ଭୁବନେଶ୍ୱର : ରାଜ୍ୟର ୧୧୧ ପୌରସଂସ୍ଥାରେ ମୁକ୍ତା ଯୋଜନା ଅଧିନରେ ପ୍ରତିଷ୍ଠା ହୋଇଥିବା ୩୭ହଜାରରୁ ଅଧିକ ବର୍ଷାଜଳ ଅମଳ ପ୍ରକଳ୍ପର ରକ୍ଷଣା ବେକ୍ଷଣ ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ, ମହାନଗର ନିଗମର କମିଶନର ଓ ପୌରସଂସ୍ଥାର କାର୍ଯ୍ୟନିର୍ବାହୀମାନଙ୍କୁ କୁହାଯାଇଛି ।
ରାଜ୍ୟ ପୌର ନିର୍ଦ୍ଦେଶକ ସଂଗ୍ରାମଜିତ୍ ନାୟକ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ୨୦୨୧ ଓ ୨୦୨୨ ରେ ରାଜ୍ୟର ୧୧୧ଟି ପୌରସଂସ୍ଥାରେ ମୁକ୍ତା ଯୋଜନାରେ ୩୭,୨୪୨ଟି ବର୍ଷା ଜଳ ଅମଳ ପ୍ରକଳ୍ପ ନିର୍ମାଣ ହୋଇଥିଲା । କ୍ୟାଚ୍ ଦି ରେନ୍ ଅଭିଯାନରେ ନିର୍ମାଣ ହୋଇଥିବା ଏହି ପ୍ରକଳ୍ପ ଗୁଡିକର ରକ୍ଷଣା ବେକ୍ଷଣ କରାଯିବ ।
ବର୍ଷାଜଳ ଅମଳ ଜରିଆରେ ଭୂତଳ ଜଳ ରିଚାର୍ଜ ପାଇଁ ଏହି ପ୍ରକଳ୍ପ ବେଶ୍ ଉପଯୋଗୀ ହୋଇଥିବାବେଳେ ଏହାର ରକ୍ଷଣା ବେକ୍ଷଣ ପାଇଁ ବିଭାଗ ଯୋଜନା ପ୍ରସ୍ତୁତ କରିଛି । ଅତି କମ୍ରେ ୩୭ହଜାର ପ୍ରକଳ୍ପର ରକ୍ଷଣା ବେକ୍ଷଣ କରାଯିବ ।
ଏହି ରକ୍ଷଣା ବେକ୍ଷଣ କାର୍ଯ୍ୟରେ ମିଶନ ଶକ୍ତି ଗୋଷ୍ଠି, ବସ୍ତି ବିକାଶ ସଂଗଠନକୁ ନିୟୋଜିତ କରିବାକୁ ମୁକ୍ତାର ରାଜ୍ୟ ନୋଡାଲ ଅଧିକାରୀ ତଥା ସୁଡାର ନିର୍ଦ୍ଦେଶକ ସାରଦା ପ୍ରସାଦ ପଣ୍ଡା ନିର୍ଦ୍ଦେଶ ଦେଇଛନ୍ତି । ଜନସ୍ୱାସ୍ଥ୍ୟ ବିଭାଗ ଓ ୱାଟ୍କୋ ପକ୍ଷରୁ ମଧ୍ୟ ମିଶନ ଶକ୍ତି ଗୋଷ୍ଠିକୁ ଏଥିପାଇଁ ନିୟୋଜିତ କରିପାରିବେ ଏବଂ ଏ ସଂକ୍ରାନ୍ତରେ ବିଭାଗ ସହିତ ସମନ୍ୱୟ ରକ୍ଷାକରିବେ ବୋଲି କୁହାଯାଇଛି ।
ପøରସଂସ୍ଥା, ଜନସ୍ୱାସ୍ଥ୍ୟ, ୱାଟ୍କୋର ଯନ୍ତ୍ରୀଙ୍କ ସମେତ ମୁକ୍ତା ଟିମ୍ ଏହି ରକ୍ଷଣାବେକ୍ଷଣ କାର୍ଯ୍ୟର ତଦାରଖ କରିବେ । ରକ୍ଷଣା ବେକ୍ଷଣ କାର୍ଯ୍ୟରେ ନିୟୋଜିତ ସଂସ୍ଥାଗୁଡିକୁ ସେମାନଙ୍କର ପାଉଣା ୭ଦିନ ମଧ୍ୟରେ ପ୍ରଦାନ କରାଯିବ । ରକ୍ଷଣା ବେକ୍ଷଣ କାର୍ଯ୍ୟ କିଭଳି ହେବ ତାହାର ସମ୍ପୃକ୍ତ ସୂଚନା ସଂଗ୍ରହ ପାଇଁ ଏକ ଫର୍ମାଟ ପ୍ରସ୍ତୁତ ହେବ ଏବଂ କ୍ଷେତ୍ରସ୍ତରରୁ ଏହି ଫର୍ମାଟରେ ତଥ୍ୟ ସଂଗ୍ରହ କରାଯିବ ।
ବର୍ଷାଜଳ ଅମଳ ପ୍ରକଳ୍ପର ରକ୍ଷଣା ବେକ୍ଷଣ ପାଇଁ ଆବଶ୍ୟକ ଅର୍ଥ ପୌରସଂସ୍ଥାକୁ ଯୋଗାଇ ଥିବା ଅର୍ଥ କମିଶନଙ୍କ ଅନୁଦାନ ପାଣ୍ଠିରୁ ଯୋଗାଇ ଦିଆଯିବ ।