Home Judiciary ବର୍ଷ ବର୍ଷ ଧରି ଗଡୁଛି ଚାକିରି ପେନସନ ମାମଲା

ବର୍ଷ ବର୍ଷ ଧରି ଗଡୁଛି ଚାକିରି ପେନସନ ମାମଲା

ଭୁବନେଶ୍ୱର : ନିଯୁକ୍ତି, ପେନସନ ଓ ଚାକିରି ସର୍ତ୍ତାବଳୀ ସଂକ୍ରାନ୍ତୀୟ ଅନ୍ୟାନ୍ୟ ମାମଲାଗୁଡିକର ବହୁ କ୍ଷେତ୍ରରେ ଫଏସଲା ବିଳମ୍ବ ହେଉଥିବାରୁ ନ୍ୟାୟ ପାଇଁ ପ୍ରାର୍ଥନା କରୁଥିବା ଲୋକେ ନାହିଁନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ।

ଆଇନ ଅଦାଲତ ଓ ପ୍ରଶାସନିକ ବିଭାଗଗୁଡିକ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇ ଆପତ୍ତି ଅଭିଯୋଗଗୁଡିକର ସକାରାତ୍ମକ ସମାଧାନ କରାଯାଇ ପାରିଲେ କୋର୍ଟ କଚେରୀରେ ଏ ସଂକ୍ରାନ୍ତୀୟ ମାମଲାର ସଂଖ୍ୟା ବଢ଼ନ୍ତା ନାହିଁ ବୋଲି ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ଓ ଅନୁଭବୀ ଓକିଲମାନେ ମତବ୍ୟକ୍ତ କରୁଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ ଏବେ ବିଭିନ୍ନ ଫୋରମରେ ନିଯୁକ୍ତି, ପେନସନ ଓ ଚାକିରି ସଂକ୍ରାନ୍ତୀୟ ଅନ୍ୟୂନ ୬୦ ହଜାର ମାମଲା ବିଚାର ପ୍ରତୀକ୍ଷାରେ ରହିଛି ।

ଅଭିଯୋଗ ହେଉଛି ଯେ ମାମଲା ଫଏସଲାର ବିଳମ୍ବ ଓ ପ୍ରଶାସନିକ ବିଭାଗର ନକାରାତ୍ମକ ମନୋଭାବ ଯୋଗୁଁ ଗୋଟିଏ ଗୋଟିଏ କ୍ଷେତ୍ରରେ ପେନସନ ପାଇବା ପାଇଁ ୩୦ରୁ ୪୦ବର୍ଷ ପର୍ଯ୍ୟନ୍ତ ସମୟ ଲାଗି ଯାଉଛି । ପ୍ରାପ୍ତ ସୂଚନା ମୁତାବକ ଚିନ୍ତାମଣି ମିଶ୍ର ନାମକ ଜଣେ ହାଇସ୍କୁଲ ଶିକ୍ଷକ ୧୯୭୧ ମସିହାରେ ଅବସର ଗ୍ରହଣ କରିଥିବା ବେଳେ ତାଙ୍କ ବିରୋଧରେ କୌଣସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କି ଅନ୍ୟ ଅଭିଯୋଗ ନଥିଲେ ମଧ୍ୟ ତାଙ୍କୁ ପେନସନ ପାଇବା ପାଇଁ ପ୍ରାୟ ୩୫ବର୍ଷ ଅପେକ୍ଷା କରିବାକୁ ପଡିଥିଲା । ଏହି ମାମଲା ସ୍ୟାଟ୍‍ରୁ ସୁପ୍ରିମକୋର୍ଟଙ୍କ ପର୍ଯ୍ୟନ୍ତ ବୁଲିଥିବା ବେଳେ ସଂପୃକ୍ତ ଶିକ୍ଷକ ପେନସନ ପାଇବା ବେଳକୁ ତାଙ୍କ ପୁଅ ଓ ଅନ୍ୟ ବହୁ ଛାତ୍ର ପେନସନ ପାଇସାରିଥିଲେ । ୯୪ବର୍ଷ ବୟସରେ ପହଞ୍ôଚବା ବେଳକୁ ଏହି ଶିକ୍ଷକଙ୍କୁ ପେନସନ ମିଳିଥିଲା ଓ ପେନସନ ପାଇବାର କିଛିବର୍ଷ ମଧ୍ୟରେ ତାଙ୍କର ଦେହାନ୍ତ ହୋଇଥିଲା ।

ସେହିଭଳି ଜଣେ ଅବସରପ୍ରାପ୍ତ ବିଭାଗୀୟ ବିଡିଓ ପେନସନ ନ ପାଇ ଦୁଃଖକଷ୍ଟ ମଧ୍ୟରେ ମୃତ୍ୟୁବରଣ କରିଥିବା ବେଳେ ତାଙ୍କ ବିଧବା ପତ୍ନୀ ମରିଗଲେ ବରଂ ପେନସନ ପାଇଲେ ନାହିଁ । ପରବର୍ତ୍ତୀ ସମୟରେ ସ୍ୟାଟ୍‍ ଓ ମୁଖ୍ୟ ଶାସନ ସଚିବଙ୍କ ହସ୍ତକ୍ଷେପ ଫଳରେ ତାଙ୍କର ଦୁଇ ଅବିବାହିତା ଝିଅଙ୍କୁ ପେନସନ ମିଳିଥିଲା । ଅନୁରୂପ ଅନ୍ୟ ଏକ ଘଟଣା ଏବେ ହାଇକୋର୍ଟରେ ରହିଛି । ନଗରଉନ୍ନୟନ ବିଭାଗ ଅଧୀନରେ କାମ କରୁଥିବା ଜଣେ କର୍ମଚାରୀ ଅବସର ଗ୍ରହଣ ପରେ ପେନସନ ପାଇଁ ଦୌଡି ଦୌଡି ମରିଗଲେ ମଧ୍ୟ ତାଙ୍କ ଗୁହାରି କେହି ଶୁଣିନଥିଲେ ।

ଏହି ମାମଲାରେ ପେନସନ ପ୍ରଦାନ ପାଇଁ ହାଇକୋର୍ଟ ପ୍ରାୟ ୧୦ବର୍ଷ ତଳେ ନିର୍ଦ୍ଦେଶ ଦେଇଥିଲେ ବି ତାହା ଏଯାବତ୍‍ ବିଭିନ୍ନ ଆଳ ଦେଖାଇ କାର୍ଯ୍ୟକାରୀ କରାଯାଉ ନଥିବାରୁ ମୃତ କର୍ମଚାରୀଙ୍କ ୭୫ବର୍ଷ ବୟସ୍କା ବିଧବା ପତ୍ନୀ ପରିବାର ପେନସନ ପାଇଁ ଲଢ଼େଇ ଜାରି ରଖିଛନ୍ତି । ଏହି ଘଟଣାରେ ଏକ ଅଦାଲତ ଅବମାନନା ମାମଲା ଏବେ ହାଇକୋର୍ଟର ବିଚାରାଧୀନ ରହିଛି ।

ସାଧାରଣ ପ୍ରଶାସନ ବିଭାଗରୁ ମିଳିଥିବା ଅନ୍ୟ ଏକ ଖବର ଅନୁଯାୟୀ ବିଭାଗୀୟ ତ୍ରୁଟି ଏବଂ ଓପିଏସସିର ଜିଦଖୋର ମନୋଭାବ ଯୋଗୁଁ ୪ବର୍ଷ ଧରି ଜଣେ ଯୋଗ୍ୟ ଦୃଷ୍ଟିବାଧିତ ପ୍ରାର୍ଥୀ ଓଏଏସ୍‍ ଚାକିରିରେ ନିଯୁକ୍ତି ପାଇପାରୁ ନାହାନ୍ତି । ସେ ପ୍ରିଲିମିନାରୀ, ଲିଖିତ ଓ ମୌଖିକ ପରୀକ୍ଷାରେ ଭଲ ପ୍ରଦର୍ଶନ ସହ ୧୩୬୫ ନମ୍ବର ରଖିଥିବା ବେଳେ ତାଙ୍କୁ ନିଯୁକ୍ତି ଦିଆନଯାଇ ତାଙ୍କଠାରୁ ଢ଼େର୍‍ କମ୍‍ ନମ୍ବର ରଖିଥିବା ଅଣସଂରକ୍ଷିତ ଓ ଦୃଷ୍ଟିବାଧିତ ବର୍ଗର ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯାଇଛି ।

ସଂପୃକ୍ତ ପ୍ରାର୍ଥୀ ଜଣକ କୋରାପୁଟର ଏକ ଦୁର୍ଗମ ଅଞ୍ଚଳରୁ ୪ବର୍ଷ ଧରି ଭୁବନେଶ୍ୱର ଓ କଟକ ନ୍ୟାୟ ପାଇଁ ଦୌଡୁଛନ୍ତି । ତାଙ୍କ ପ୍ରତି ଅନ୍ୟାୟ ହୋଇଛି ବୋଲି ନିଜେ ମୁଖ୍ୟ ଶାସନ ସଚିବ, ସାଧାରଣ ପ୍ରଶାସନ ବିଭାଗ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଲିଖିତ ଆକାରରେ ଜଣାଇଲେ ବି ସୁଦ୍ଧା ସଂପୃକ୍ତ ଯୋଗ୍ୟ ପ୍ରାର୍ଥୀ ନ୍ୟାୟ ପାଇପାରୁ ନାହାନ୍ତି ।

ସେହିଭଳି ଅନେକ ନିଯୁକ୍ତି, ପଦୋନ୍ନତି, ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ, ବେତନରେ ତାରତମ୍ୟ ଆଦି ସଂକ୍ରାନ୍ତୀ ହଜାର ହଜାର ମାମଲା ବର୍ଷ ବର୍ଷ ଧରି ଗଡୁଛି । ବିଭାଗୀୟ ସ୍ତରରେ ବିଧି ବିଶେଷଜ୍ଞ ଓ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ସ୍ୱତନ୍ତ୍ର କମିଟି ମାଧ୍ୟମରେ ଯଦି ମାମଲାଗୁଡିକର ସମୀକ୍ଷା କରାଯାଆନ୍ତା ଏବଂ ଏ ସଂକ୍ରାନ୍ତରେ ଆସୁଥିବା ଅଭିଯୋଗଗୁଡିକର ଫଏସଲା ସଂପୃକ୍ତ କମିଟି କରନ୍ତେ ତା’ହେଲେ ଆଇନ ଅଦାଲତ ଉପରେ ବହୁ ଚାପ କମି ଯାଆନ୍ତା ଏବଂ ନ୍ୟାୟରୁ ବଞ୍ôଚତ ହେଉଥିବା ଅନେକ ବ୍ୟକ୍ତି ତ୍ୱରିତ ନ୍ୟାୟ ପାଇପାରନ୍ତେ ବୋଲି କେତେକ ଅବସରପ୍ରାପ୍ତ ବିଚାରପତି ମଧ୍ୟ କହୁଛନ୍ତି । (ତଥ୍ୟ)