ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜେଡିର ଷଷ୍ଠ ପର୍ଯ୍ୟାୟ ବିଧାୟକ ପ୍ରାର୍ଥୀ ତାଲିକା ଘୋଷଣା କରିଥିବାବେଳେ ଦୁଇ ଦିନ ତଳେ ବିଜେଡିରେ ଯୋଗ ଦେଇଥିବା ବର୍ଷା ପ୍ରିୟଦର୍ଶିନୀଙ୍କୁ ବଡଚଣାରୁ ପ୍ରାର୍ଥୀ କରିଛନ୍ତି । ବଡଚଣାରୁ ବର୍ଷା ପ୍ରାର୍ଥୀ ହେବା ଫଳରେ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଚଳିତ ନିର୍ବାଚନରୁ ବାଦ୍ ପଡିଛନ୍ତି ।
ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ମୋଟ୍ ୯ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ବର୍ଷାଙ୍କୁ ବାଦ୍ ଦେଲେ କରଞ୍ଜିଆରୁ ମନ୍ତ୍ରୀ ବାସନ୍ତି ହେମ୍ବ୍ରମ, ସାରକଣାରୁ ଦେବାଶିଷ ମାରାଣ୍ଡି, ଚିଲିକାରୁ ରଘୁନାଥ ସାହୁ, ଚମ୍ପୁଆରୁ ସନାତନ ମହାକୁଡ, ରେମୁଣାରୁ ସୁଭାସିନି ସାହୁ, ସିମୁଳିଆରୁ ବିଦ୍ୟାସ୍ମିତା ମହାଳିକ, କେନ୍ଦ୍ରାପଡାରୁ ଗଣେଶ୍ୱର ବେହେରା ଓ ଆନନ୍ଦପୁରରୁ ଅଭିମନ୍ୟୁ ସେଠୀଙ୍କ ନାମ ରହିଛି ।
ଏହି ପ୍ରାର୍ଥୀମାନଙ୍କ ମଧ୍ୟରେ ଦେବାଶିଷ ମାରାଣ୍ଡ, ସୁଭାସିନି ମହାସାହୁ, ବିଦ୍ୟାସ୍ମିତା ମହାଳିକ ଏବଂ ଅଭିମନ୍ୟୁ ସେଠୀ ନିର୍ବାଚନରେ ସମ୍ପୂର୍ଣ୍ଣ ନବାଗତ ।
ଘୋଷଣା ହୋଇଥିବା ଏହି ତାଲିକାରେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀଙ୍କ ଟିକଟ କଟିଥିବାବେଳେ କେନ୍ଦ୍ରାପଡାରୁ ଶଶୀଭୂଷଣ ବେହେରା, ସିମୁଳିଆରୁ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଚମ୍ପୁଆରୁ ମିନାକ୍ଷୀ ମହନ୍ତ, ବଡଚଣାରୁ ଅମର ପ୍ରସାଦ ଶତପଥୀ ବିଜେଡି ଟିକଟରୁ ବାଦ୍ ପଡିଛନ୍ତି ।
ତେବେ ରେମୁଣାର ବିଜେଡି ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କୁ ପୂର୍ବରୁ ଦୁର୍ନୀତି ଅଭିଯୋଗରେ ବିଜେଡି ଦଳରୁ ବିଦା କରିଥିଲା । ସେହିଭଳି ଚିଲିକାରେ ବିଜେଡି ବିଧାୟକ ଥିବା ପ୍ରଶାନ୍ତ ଜଗଦେବ ମଧ୍ୟ ଦଳରୁ ବିଦା ହୋଇଥିଲେ । ସେ ଏବେ ବିଜେପିରେ ସାମିଲ ହୋଇଛନ୍ତି । ଏହି ନଅ ଜଣିଆ ପ୍ରାର୍ଥୀ ତାଲିକାରେ ୪ ଜଣ ମହିଳା ଥିବାବେଳେ ଜଣେ ବର୍ତ୍ତମାନର ମନ୍ତ୍ରୀ ରହିଛନ୍ତି ।