ଭୁବନେଶ୍ୱର : ଲୋକଙ୍କ ହାତକୁ କାମ ଦେବାପାଇଁ କେନ୍ଦ୍ର ସରକାର କାର୍ଯ୍ୟକାରୀ କରୁଥିବା ଏମଜି ନରେଗାର ନାମ ପରିବର୍ତ୍ତନ ହେବା ସହିତ ପ୍ରଦାନ କରାଯାଉଥିବା ଶ୍ରମ ଦିବସକୁ କେନ୍ଦ୍ର ସରକାର ୧୦୦ ରୁ ୧୨୫ ଦିନକୁ ବଢାଇଛନ୍ତି ।
ତେବେ ଏମଜିନରେଗା କାର୍ଯ୍ୟକାରୀ ସମୟରେ ଓଡିଶାକୁ ଯେତିକି କାର୍ଯ୍ୟ ଦିବସ ମଞ୍ଜୁର ହୋଇଥିବା ତାହା ପୂରଣ ହୋଇନଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ୨୦୨୪-୨୫ ବର୍ଷରେ ଓଡିଶା ପାଇଁ ୧୫୦୦ ଲକ୍ଷ ଶ୍ରମ ଦିବସ ମଞ୍ଜୁରୀ ହୋଇଥିଲା । ତେବେ ବର୍ଷସାରା ଯେତିକି କାମ ଯୋଗାଇ ଦିଆଯାଇଥିଲା ୧୨୦୦ ଲକ୍ଷ ଶ୍ରମ ଦିବସକୁ ଟପିପାରି ନଥିଲା ।
ଏହି ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲାପାଇଁ ସର୍ବାଧିକ ୨୦୫.୩୭ଲକ୍ଷ ଶ୍ରମ ଦିବସ ମଞ୍ଜୁର ହୋଇଥିବାବେଳେ ଏଥିରୁ ମାତ୍ର ୩୨ ପ୍ରତିଶତ ଲକ୍ଷ୍ୟ ପୂରଣ ହୋଇଥିଲା । ଅର୍ଥାତ୍ ବର୍ଷକରେ ୬୫.୬୫ଲକ୍ଷ ଶ୍ରମ ଦିବସ ଲୋକଙ୍କୁ ଯୋଗାଇ ଦିଆଯାଇଥିଲା । ମୟୁରଭଞ୍ଜ ପାଇଁ ଦ୍ୱିତୀୟ ସର୍ବାଧିକ ୧୨୦.୩୭ଲକ୍ଷ ଶ୍ରମ ଦିବସ ମଞ୍ଜୁର ହୋଇଥିବାବେଳେ ଏଠାରେ କିନ୍ତୁ ୮୬ ପ୍ରତିଶତ ଲକ୍ଷ୍ୟ ପୂରଣ ହୋଇଥିଲା ।
ତେବେ ଦେବଗଡ ଜିଲ୍ଲାରେ ଧାର୍ଯ୍ୟ ଲକ୍ଷ୍ୟର ୧୧୭ ପ୍ରତିଶତ କାର୍ଯ୍ୟ ଯୋଗାଇ ଦିଆଯାଇଥିବାବେଳେ ବୌଦରେ ୧୦୩ ପ୍ରତିଶତ, କନ୍ଧମାଳରେ ୧୧୨ ପ୍ରତିଶତ, ମାଲକାନଗିରିରେ ୧୦୩ ପ୍ରତିଶତ, ନୂଆପଡାରେ ୧୫୦ ପ୍ରତିଶତ ଓ ସୁନ୍ଦରଗଡରେ ୧୦୧ ପ୍ରତିଶତ ପୂରଣ ହୋଇଛି । ଏହିସବୁ ଜିଲ୍ଲାରେ ଆବଶ୍ୟକତା ଅନୁଯାୟୀ ଶ୍ରମିକମାନଙ୍କୁ ଅଧିକ ପରିମାଣରେ କାର୍ଯ୍ୟ ଯୋଗାଇ ଦେବାକୁ ଜିଲ୍ଲା କର୍ତ୍ତୃପକ୍ଷଙ୍କୁ କ୍ଷମତା ଦିଆଯାଇଥିବାରୁ ଏଠାରେ ସଫଳତା ଢେର ଅଧିକ ରହିଛି । ଏହିସବୁ ଜିଲ୍ଲାରେ ବି ଲୋକେ ଅଧିକ ସଂଖ୍ୟାରେ କାମ ଆବଶ୍ୟକ କରିଛନ୍ତି ।
କିନ୍ତୁ ଉପକୂଳବର୍ତ୍ତୀ ଜିଲ୍ଲାରେ ଗୁଡିକରେ ମିଳିଥିବା କାର୍ଯ୍ୟଦିସରୁ ଅତି କମ୍ ପୂରଣ ହୋଇପାରିଛି । କଟକ ଜିଲ୍ଲାରେ ଏହା ମାତ୍ର ୩୪ ପ୍ରତିଶତ ରହିଥିବାବେଳେ ଯାଜପୁରର ୪୬, କେନ୍ଦ୍ରାପଡାରେ ୪୭ ଓ ଭଦ୍ରକରେ ୫୮ ପ୍ରତିଶତ କାର୍ଯ୍ୟଦିବସ ଯୋଗାଇ ଦିଆଯାଇଛି ।
ସେହିଭଳି ଚଳିତ ଆର୍ଥିକ ବର୍ଷରେ ଓଡିଶା ପାଇଁ ୧୨୦୦ ଲକ୍ଷ ଶ୍ରମ ଦିବସ ଯୋଗାଣର ଲକ୍ଷ୍ୟ ଥିବାବେଳେ ବର୍ତ୍ତମାନ ସୁଦ୍ଧା ୮୩୫ଲକ୍ଷ ଶ୍ରମ ଦିବସ କାର୍ଯ୍ୟକାରୀ ହୋଇଛି । ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏଥିରୁ କେତେ କାର୍ଯ୍ୟକାରୀ ହେବ ତାହା ଉପରେ ନଜର ଥିବାବେଳେ ଯୋଜନାର ନାମ ପରିବର୍ତ୍ତନ ହୋଇଯାଇଛି ।
ତେବେ ଏମଜିନରେଗାରେ ଯେଉଁ ହାରରେ ମଜୁରୀ ଧାର୍ଯ୍ୟ କରାଯାଇଛି ଓ କାର୍ଯ୍ୟପାଇଁ ଥିବା ନିୟମାବଳୀ ଯୋଗୁଁ ୁଉପକୂଳ ଜିଲ୍ଲାଗୁଡିକରେ ଏହା ଅଧିକ ସଫଳ ହୋଇପାରୁ ନାହିଁ । କାରଣ ଉପକୁଳବର୍ତ୍ତୀ ଜିଲ୍ଲାରେ ନରେଗା ମଜୁରୀ ତୁଳନାରେ ଗାଁ ଗହଳରେ ସାଧାରଣ ମଜୁରୀ ଢେର ଅଧିକ ରହିଛି । ଏଥି ସହିତ ଗାଁ ଗହଳରେ ଶ୍ରମିକମାନେ ମାଟି ଖୋଳା କାମ କରିବାକୁ ବି ମଙ୍ଗୁ ନାହାନ୍ତି । ଏହାରି ଭିତରେ କେନ୍ଦ୍ର ସରକାର ଯୋଜନାର ନାମ ପରିବର୍ତ୍ତନ ସହିତ ଶ୍ରମଦିବସର ପରିମାଣ ମୁଣ୍ଡପିଛା ବର୍ଷକୁ ୧୦୦ ଦିନରୁ ୧୨୫ ଦିନକୁ ବୃଦ୍ଧି କରିଛନ୍ତି । ଯେଉଁମାନେ କାମ ନପାଇବେ ସେମାନଙ୍କ ପାଇଁ ଭତ୍ତା ବ୍ୟବସ୍ଥା ବି କରିଛନ୍ତି । (ତଥ୍ୟ)

