Home General ବସ୍‍ ବେ ରେ ପାର୍କିଂ ସମସ୍ୟା

ବସ୍‍ ବେ ରେ ପାର୍କିଂ ସମସ୍ୟା

ଭୁବନେଶ୍ୱର : ସହରାଞ୍ଚଳରେ ଚାଲୁଥିବା ୪ଶହରୁ ଅଧିକ ମୋ ବସ୍‍ ମଧ୍ୟରୁ ସିଂହ ଭାଗ ରାଜଧାନୀରେ ଗଡୁଛି । ମୋ ବସ୍‍ରେ ସୁରୁଖୁରୁରେ ଯାତ୍ରୀ ପରିବହନ ପାଇଁ ବସ୍‍ ବେ ନିର୍ମାଣ ହୋଇଛି । ହେଲେ ଏହି ବସ୍‍ ବେ ଏବେ ପାର୍କିଂସ୍ଥଳ ପାଲଟୁଥିବାରୁ ମୋ ବସ୍‍ ଚାଳକମାନେ କଲବଲ ହେଉଛନ୍ତି । କେବଳ ବସ୍‍ ଚାଳକମାନେ କଲବଲ ହେଉନାହାନ୍ତି ଅପେକ୍ଷାରତ ଯାତ୍ରୀମାନେ ବି ହସ୍ତସନ୍ତ ହେଉଛନ୍ତି ।

ସହରର ବିଭିନ୍ନ ସ୍ଥାନରେ ବସ୍‍ ବେ ନିର୍ମାଣ ସହିତ ସେଠାରେ ଚକଚକିଆ ଯାତ୍ରୀ ଅପେକ୍ଷା ସ୍ଥଳୀ ନିର୍ମାଣ ହୋଇଛି । ସେହି ସ୍ଥାନରେ ବସ୍‍ ରହିବାପାଇଁ ସ୍ଥାନ ଥିବାବେଳେ କେଉଁ ବସ୍‍ କେଉଁ ରୁଟ୍‍ରେ ଯିବ ତାହାର ମଧ୍ୟ ନକ୍ସା ମରାଯାଇଛି । ମୋ ବସ୍‍ଗୁଡିକ ବସ୍‍ ବେରେ ରହିବାପାଇଁ ଧାର୍ଯ୍ୟ ହୋଇଥିବାବେଳେ କେତେକ ସ୍ଥାନରେ ବସ୍‍ ଆସିଲା ବେଳକୁ କିଏ ଦୁଇ ଚକିଆ ଯାନ ରଖି ପଳାଇ ଯାଉଛି ତ ଆଉ କିଏ ଚାରି ଚକିଆ ଯାନ ରଖି ପଳାଉଛି । ଫଳରେ ବସ୍‍ ଚାଳକମାନେ କେଉଁଠି ଗାଡି ରଖିବେ ଜାଣିପାରୁ ନାହାନ୍ତି ।

କ୍ରୁଟ୍‍ କର୍ତ୍ତୃପକ୍ଷ ଏ ସଂକ୍ରାନ୍ତରେ ପୁଲିସ୍‍ର ଦୃଷ୍ଟି ଆକର୍ଷଣକଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ସହିତ ବେଆଇନ୍‍ ପାର୍କିଂ ହୋଇଥିବା ଗାଡିଗୁଡିକୁ ଉଠାଇ ନିଆଯାଉଛି । ଜୋରିମାନା ଦେଇ ଗାଡି ଚାଳକମାନେ ମୁକୁଳୁଛନ୍ତି । ହେଲେ ଅବସ୍ଥାରେ ସେଭଳି ସୁଧାର ଆସୁନାହିଁ । ବସ୍‍ ବେ ରେ ଗାଡି ରଖିବା ଏବେ ରାଜଧାନୀରେ ନିତିଦିନିଆ ଘଟଣା ହେଲାଣି ।

ତେବେ ଅଧିକାଂଶ ବସ୍‍ ବେ ନିକଟରେ ଭେଣ୍ଡିଂ ଜୋନ୍‍ ମାର୍କେଟ ସ୍ଥଳୀ ରହିଥିବାରୁ ଏଭଳି ସ୍ଥିତି ଲକ୍ଷ୍ୟ କରାଯାଉଛି । ଲୋକେ ଭେଣ୍ଡିଂ ଜୋନ୍‍ କିମ୍ବା ମାର୍କେଟରୁ ସାମଗ୍ରୀ କିଣିବାପାଇଁ ଯିବାବେଳେ ଗାଡି ରଖିବାକୁ ସ୍ଥାନ ନପାଇ ବସ୍‍ ବେ ରେ ଗାଡି ରଖି ପଳାଉଛନ୍ତି । ସବୁ ବସ୍‍ ବେରେ ଲୋକଙ୍କୁ ଜଗିବା ଆଦୌ ସମ୍ଭବପର ନୁହେଁ ବୋଲି ବସ୍‍ ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀମାନେ ବି ସ୍ୱୀକାର କରୁଛନ୍ତି । ପାର୍ବଣ ଋତୁ ଓ ସଂଧ୍ୟା ସମୟରେ ଏହି ସ୍ଥିତି ଅଧିକ ଜଟିଳ ହେବାରେ ଲାଗିଛି । ଲୋକେ ସଚେତନ ନହେଲେ ଏଥିରେ ସୁଧାର ଆସିବନାହିଁ ବୋଲି କର୍ତ୍ତୃପକ୍ଷ କହୁଛନ୍ତି ।

ତେବେ କେବଳ ବସ୍‍ ବେ ନୁହେଁ ରାସ୍ତାକଡର ଭେଣ୍ଡିଂ ଜୋନ୍‍ ଯୋଗୁଁ ଟାଉନ୍‍ବସ ଚଳାଚଳରେ ବି ବାଧା ଉପୁଜୁଛି । ଲୋକେ ସିଧାସଳଖ ରାସ୍ତା ଉପରେ ଗାଡି ପାର୍କିଂ କରୁଛନ୍ତି । ପୁଲିସ୍‍ ସହିତ ବି ଯୁକ୍ତିତର୍କ କରିବାକୁ ପଛାଉ ନାହାନ୍ତି । ଓଲଟା ଗାଡି କେଉଁଠି ରଖି ଦୋକାନକୁ ଯିବୁ ବୋଲି ପ୍ରଶ୍ନ କରୁଛନ୍ତି । ପୁଲିସ୍‍ ବାବୁମାନେ ବି ନାଚାର । ସଂଧ୍ୟା ସମୟରେ ସିଆରପି, ଡେଲଟାଛକ, ଏଜି ଛକ, ରାଜମହଲ ଆଦି ଛକ ଅଞ୍ଚଳରେ ଗୁରୁତର ଟ୍ରାଫିକ ସମସ୍ୟା ଉପୁଜୁଛି । ଏଥିଯୋଗୁଁ ଛୋଟ ବଡ ଦୁର୍ଘଟଣା ବି ଘଟୁଛି ।

ଏଭଳି ବେଆଇନ୍‍ ପାର୍କିଂ ଓ ରାସ୍ତା ଉପରେ ଭିଡ ଯୋଗୁଁ ସବୁଠାରୁ ସମସ୍ୟାରେ ପଡୁଛନ୍ତି ମୋ ବସ୍‍ର ଚାଳକମାନେ । ଗାଡି ଧିରେ ଚଳାଇଲେ ବି ବାରମ୍ବାର ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଲୋକେ ବି ବସ୍‍ ଚାଳକଙ୍କ ମୁଣ୍ଡରେ ଦୋଷ ଲଦୁଛନ୍ତି । ରାଜଧାନୀର ରାସ୍ତାଘାଟରେ ଉପୁଜୁଥିବା ଟ୍ରାଫିକ ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ଠିକଣା ସମୟରେ ରାଜଧାନୀବାସୀଙ୍କୁ ସହରରେ ବସ୍‍ସେବା ଯୋଗାଇବା ସମ୍ଭବପର ହେବ ନାହିଁ ଚାଳକମାନେ ମତ ଦେଉଛନ୍ତି । (ତଥ୍ୟ)