲେଣି । ଏତିକି ରାସ୍ତା ଅତିକ୍ରମ କରିବାକୁ ଅଧଘଣ୍ଟାରୁ ଅଧିକ ସମୟ ଲାଗିଯାଉଛି ।

ସ୍ମାର୍ଟ ସିଟି ଯୋଜନାରେ ଦୁଇଟି ଯାକ ବହୁତଳ ପାର୍କିଂ ସୌଧ ନିର୍ମାଣ ହୋଇଥିବାବେଳେ ମିଶନ ଅର୍ଥରେ ଏହାର ରକ୍ଷଣା ବେକ୍ଷଣ ହେଉଥିଲା । ବର୍ତ୍ତମାନ ମିଶନ ଅବଧି ସରିଥିବାରୁ ଏହାର ଆୟ ବୃଦ୍ଧି ଉପରେ ଜୋର ଦିଆଯାଉଛି । ଆୟ ବୃଦ୍ଧି ପାଇଁ ଏହି ସୌଧରେ ବିଜ୍ଞାପନ ବୋର୍ଡ ମାରିବାକୁ ଅନୁମତି ଦେବାକୁ ବି ମତପ୍ରକାଶ ପାଉଛି । ତେବେ ଏ ସଂକ୍ରାନ୍ତରେ ଚୂଡାନ୍ତ ନିଷ୍ପତ୍ତି ଖୁବଶୀଘ୍ର ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି । (ତଥ୍ୟ)