ଭୁବନେଶ୍ୱର : ଲଗାଣ ବର୍ଷା ସାଙ୍ଗକୁ ବନ୍ୟାରେ ବେହାଲ ଉତ୍ତର ଓଡିଶା। କେନ୍ଦୁଝର ସମେତ ଭଦ୍ରକ, ଯାଜପୁର ଓ ବାଲେଶ୍ବରରେ ସ୍ଥିତି ସାଂଘାତିକ ହୋଇଛି। ଜଳବନ୍ଦୀ କମିନଥିବା ବେଳେ ଆହୁରି ଦୁଇଦିନ ବର୍ଷା ଲାଗି ରହିବାର ସମ୍ଭାବନା ଥିବାରୁ ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଯେଉଁମାନେ ପୂର୍ବରୁ ଛୁଟିରେ ଅଛନ୍ତି, ସେମାନଙ୍କୁ ମଧ୍ୟ ଶୀଘ୍ର କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଅଧିକାରୀଙ୍କୁ କ୍ଷେତ୍ରରେ ରହି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ତଦାରଖ କରିବାକୁ ଆଜି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ନିର୍ଦ୍ଦେଶ ଦେଇଛନ୍ତି।
ଆଇଏମଡି ଆକଳନ ଅନୁଯାୟୀ ୧୬ରୁ ୧୮ ପ୍ରବଳ ବର୍ଷା ହେବ । ୧୭ ତାରିଖରେ ବର୍ଷାର ପରିମାଣ ଆହୁରି ବଢିବ । ୧୮ ତାରିଖରେ ଟିକେ କମିବ ଏବଂ ୧୯ରେ ପାଗ ଠିକ୍ ହୋଇଯିବ । ଜୁନ ୧ରୁ ଅଗଷ୍ଟ ୧୬ ଯାଏଁ ୯୫୩ ମିଲିଲିମିଟର ବର୍ଷା ହୋଇଛି । ଯାହା ଅନ୍ୟ ବର୍ଷ ଠାରୁ ୨୭% ଅଧିକ ବର୍ଷା। ଆଇଏମଡି ଆକଳନ ଅନୁଯାୟୀ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ଅଧିକ ଘନୀଭୂତ ହୋଇ ବର୍ଷାର ପରିମାଣ ବୃଦ୍ଧି ପାଇବ । ବାଲେଶ୍ୱର, ଭଦକ୍ର, ଯାଜପୁର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ରେଡ୍ ଓ୍ୱାର୍ଣ୍ଣିଂ ଜୋନ୍। ରାଜ୍ୟର ଅଧିକାଂଶ ଜିଲ୍ଲା ଅରେଂଜ ଓ୍ୱାର୍ଣ୍ଣି ଓ କେତେକ ଜିଲ୍ଲା ୟେଲୋ ଓ୍ୱାର୍ଣ୍ଣିଂ ଜୋନରେ ରହିଥିବା ଆଇଏମଡି କହିଛି।
ଏଭଳି ସ୍ଥିତିରେ ଜଣେ ଲେଖାଏଁ ବରିଷ୍ଠ ଅଧିକାରୀଙ୍କୁ ଭଦ୍ରକ, ବାଲେଶ୍ୱର ଓ ଯାଜପୁର ପଠାଯାଇଛି । ସେମାନେ ପୂର୍ବରୁ ବନ୍ୟା ପରିଚାଳନା କରିଛନ୍ତି । ଏବେ ଜିଲ୍ଲାପାଳଙ୍କୁ ସହଯୋଗ କରିବେ । ପୂର୍ବରୁ ବନ୍ୟା ପରିଚାଳନାର ଅଭିଜ୍ଞତା ଥିବାରୁ ବାଲେଶ୍ୱର ଜିଲ୍ଲାକୁ ଆଇଏଏସ୍ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଯାଜପୁର ଜିଲ୍ଲାକୁ ପି. ଅନ୍ୱେଷା ରେଡ୍ଡୀଙ୍କ ସହିତ ଭଦ୍ରକ ଜିଲ୍ଲାକୁ କେନ୍ଦ୍ରାଚଂଳ ରାଜସ୍ୱ ଆୟୁକ୍ତ ସୁଧାଂଶୁ ମୋହନ ସାମଲଙ୍କୁ ଜିଲ୍ଲାପାଳମାନଙ୍କୁ ବନ୍ୟା ପରିଚାଳନାରେ ସହାୟତା ଓ ପରାମର୍ଶ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ମୁଖ୍ୟ ଶାସନ ସଚିବ ବର୍ଷା ଓ ବନ୍ୟା ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରି ସ୍ଥିତି ସମ୍ପର୍କରେ ଅବଗତ ହୋଇଥିଲେ। ବର୍ତ୍ତମାନ ସୁଦ୍ଧା ବର୍ଷାରେ ୪୯ଟି ବ୍ଲକ, ୫ଟି ସହର ଓ ୩୩୧ଟି ଗ୍ରାମ ପଞ୍ଚାୟତ ପ୍ରଭାବିତ ହୋଇଛି। ପ୍ରାୟ ୫ ଲକ୍ଷ ୧୫ ହଜାର ଲୋକ ପ୍ରଭାବିତ ହୋଇଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ୨ ଲକ୍ଷ ୩୭ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ପ୍ରଭାବିତ ଲୋକଙ୍କ ପାଇଁ ୨୯୩ଟି ରିଲିଫ୍ କ୍ୟାମ୍ପ ଖୋଲାଯାଇଛି। ଏବେସୁଦ୍ଧା ୨୯୩ଟି ଶିବିରରେ ରନ୍ଧାଖାଦ୍ୟ, ଚୁଡ଼ା, ଗୁଡ଼ ଆଦି ଯୋଗାଇ ଦିଆଯାଉଛି । ୩୬ ଟି ଓଡ୍ରାଫ୍ ଟିମ୍, ୭ ଟି ଏନ୍.ଡି.ଆର. ଏଫ୍ ଏବଂ ୪୩ ଅଗ୍ନିଶମ ସେବା ବାହିନୀ ବିଭିନ୍ନ ଜିଲ୍ଲାକୁ ମୁତୟନ ହୋଇଛନ୍ତି ।
ବନ୍ୟା ପ୍ରଭାବିତ ଅଞ୍ଚଳରେ ବହୁ ଗାଁରେ ପାଣି ପଶିଥିବାରୁ ପ୍ରାୟ ୭୫ ହଜାର ବିଜୁଳି ଉପଭୋକ୍ତାଙ୍କୁ ବିଜୁଳି ସରବରାହ ବନ୍ଦ ରହିଛି । ଯେଉଁ ସବୁ ଅଞ୍ଚଳରେ ପାଣି କମିଛି, ସେ ସବୁ ଅଞ୍ଚଳରେ ଆଜି ସନ୍ଧ୍ୟା ସୁଦ୍ଧା, ପରିସ୍ଥିତିକୁ ଦେଖି ବିଦ୍ୟୁତ ସଂଯୋଗ କରାଯିବ । ବନ୍ୟା ପ୍ରଭାବିତ ଅଂଚଳକୁ ତୁରନ୍ତ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଜିଲ୍ଲାପାଳମାନଙ୍କୁ ରାଜସ୍ୱ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

