ଭୁବନେଶ୍ୱର : ନୂଆ ଶିକ୍ଷାବର୍ଷ ଆସନ୍ତା ଏପ୍ରିଲ ୧ତାରିଖରୁ ଆରମ୍ଭ ହେଉଥିବାବେଳେ ଏବେ ଛାତ୍ରଛାତ୍ରୀମାନେ ନୂତନ ଶ୍ରେଣୀର ପାଠ୍ୟପୁସ୍ତକ ପାଇବାପାଇଁ ନାକେଦମ ହେଉଛନ୍ତି । ଏନ୍ସିଇଆରଟିର ପର୍ଯ୍ୟାପ୍ତ ପୁସ୍ତକ ବଜାରରେ ଉପଲବ୍ଧ ହେଉନଥିବାବେଳେ ରାଜ୍ୟ ସରକାରଙ୍କ ମାଗଣା ପୁସ୍ତକ ବି ଏପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟରେ ପହଞ୍ଚି ପାରିନାହିଁ ।
ଏପ୍ରିଲ ପହିଲାରୁ ନୂତନ ଶିକ୍ଷାବର୍ଷ ଆରମ୍ଭ ସହିତ ବିଦ୍ୟାଳୟରେ ପୂରା ଦମ୍ରେ ପାଠପଢା ଆରମ୍ଭ ହେବ । ତେଣୁ ଛାତ୍ରଛାତ୍ରୀମାନେ ଏଥିପାଇଁ ନିଜ ନିଜର ବହି ଖରିଦ କରିବାରେ ବ୍ୟସ୍ତ । ତେବେ କେତେକ ଶ୍ରେଣୀର ପୁସ୍ତକରେ ପରିବର୍ତ୍ତନ ହେବାର ସୂଚନା ପାଇବାପରେ ବହି ଦୋକାନୀମାନେ ଆଉ ସେହିସବୁ ଶ୍ରେଣୀର ବହି ମଗାଉ ନାହାନ୍ତି । ଯେତିକି ବହି ଥିଲା ତାହାକୁ ବି ଲୋକେ କିଣୁ ନାହାନ୍ତି । ଏନସିଇଆରଟି ପାଠ୍ୟକ୍ରମରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି ।
ସେହିଭଳି ଯେଉଁସବୁ ଶ୍ରେଣୀର ପାଠ୍ୟପୁସ୍ତକରେ ପରିବର୍ତ୍ତନ ହେବନାହିଁ ବୋଲି କୁହାଯାଉଛି ସେହିସବୁ ବହିକୁ ପିଲାମାନେ ଆଗୁଆ ଖରିଦ କରିନେଇଛନ୍ତି । ବର୍ତ୍ତମାନ ଏନ୍ସିିଇଆରଟିର ନବମ ଓ ଦଶମ ଶ୍ରେଣୀର ସମସ୍ତ ବହି ଗୋଟିଏ ସ୍ଥାନରେ ମିଳୁନାହିଁ । କେତେକ ଦୋକାନୀ ବି ଖଣ୍ଡେ ଦୁଇଖଣ୍ଡ ପୁସ୍ତକ ଦେବା ବଦଳରେ ସବୁତକ ବହି ନେବାକୁ ବାଧ୍ୟ କରୁଛନ୍ତି ।
ପାଠପଢା ଆରମ୍ଭ ପୂର୍ବରୁ ବହି ଖଣ୍ଡିଏ ପାଇବାପାଇଁ ଛାତ୍ରଛାତ୍ରୀମାନେ ପୁରୁଣା ବହି ବିକ୍ରି ହେଉଥିବା ଦୋକାନରେ ଭିଡ ଜମାଉଛନ୍ତି । ଅବଶ୍ୟ ପୁରୁଣା ଓ ଚିରା ଫଟା ହେଉ ପଛେ ପିଲାମାନେ ସେଠାରୁ ନିଜ ଆବଶ୍ୟକତା ମୁତାବକ ବହି କମ୍ ଦାମରେ ପାଉଛନ୍ତି । ଏହିସବୁ ଦୋକାନରେ ନିଜର ପୁରୁଣା ବହିକୁ ବିକ୍ରି କରିବା ସହିତ ଆବଶ୍ୟକ ପୁରୁଣା ବହି ଶସ୍ତାରେ ମିଳୁଥିବାରୁ ରାଜଧାନୀରେ ଏବେ ଏଭଳି ବହି ଦୋକାନୀଙ୍କ ଚାହିଦା ଢେର ବଢି ଯାଇଛି ।
ସେହିଭଳି ସରକାରୀ ବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କୁ ସରକାର ମାଗଣାରେ ପୁସ୍ତକ ଯୋଗାଣ କରିଥାନ୍ତି । ସରକାରୀ ବିଦ୍ୟାଳୟଗୁଡିକରେ ମଧ୍ୟ ଚଳିତବର୍ଷ ଏପ୍ରିଲ ପହିଲାରୁ ନୂଆ ଶିକ୍ଷାବର୍ଷ ଆରମ୍ଭ ହେଉଛି । ତେଣୁ ତାହା ପୂର୍ବରୁ ପିଲାଙ୍କ ହାତରେ ବହି ପହଞ୍ଚିବା ଆବଶ୍ୟକ । ହେଲେ ଯାହା ସୂଚନା ମିଳୁଛି ବର୍ତ୍ତମାନ ସୁଦ୍ଧା ବହୁ ବିଦ୍ୟାଳୟରେ ମାଗଣା ପାଠ୍ୟପୁସ୍ତକ ପହଞ୍ଚି ପାରିନାହିଁ । ତେବେ ଏପ୍ରିଲ୍ ପ୍ରଥମ ସପ୍ତାହ ସୁଦ୍ଧା ଏହା ମିଳିଯିବ ବୋଲି ଶିକ୍ଷକ ଶିକ୍ଷୟତ୍ରୀମାନେ ଆଶା ବାନ୍ଧି ବସିଛନ୍ତି ।
ତେବେ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଯେଉଁ ଛାତ୍ରଛାତ୍ରୀମାନେ ନିଜ ମାତୃଭାଷା ଓଡିଆରେ ପରୀକ୍ଷା ଦେଉଛନ୍ତି ସେମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଖଣ୍ଡିଏ ସରକାରୀ ବହି ପାଇବାପାଇଁ ସେମାନେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନେହୁରା ହେଉଛନ୍ତି । କାରଣ ସରକାରୀ ପାଠ୍ୟପୁସ୍ତକ ବଜାରରେ ମିଳୁନଥିବାରୁ ସେମାନେ ଏହାକୁ ସହଜରେ ପାଉ ନାହାନ୍ତି । ତେଣୁ ମାତୃଭାଷାରେ ପରୀକ୍ଷା ଦେଉଥିବା ଏଭଳି ଛାତ୍ରଛାତ୍ରୀଙ୍କୁ ଓଡିଆ ପାଠ୍ୟପୁସ୍ତକ ଉପଲବ୍ଧ ପାଇଁ ମତପ୍ରକାଶ ପାଉଛି । (ତଥ୍ୟ)