ଭୁବନେଶ୍ୱର : ଶିଶୁ ଶ୍ରମକୁ ନେଇ ସବୁ ସ୍ତରରେ ଉଦ୍ବେଗ ପ୍ରକାଶ ପାଉଥିବାବେଳେ ରାଜ୍ୟରେ ବର୍ତ୍ତମାନ କେତେ ଶିଶୁ ଶ୍ରମିକ ଅଛନ୍ତି ତାହାର ସଠିକ ହିସାବ ନାହିଁ । ପାଞ୍ଚ ବର୍ଷ ତଳେ ରାଜ୍ୟରେ ଶେଷ ଥର ପାଇଁ ସରକାରୀ ସ୍ତରରେ ଶିଶୁ ଶ୍ରମିକଙ୍କ ଗଣନା ହୋଇଥିଲା ।
ରାଜ୍ୟରେ ୨୦୧୧ ମସିହାରେ ହୋଇଥିବା ଜନଗଣନା ଅନୁସାରେ ସେତେବେଳେ ଶିଶୁ ଶ୍ରମିକଙ୍କ ସଂଖ୍ୟା ୯୨,୦୮୭ ଥିଲା । ତେବେ ୨୦୧୯ ମସିହାରେ ସୁନ୍ଦରଗଡରେ ଏବଂ ୨୦୨୦ ମସିହାରେ ଝାରସୁଗୁଡା ଜିଲ୍ଲାରେ ଜାତୀୟ ଶିଶୁ ଶ୍ରମିକ ପ୍ରକଳ୍ପ ଦ୍ୱାରା ସର୍ଭେ ହୋଇଥିଲା । ଏଥିରୁ ଜଣାପଡିଥିଲା ଯେ ସୁନ୍ଦରଗଡ ଜିଲ୍ଲାରେ ୬୩୨ ଏବଂ ଝାରସୁଗୁଡା ଜିଲ୍ଲାରେ ୨୭୫ଜଣ ଶିଶୁ ଶ୍ରମିକ ରହିଛନ୍ତି । ସେମାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ କେନ୍ଦ୍ରରେ ଛଡା ଯାଇଥିଲା ।
ତେବେ ଏହା ପୂର୍ବରୁ ଶିଶୁ ଶ୍ରମିକଙ୍କ ସ୍ଥିତି ଜାଣିବାପାଇଁ ୧୯୯୭ ମସିହାରେ ଆଉ ଗୋଟିଏ ସର୍ଭେ କରାଯାଇଥିଲା । ଏହି ସୂଚନାରୁ ଜଣାଯାଇଛି ଯେ ସେତେବେଳେ ୨୫୪୬ ଜଣ ଶିଶୁ ଶ୍ରମିକଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରାଯାଇଥିଲା । ତେବେ ଏହି ଶିଶୁ ଶ୍ରମିକମାନେ ସୁନ୍ଦରଗଡ, କେନ୍ଦୁଝର, ଦେବଗଡ, କୋରାପୁଟ ଓ ଝାରସୁଗୁଡା ଜିଲ୍ଲାର ଥିଲା । ସେତେବେଳେ ସୁନ୍ଦରଗଡ ଜିଲ୍ଲାରୁ ୬୩୫ଜଣ ଶିଶୁ ଶ୍ରମିକଙ୍କୁ ଚିହ୍ନଟ କରାଯାଇଥିବାବେଳେ କୋରାପୁଟରୁ ୭୫୦ଜଣ ଚିହ୍ନଟ ହୋଇଥିଲେ ।
ତେବେ ଏହି ସର୍ବେକ୍ଷଣରେ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରେ ଶିଶୁ ଶ୍ରମିକମାନଙ୍କ ସୂଚନା ନାହିଁ । ବିଶେଷକରି ଉପକୂଳ ଜିଲ୍ଲାରେ ବର୍ତ୍ତମାନ କେତେ ଶିଶୁ ଶ୍ରମିକ ରହିଛନ୍ତି ତାହାର ହିସାବ କାହାରି ପାଖରେ ନାହିଁ । ଶିଶୁ ଶ୍ରମିକମାନଙ୍କ ଗଣନା ପାଇଁ ବାରମ୍ବାର ଉଦ୍ୟମ ହେଉଥିଲେ ମଧ୍ୟ କୌଣସି କାରଣ ଯୋଗୁଁ ତାହା ଆଗେଇ ପାରୁନାହିଁ ।
ଶିଶୁ ଶ୍ରମ ନିରାକରଣ ଲାଗି ରାଜ୍ୟ ଠାରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ କମିଟି ଗଠନ ହୋଇଥିବାବେଳେ ସରକାରଙ୍କ ନିକଟରେ ସଠିକ୍ ହିସାବ ନଥିବାରୁ କାର୍ଯ୍ୟାନୁଷ୍ଠାନ କିମ୍ବା ଥଇଥାନ ହୋଇପାରୁ ନାହିଁ । ଏହାର ସୁଯୋଗ ନେଇ ଏବେ ବି ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ଅନୁଷ୍ଠାନ ଆଦି ଛୋଟ ଛୋଟ ଶିଶୁମାନଙ୍କୁ କାର୍ଯ୍ୟରେ ନିୟୋଜିତ କରୁଛନ୍ତି । କେତେକ ପିଲା ରୋଜଗାର ଆଶାରେ ଅଧାରୁ ପାଠ ଛାଡୁଛନ୍ତି ତ ଆଉ କେତେକ ଆଦୌ ବିଦ୍ୟାଳୟ ମାଟି ମାଡୁନାହାନ୍ତି । ଏମାନଙ୍କୁ ଖଟାଉଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଜେଲଦଣ୍ଡ ଓ ଅର୍ଥ ଦଣ୍ଡର ବ୍ୟବସ୍ଥା ଥିଲେ ମଧ୍ୟ ତାହା କାଁ ଭାଁ ଲାଗୁ ହେଉଥିବା ଦେଖିବାକୁ ମିଳୁଛି ।
କରୋନା କାଳରେ ଅଧାରୁ ପାଠ ଛାଡିଥିବା ଶିଶୁଙ୍କ ମଧ୍ୟରୁ ଅଧିକାଂଶ ଶିଶୁ ଶ୍ରମିକ ସାଜିଥିବା ଏ କ୍ଷେତ୍ରରେ କାର୍ଯ୍ୟରତ ସ୍ୱେଚ୍ଛାସେବୀମାନେ ଆଶଙ୍କା ପ୍ରକାଶ କରୁଛନ୍ତି । ଯେହେତୁ ରାଜ୍ୟ ସରକାର ବର୍ଷ ବର୍ଷ ଧରି ରାଜ୍ୟରେ ଶିଶୁଶ୍ରମିକଙ୍କ ଗଣନା କରୁନାହାନ୍ତି ତେଣୁ ଏମାନଙ୍କ ଥଇଥାନ କାର୍ଯ୍ୟ ଯେଭଳି ଢଙ୍ଗରେ ହେବାକଥା ତାହା ହୋଇପାରୁ ନାହିଁ । ବିଶେଷକରି କରୋନା କାଳରେ ଅଧାରୁ ପାଠ ଛାଡିଥିବା ପିଲାଙ୍କ ସ୍ଥିତି ଏବେ କିଭଳି ଅଛି ତାହା ରାଜ୍ୟରେ ଶିଶୁ ଶ୍ରମିକ ସର୍ଭେ କରାଗଲେ ପଦାକୁ ଆସିବ ବୋଲି ସ୍ୱେଚ୍ଛାସେବୀମାନେ ମତ ଦେଉଛନ୍ତି । (ତଥ୍ୟ)