Home Excise ବସ୍ତିରେ ମହଜୁଦ ନିଶା ସାମଗ୍ରୀ

ବସ୍ତିରେ ମହଜୁଦ ନିଶା ସାମଗ୍ରୀ

ଭୁବନେଶ୍ୱର : ଅବକାରୀ ବିଭାଗ ଓ ପୁଲିସ୍‍ ମିଳିତ ଭାବେ ରାଜଧାନୀର ବିଭିନ୍ନ ଦୋକାନରେ ଚଢଉ କରି ନିଶା ସାମଗ୍ରୀ ଜବତ କରୁଥିବାବେଳେ ବେଆଇନ୍‍ ବସ୍ତିଗୁଡିକ କିନ୍ତୁ ଏହି ନିଶା ସାମଗ୍ରୀର ଗୋଦାମ ପାଲଟିଛି । ଏହିସବୁ ବସ୍ତିରେ ନିଶା ବେପାରୀମାନେ ସହଜରେ ଭଡାରେ ରହିବା ସହିତ ସେଠାରେ ନିଶାସାମଗ୍ରୀ ମହଜୁଦ ରଖି ବ୍ୟବସାୟ ଚଳାଉଥିବା ଲକ୍ଷ୍ୟ କରାଯାଉଛି ।

ଚଢଉ ସମୟରେ ଯେଉଁସବୁ ନିଶା ସାମଗ୍ରୀ ଜବତ ହେଉଛି ସେଥିରେ ଅଧିକ ପରିମାଣ ହେଉଛି ଗଞ୍ଜେଇ ଓ ଗଞ୍ଜେଇ ଥିବା ସିଗାରେଟ । ଯୁବବର୍ଗ ସହଜରେ ଏହି ନିଶା ସେବନ କରୁଥିବାରୁ ନିଶାବେପାରୀମାନେ ଗଞ୍ଜେଇ କାରବାରକୁ ଜୋରଦାର କରିଛନ୍ତି । ତେବେ ଗଞ୍ଜେଇଚାଷ ହେଉଥିବା ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଏବେ ପୁଳା ପୁଳା ଗଞ୍ଜେଇ ରାଜଧାନୀକୁ ଆସିବା ସହିତ ବସ୍ତି ଅଞ୍ଚଳରେ ପହଞ୍ଚୁଛି । ଏଠାରେ ଭଡାରେ ରହୁଥିବା ନିଶା ବେପାରୀମାନେ ସହଜରେ ତାହାକୁ ସହରର ବିଭିନ୍ନ ସ୍ଥାନକୁ ପଠାଉଛନ୍ତି । ଏଥି ସହିତ ଗଞ୍ଜେଇ ସିଗାରେଟ ପ୍ରସ୍ତୁତିର ମଧ୍ୟ ପେଣ୍ଠସ୍ଥଳୀ ଏହିସବୁ ବସ୍ତି ପାଲଟିଛି ।

ରାଜଧାନୀର ବିଭିନ୍ନ ସ୍ଥାନର ସରକାରୀ ଜାଗା ମାଡିବସି ଗଢିଉଠିଥିବା ବସ୍ତି ଓ କନଜରଭେନ୍ସିରେ ଥିବା ବସ୍ତିକୁ ଏବେ ନିଶା ବେପାରୀମାନେ ଟାର୍ଗେଟ କରୁଛନ୍ତି । ଏହିସବୁ ସ୍ଥାନରେ ଭଡା ରହିଲେ ଯାଞ୍ଚର ଭୟ ନଥିବା ଏବଂ ଅଳ୍ପ ପଇସାରେ ସହରର ପ୍ରମୁଖ ସ୍ଥାନରେ ଘରଟିଏ ମିଳିଯାଉଥିବାରୁ ସେମାନେ ଏଠାରେ ଆସ୍ଥାନ ଜମାଉଛନ୍ତି । ଏହିସବୁ ବେଆଇନ୍‍ ବସ୍ତିକୁ ସହଜରେ ପାଣି ଓ ବିଜୁଳି ସଂଯୋଗ ମିଳିଯାଉଥିବାବେଳେ ଏଠାରେ କିଏ କେଉଁଠୁ ଆସି ରହୁଛି ତାହାର ଯାଞ୍ଚ ପୁଲିସ୍‍ କରୁଥିବା ଦେଖିବାକୁ ମିଳୁନାହିଁ ।

ଏହା ଫଳରେ ନିଶା ବେପାରୀମାନେ ଏବେ ସହରର ବିଭିନ୍ନ ବସ୍ତିରେ ସେମାନଙ୍କ ଆଡ୍ଡା ଜମାଇବାରେ ଲାଗିଛନ୍ତି । ପୂର୍ବରୁ ନିଶା ବେପାରୀଙ୍କ ଘରକୁ ଯେଭଳି ପୁଲିସ୍‍ ମାଟିରେ ମିଶାଉଥିଲା ତାହା ବି କିଛିଦିନ ହେଲା ଶିଥିଳ ପଡିଯାଇଛି । ଏହାଛଡା ସହରର ବିଭିନ୍ନ ସ୍ଥାନରେ ବସ୍ତିକୁ ଲାଗି ଗଢି ଉଠୁଥିବା ଛୋଟ ଛୋଟ ଦୋକାନ ଏବେ ନିଶା ବ୍ୟବସାୟର କେନ୍ଦ୍ରସ୍ଥଳ ପାଲଟୁଛି । ଏହିସବୁ ଦୋକାନରେ ସେଭଳି ସାମଗ୍ରୀ ନଥିବାବେଳେ ଅଧିକାଂଶ ସମୟରେ କିନ୍ତୁ ଯୁବ ଗ୍ରାହକମାନେ ଭିଡ କରୁଛନ୍ତି । ଏଗୁଡିକୁ ପୁଲିସ୍‍ ଯେଭଳି ଯାଞ୍ଚ କରିବାକଥା ତାହା କରୁନଥିବାରୁ ବେଧଡକ ନିଶା କାରବାର ଚାଲୁଛି ।

ବର୍ତ୍ତମାନ ଅବକାରୀ ବିଭାଗ ଓ କମିଶନରଟ ପୁଲିସ୍‍ ସକ୍ରିୟ ହୋଇ ବିଭିନ୍ନ ସ୍ଥାନରେ ଚଢାଉକରି ନିଶା ସାମଗ୍ରୀ ଜବତ କରୁଥିବାବେଳେ ଏହା କିନ୍ତୁ ସେଭଳି ଜୋରଦାର ହେଉନାହିଁ । ସାରା ରାଜଧାନୀରେ ଚଢଉ ପାଇଁ ଅଧିକ ସଂଖ୍ୟକ ଅବକାରୀ ଓ ସୁରକ୍ଷାବଳ ଆବଶ୍ୟକ । ସେହିଭଳି ଚଢଉ ନିମୟିତ ହେଉନଥିବାରୁ ଏହା ବି ନିଶା ବେପାରୀମାନଙ୍କୁ ବେଶ୍‍ ସୁହାଉଛି । ସେମାନେ ଆଇନ୍‍ ଫାଶରୁ ବର୍ତ୍ତିବାପାଇଁ ଏବେ ବସ୍ତିର ବିଭିନ୍ନ ସ୍ଥାନରେ ଅଳ୍ପ ଅଳ୍ପ କରି ଗଞ୍ଜେଇ ମହଜୁଦ କରୁଛନ୍ତି । ଧରାପଡିଲେ ଗଞ୍ଜେଇ ପରିମାଣ ଅଳ୍ପ ଥିବାରୁ ସହଜରେ ଖସିଯିବାର ବାଟ ପାଉଛନ୍ତି ।

ତେଣୁ ରାଜଧାନୀକୁ ନିଶାମୁକ୍ତ କରିବାକୁ ହେଲେ ବସ୍ତି ଅଞ୍ଚଳରେ ଜୋରଦାର ଚଢଉ ସହିତ ଛୋଟ ଛୋଟ ଦୋକାନଉପରେ ନଜର ରଖିବାକୁ ମତପ୍ରକାଶ ପାଉଛି । ଏଥି ସହିତ ଯେଉଁସବୁ ଘରୁ ନିଶାସାମଗ୍ରୀ ଜବତ ହେଉଛି ତାହାକୁ ପୂର୍ବଭଳି ମାଟିରେ ମିଶାଇବା ସହିତ ଘରମାଲିକଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଉଠୁଛି । (ତଥ୍ୟ)