Home News in Odia ବର୍ଷା ପାଇଁ ସତର୍କ କଲେ ଏସ୍‍ଆରସି

ବର୍ଷା ପାଇଁ ସତର୍କ କଲେ ଏସ୍‍ଆରସି

ଭୁବନେଶ୍ୱର : ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ।

ଆଇଏମଡିର ପୂର୍ବାନୁମାନ ଅନୁଯାୟୀ ଆଜି କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ସଂପୃକ୍ତ ଘୂର୍ଣ୍ଣିବଳୟ ଦକ୍ଷିଣ ଦିଗକୁ ଗତ କରିବା ସହିତ ମଧ୍ୟ-ଟ୍ରୋପୋସ୍ଫେରିକ୍ ସ୍ତର ପର୍ଯ୍ୟନ୍ତ ବିସ୍ତାରିତ । ଆସନ୍ତା ଦୁଇ ଦିନ ମଧ୍ୟରେ ଏହା ଅଧିକ ଘନିଭୂତ ହୋଇ ଉତ୍ତର ପଶ୍ଚିମ ଦିଗରେ ଓଡ଼ିଶା ଉପକୂଳ ଆଡ଼କୁ ଗତି କରିବାର ସମ୍ଭାବନା ରହିଛି ।

ଏହାର ପ୍ରଭାବରେ ଜୁଲାଇ ୧୮ରୁ ଜୁଲାଇ ୨୨ ମଧ୍ୟରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଅନେକ ଜିଲ୍ଲାରେ ବି ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଏସଆରସି କହିଛନ୍ତି ।

ଏଭଳି ପ୍ରବଳ ଓ ଅବିଶ୍ରାନ୍ତ ବର୍ଷା ହେଲେ ସହରାଞ୍ଚଳ ସମେତ ବିଭିନ୍ନ ଅଞ୍ଚଳରେ ବିଭିନ୍ନ ନଦୀ, ନାଳ ଫୁଲିବା ସହିତ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇପାରେ । ଏହାକୁ ଦୃଷ୍ଟିରେ ରଖି ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ସମ୍ଭାବନା ସମେତ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ କ୍ଷେତ୍ରସ୍ତରୀୟ କର୍ମକର୍ତ୍ତାମାନଙ୍କୁ ପ୍ରସ୍ତୁତ ରହିବାକୁ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଛନ୍ତି ।

ବିଶେଷକରି ନଦୀ ଓ କେନାଲ ବନ୍ଧର ଦୁର୍ବଳ, ସମ୍ବେଦନଶୀଳ ସ୍ଥାନ ଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖିବାକୁ ଦାୟିତ୍ୱରେ ଥିବା ଯନ୍ତ୍ରୀମାନଙ୍କୁ କୁହାଯାଇଛି ।

ଜିଲ୍ଲାପାଳମାନଙ୍କୁ ବନ୍ୟା ମୁକାବିଲା ସାମଗ୍ରୀକୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ପ୍ରସ୍ତୁତ ରଖିବାକୁ କୁହାଯାଇଛି ଏବଂ ଯଦି କୌଣସି ବନ୍ଧ, ରାସ୍ତାର କ୍ଷୟକ୍ଷତି ହୁଏ ତେବେ ତୁରନ୍ତ ପଦକ୍ଷେପ ନିଆଯାଇ ପାରିବ ।

ବନ୍ୟା ଓ ବର୍ଷା ଜଳର ଅବାଧ ପ୍ରବାହ ପାଇଁ ଡ୍ରେନେଜ୍ ଚ୍ୟାନେଲରୁ ଅବରୋଧ ସାମଗ୍ରୀ ସଫା କରିବା ଦିଗରେ ପଦକ୍ଷେପ ନେବାକୁ ଡ୍ରେନେଜ୍ ଇଞ୍ଜିନିୟର ଓ ଅଧିକାରୀମାନଙ୍କୁ କୁହାଯାଇଛି ।

ଏଥିସହିତ ପ୍ରବଳ ବର୍ଷା ସମୟରେ ଯେଉଁ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇପାରେ ସେଠାରୁ ଜଳ ନିଷ୍କାସନ ପାଇଁ ଆଗୁଆ ବ୍ୟବସ୍ଥା କରିବାକୁ ଏସିଏସ୍ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ପୌରସଂସ୍ଥା)ଗୁଡିକୁ କହିଛନ୍ତି ।

ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ଆଜି କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଖୋର୍ଦ୍ଧା, ନୟାଗଡ଼ ଓ ପୁରୀ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା (୭ ସେମି ୨୦ ସେମି) ହେବ ।
କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, କନ୍ଧମାଳ, ବୌଦ୍ଧ ଓ ପୁରୀ ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛିୟ (ତଥ୍ୟ)