Home General ବହୁଗୁଣିତ ହେଉଛି ସାଇବର ଆକ୍ରମଣ

ବହୁଗୁଣିତ ହେଉଛି ସାଇବର ଆକ୍ରମଣ

ଭୁବନେଶ୍ୱର : ସାଇବର ଆକ୍ରମଣକାରୀଙ୍କ ନଜର ଏବେ ଦେଶର ବିଭିନ୍ନ ପ୍ରତିଷ୍ଠାନ ଉପରେ । ବେସରକାରୀ ସଂସ୍ଥାଠାରୁ ଆରମ୍ଭକରି ସରକାରୀ ସଂସ୍ଥା, କାହାରିକୁ ହେଲେ ବି ଏମାନେ ଛାଡୁ ନାହାନ୍ତି । ୨୦୧୪ରେ ଦେଶରେ ଚାରି ହଜାରରୁ କମ୍‍ ସାଇବର ଆକ୍ରମଣ ହୋଇଥିବାବେଳେ ଗତବର୍ଷ ଏହା ପାଖାପାଖି ୨ଲକ୍ଷ ଥିଲା ।

ସାଇବର ସୁରକ୍ଷା ଉପରେ ନଜର ରଖିଥିବା କେନ୍ଦ୍ର ସରକାରଙ୍କ କମ୍ପ୍ୟୁଟର ଇର୍ମଜେନ୍ସି ରେସପନ୍ସ ଟିମ୍‍ (ସିଇଆରଟି-ଇନ୍‍) ପକ୍ଷରୁ ହୋଇଥିବା ଅନୁଧ୍ୟାନରୁ ଜଣାଯାଇଛି ଯେ ୨୦୧୪ ମସିହାରେ ଦେଶରେ ଗୋଟିଏ ହେଲେ ରାନସମୱୟାର ଘଟଣା ନଜରକୁ ଆସିନଥିବାବେଳେ ୨୦୨୨ରେ ଏହା ୧୯୮ରେ ପହଞ୍ଚିଥିଲା । ବଢି ଚାଲିଥିବା ଏଭଳି ସାଇବର ଆକ୍ରମଣ ଭାରତୀୟ କମ୍ପାନୀମାନଙ୍କୁ କ୍ଷତିଗ୍ରସ୍ତ କରିଥିବା କୁହାଯାଇଛି ।

ସେହିଭଳି ୨୦୧୪ ମସିହାରେ ୩୭୧୯ଟି ସାଇବର ସୁରକ୍ଷା ସଂକ୍ରାନ୍ତୀୟ ଘଟଣା ନଜରକୁ ଆସିଥିବାବେଳେ ଏହା ପରଠାରୁ ବର୍ଷକୁ ବର୍ଷ ଏହା ବଢିବାରେ ଲାଗିଛି । ୨୦୧୬ରେ ଏଳି ୫୪୬୧ଟି ଘଟଣା ଘଟିଥିବାବେଳେ ୨୦୧୭ ରେ ଏହା ୩୩,୫୧୪ରେ ପହଞ୍ଚିଥିଲା । ପରବର୍ଷ ଏହା ଦୁଇଗୁଣିତ ହୋଇଥିବାବେଳେ ୨୦୨୦ ଏବଂ ୨୦୨୧ ଏଭଳି ଘଟଣା ୫୦ହଜାର ଆଖପାଖରେ ଥିବାବେଳେ ୨୦୨୨ ରେ ଏହା ଏକ ଲକ୍ଷ ୯୦ହଜାରକୁ ଟପିଯାଇଛି । କୋଭିଡ ପରବର୍ତ୍ତୀ ଅବସ୍ଥାରେ ସାଇବର ଆକ୍ରମଣକାରୀମାନେ ଅଧିକ ସକ୍ରିୟ ହୋଇଥିବା ବିଶେଷଜ୍ଞମାନେ ମତ ଦେଉଛନ୍ତି ।

ସେହିଭଳି ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟ ଅନୁଯାୟୀ ୨୦୧୪ରେ ଦେଶରେ ୯୬୨୨ଟି ସାଇବର ଅପରାଧ ମାମଲା ରୁଜୁ ହୋଇଥିବାବେଳେ ବର୍ଷକୁ ବର୍ଷ ଏହା ବୃଦ୍ଧି ପାଇ ୨୦୨୧ରେ ଏହା ୫୦ହଜାରକୁ ଟପିଯାଇଛି । ତେବେ ଉଭୟ ବେସରକାରୀ ଓ ସରକାରୀ ସଂସ୍ଥା ଉପରେ ହେଉଥିବା ଏଭଳି ସାଇବର ଆକ୍ରମଣକୁ ରୋକିବାପାଇଁ ସିଇଆରଟି-ଇନ୍‍ କେତେଗୁଡିକ ମାର୍ଗଦର୍ଶିକା ଜାରି କରିଛି । ଏଥି ମଧ୍ୟରେ ସାଇବର କ୍ରାଇସିସ୍‍ ମ୍ୟାନେଜମେଣ୍ଟ ପ୍ଲାନ ପ୍ରସ୍ତୁତ ହୋଇଥିାବବେଳେ ଏହାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କାର୍ଯ୍ୟକାରୀ ଲାଗି କୁହାଯାଇଛି । ସେହିଭଳି ସାଇବର ସୁରକ୍ଷା ଦାୟିତ୍ୱରେ ଥିବା କର୍ମଚାରୀ ଓ ଅଧିକାରୀଙ୍କୁ ନିୟମିତ ଭାବେ ତାଲିମ ଦେବାପାଇଁ କୁହାଯାଇଛି । ଏହି ଯୋଜନାରେ ୨୦୧୪ ପରଠାରୁ ୧୬ହଜାରରୁ ଅଧିକ ବ୍ୟକ୍ତିଙ୍କୁ ତାଲିମ ପ୍ରଦାନ କରାଯାଇ ସାରିଲାଣି ।

ତେବେ ସାଇବର ସୁରକ୍ଷା ପାଇଁ ସାଇବର ଅଡିଟ୍‍ ପ୍ରମୁଖ ବ୍ୟବସ୍ଥା ହୋଇଥିବାବେଳେ ସିଇଆରଟି-ଇନ୍‍ ଏଥିପାଇଁ ୧୫୦ଟି ସଂସ୍ଥାଙ୍କୁ ତାଲିକାଭୁକ୍ତ କରିଛି । ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡିକ ଏହିସବୁ ସଂସ୍ଥା ସହାୟତାରେ ନିଜ ନିଜର ସାଇବର ଅଡିଟ୍‍ କରିବାକଥା । ହେଲେ କୌଣସି କାରଣରୁ ଅଧିକାଂଶ ସଂସ୍ଥା ଏଥିପ୍ରତି ଆଗ୍ରହ ପ୍ରକାଶ କରୁନଥିବାରୁ ଓଡିଶା ସମେତ ବିଭିନ୍ନ ରାଜ୍ୟର ସରକାରୀ ଓ ବେସରକାରୀ ପ୍ରତିଷ୍ଠାନଗୁଡିକ ଉପରେ ସାଇବର ଆକ୍ରମଣ ହେଉଛି ।

ତେବେ ଇତି ମଧ୍ୟରେ ସାଇବର ସୁରକ୍ଷାକୁ ପ୍ରତିହତ ଲାଗି ଓଡିଶା ନିଜସ୍ୱ ସାଇବର ସୁରକ୍ଷା କେନ୍ଦ୍ର ପ୍ରତିଷ୍ଠା କରିଛି । ଆର୍ନ୍ତଜାତିକ ସ୍ତରର ଏହି ସାଇବର ସୁରକ୍ଷା କେନ୍ଦ୍ର ପକ୍ଷରୁ ସାଇବର ଆକ୍ରମଣ ଉପରେ ୨୪ଘଣ୍ଟିଆ ନଜର ରଖାଯିବା ଫଳରେ ଓଡିଶାର ସରକାରୀ ପ୍ରତିଷ୍ଠାନଗୁଡିକ ଏବେ ପୂର୍ବ ତୁଳନାରେ ଅଧିକ ସୁରକ୍ଷିତ ହୋଇପାରିଛି । (ତଥ୍ୟ)