Home Health ବର୍ଷାରେ ଅଳିଆ ସମସ୍ୟା ଉତ୍କଟ

ବର୍ଷାରେ ଅଳିଆ ସମସ୍ୟା ଉତ୍କଟ

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) ତାହାର ବର୍ଜ୍ୟ ଉଠାଇବା ନୀତିରେ ପରିବର୍ତ୍ତନ କରୁନଥିବାରୁ ରାଜଧାନୀର ବିଭିନ୍ନ ଅଞ୍ଚଳ ଏବେ ବର୍ଷାଋତୁରେ ଗନ୍ଧେଇଲାଣି । ବିଶେଷକରି ଯେଉଁଠାରେ ସଡକ ପାଶ୍ୱର୍ରେ କିମ୍ବା ଉପରେ ଅଳିଆଗୁଡିକୁ ଗଦାକରି ଦିଆଯାଉଛି ବର୍ଷାପାଣି ପଡିବା ପରେ ସେଠାରେ ଅତ୍ୟନ୍ତ ପୂତ୍ତିଗନ୍ଧମୟ ପରିସ୍ଥିତି ସୃଷ୍ଟି ହେଉଛି ।

ବିଏମ୍‍ସିର ୬୭ଟି ୱାର୍ଡରେ ପୂର୍ବରୁ ଅଳିଆ ସଂଗ୍ରହ ପାଇଁ ବିଏମ୍‍ସି ପକ୍ଷରୁ ଟାଙ୍କି (ଡଷ୍ଟବିନ୍‍) ରଖାଯାଉଥିଲା । ରାସ୍ତାପାଶ୍ୱର୍ରେ ମଧ୍ୟ ବିଭିନ୍ନ ରଙ୍ଗର ଡଷ୍ଟବିନ୍‍ ଷ୍ଟାଣ୍ଡ ରହୁଥିଲା । ଲୋକେ ତାହା ଭିତରେ ଅଳିଆ ପକାଉଥିଲେ ଏବଂ ଗାଡିଗୁଡିକ ଆସି ଗୋଟିଏ ଡଷ୍ଟବିନ୍‍ ଉଠାଇନେବା ସହିତ ଆଉଗୋଟିଏ ରଖିଦେଇ ଯାଉଥିଲା । ଏହା ଫଳରେ ଅଳିଆ ଆବର୍ଜନାଗୁଡିକ ରାସ୍ତାଉପରେ ପଡୁନଥିଲା ।

ହେଲେ କୌଣସି କାରଣରୁ ବିଏମ୍‍ସି ସହରରେ ଥିବା ଡଷ୍ଟବିନ୍‍ଗୁଡିକୁ ହଟାଇ ନେଇଥିଲା । ରାସ୍ତାକଡରେ ଲାଗିଥିଲା ରଙ୍ଗ ବେରଙ୍ଗର ଛୋଟ ଡଷ୍ଟବିନ୍‍ ମଧ୍ୟ ଅପସରି ଯାଇଥିଲା । ଏହାପରେ ଅଳିଆଗୁଡିକ ରାସ୍ତାଉପରେ ଜମା କରାଯାଉଛି ଓ ସେଠାରୁ ଅଳିଆ ପୁଣିଥରେ ଉଠୁଛି । ପୂର୍ବରୁ ଡଷ୍ଟବିନ୍‍ ଉଠାଇବାପାଇଁ ଗୋଟିଏ ଗାଡିରେ କାମଚଳି ଯାଉଥିବାବେଳେ ଏବେ ଅଳ୍ପ ପରିମାଣର ଅଳିଆ ଉଠାଇବାପାଇଁ ଦୁଇ ଦୁଇଟି ଗାଡି ଆବଶ୍ୟକ ହେଉଛି ।

ତେବେ ରାସ୍ତାପାଶ୍ୱର୍ରେ ଜମା ହେଉଥିବା ଅଳିଆ ଉପରେ ବର୍ଷା ହେଲାପରେ ସେଗୁଡିକୁ ସଂଗ୍ରହ କରିବା ସହଜ ହେଉନାହିଁ । ବର୍ଷାପାଣିରେ ପଚିବା ସହିତ ପୂତ୍ତି ଗନ୍ଧମୟ ଅବସ୍ଥା ସୃଷ୍ଟି ହେଉଛି । ମାଛ ଓ ପରିବା ହାଟର ଆବର୍ଜନା ପଡୁଥିବା ଅଞ୍ଚଳରେ ସାଧାରଣ ଲୋକେ ଚଲାବୁଲା କରିବା କଷ୍ଟକର ହେଲାଣି । ଡଷ୍ଟବିନ୍‍ ଥିଲେ ଏଭଳି ସମସ୍ୟା ଉପୁଜନ୍ତା ନାହିଁ ବୋଲି ସ୍ଥାନୀୟ ଲୋକେ ମତ ଦେଉଛନ୍ତି ।

ଅନ୍ୟ ପକ୍ଷରେ ଘରକୁ ଘର ବୁଲି ସଂଗୃହୀତ ଅଳିଆଗୁଡିକ ଖତ ପ୍ରକ୍ରି୍ରୟାକରଣ କେନ୍ଦ୍ରକୁ ଯାଉଥିବାବେଳେ ରାସ୍ତାଘାଟର ଅଳିଆଗୁଡିକୁ ସଂଗ୍ରହ କରାଯାଇ ସିଧାସଳଖ ବିଭିନ୍ନ କଲୋନୀ ଓ ଲୋକେ ବସବାସ କରୁଥିବା ଅଞ୍ଚଳରେ ଗଦାକରି ଦିଆଯାଉଛି । ସେଠାରେ ଅଳିଆ ପଡିବା ପରେ ଲୋକେ ମଧ୍ୟ ନିଜ ନିଜ ଘରର ଅଳିଆକୁ ଆଣି ସେଠାରେ ପକାଉଛନ୍ତି । ଯେତେବେଳେ ଯନ୍ତ୍ରଚାଳିତ ଯାନ ଦ୍ୱାରା ଏହି ଅଳିଆ ଉଠାଯାଉଛି ସେତେବେଳେ ଅଳିଆ ସହିତ ରାସ୍ତାଘାଟ ଖୋଳି ନଷ୍ଟ ହୋଇଯାଉଛି ।

ବର୍ତ୍ତମାନ ରାଜଧାନୀର ସମସ୍ତ ୱାର୍ଡରେ ଏହି ସମସ୍ୟା ଲାଗି ରହିଛି । ବର୍ଷାଦିନେ ସ୍ଥିତି ବିଗିଡିବା ସହିତ ଏଥିଯୋଗୁଁ ମଶାବଂଶ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ପୂର୍ବଭଳି ବିଏମ୍‍ସି ଇଲକାରେ ଡଷ୍ଟବିନ୍‍ ରଖିବାପାଇଁ ମତପ୍ରକାଶ ପାଉଥିବାବେଳେ କର୍ତ୍ତୃପକ୍ଷ ତୁରନ୍ତ ଏହା ଉପରେ ଦୃଷ୍ଟି ଦେବା ଆବଶ୍ୟକ । ନଚେତ ଏଥିଯୋଗୁଁ କେବଳ ପୂତ୍ତିଗନ୍ଧମୟ ପରିସ୍ଥିତି ସୃଷ୍ଟି ହେଉନାହିଁ, ପୂର୍ତ୍ତ ବିଭାଗର ରାସ୍ତା ମଧ୍ୟ ବିଭିନ୍ନ ସ୍ଥାନରେ ନଷ୍ଟ ହେବାରେ ଲାଗିଛି । (ତଥ୍ୟ)