ଭୁବନେଶ୍ୱର : ଆଶାକର୍ମୀମାନେ ସ୍ଥାୟୀ ଚାକିରି ପାଇବାପାଇଁ ଆଶାବାନ୍ଧି ବସିଥିବାବେଳେ ଅଙ୍ଗନବାଡି କର୍ମୀମାନେ ମାସିକ ୧୨ହଜାର ଟଙ୍କା ବେତନ ପାଇବାକୁ ବି ଆଶା ରଖିଛନ୍ତି । ଓଡିଶାରେ ବିଜେପି ସରକାରଙ୍କ ବର୍ଷପୂର୍ତ୍ତି ପୂର୍ବରୁ ଏଭଳି ଘୋଷଣା ପାଇଁ ଚାତକ ଭଳି ଆଶାଦିଦି, ଅଙ୍ଗନବାଡି ଦିଦି ଓ ଅଙ୍ଗନବାଡି ସହାୟିକାମାନେ ଅନାଇ ରହିଛନ୍ତି ।
ସେମାନେ କହୁଛନ୍ତି ଯେ ୨୦୨୪ ସାଧାରଣ ନିର୍ବାଚନବେଳେ ନିର୍ବାଚନୀ ପ୍ରତିଶ୍ରୁତି ଆକାରରେ ବିଜେପି ପକ୍ଷରୁ ଯେଉଁ ସଙ୍କଳ୍ପପତ୍ର ଘୋଷଣା କରାଯାଇଥିଲା ସେଥିରେ ଆଶାକର୍ମୀମାନଙ୍କୁ ଜାତୀୟ ସ୍ୱାସ୍ଥ୍ୟ ମିଶନରେ ଅର୍ନ୍ତଭୁକ୍ତ କରି ସ୍ଥାୟୀ ନିଯୁକ୍ତି ଦେବାଲାଗି ସ୍ପଷ୍ଟ ଉଲ୍ଲେଖ ଥିଲା । ସେହିପରି ପ୍ରତ୍ୟେକ ଅଙ୍ଗନବାଡି କର୍ମୀଙ୍କ ମାସିକ ଦରମା ୧୨,୦୦୦ ଟଙ୍କାକୁ ଓ ଅଙ୍ଗନବାଡି ସହାୟିକାଙ୍କ ମାସିକ ଦରମା ୮୦୦୦ ଟଙ୍କାକୁ ବଢାଇବାପାଇଁ ମଧ୍ୟ ବିଜପେି ତାହାର ସଙ୍କଳ୍ପପତ୍ରରେ ଘୋଷଣା କରିଥିଲା ।
ଉଭୟ ଆଶା ଓ ଅଙ୍ଗନବାଡି କର୍ମୀମାନେ ରାଜ୍ୟ ସରକାରଙ୍କ ଉପରେ ଭରସା ରଖିଛନ୍ତି । ସରକାର ଆସିବାର ବର୍ଷେ ପୂରିବାକୁ ଯାଉଥିବା ଅବସରରେ ଏଭଳି ଘୋଷଣା ପାଇଁ ସେମାନେ ଅପେକ୍ଷା କରିବା ସ୍ୱାଭାବିକ । ତେବେ ବିଜେପି ଯାହା କହିଥାଏ ତାହା କରିଦେଖାଏ ବୋଲି ଦଳର ନେତାମାନେ କହୁଛନ୍ତି ।

କ୍ଷମତାକୁ ଆସିବାପରେ ଓଡିଶାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା କାର୍ଯ୍ୟକାରୀ କରି ବାର୍ଷିକ ୮ଲକ୍ଷ ଟଙ୍କାରୁ କମ୍ ଆୟକରୁଥିବା ବ୍ୟକ୍ତିମାନଙ୍କୁ ଏଥିରେ ସାମିଲ କରିବାଲାଗି ଯେଉଁ ଘୋଷଣା କରାଯାଇଥିଲା ଇତି ମଧ୍ୟରେ ଓଡିଶା ସରକାର ତାହା ପୂରଣ କରିବା ସହିତ ବୟବନ୍ଦନ ଯୋଜନାରେ ୭୦ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିମାନଙ୍କ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଲାଗୁ କରାଯାଇଛି । ତେବେ ରାଜ୍ୟର ଦକ୍ଷିଣ, କେନ୍ଦ୍ରୀୟ ଓ ଉତ୍ତରାଞ୍ଚଳରେ ଆଉ ତିନିଟି କର୍କଟ ହସ୍ପିଟାଲ ପ୍ରତିଷ୍ଠା ସହ ସମ୍ବଲପୁର ଠାରେ ଓଡିଶାର ଦ୍ୱିତୀୟ ଏମସ୍ ପ୍ରତିଷ୍ଠା ଲାଗି ଯେଉଁ ଘୋଷଣା କରାଯାଇଥିଲା ତାହା ଖୁବ୍ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ଦଳୀୟ ନେତାମାନେ କହୁଛନ୍ତି ।
କେବଳ ଏମସ୍ ନୁହେଁ ସମ୍ବଲପୁର ଠାରେ ଆଉଏକ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାପାଇଁ ମଧ୍ୟ ନିର୍ବାଚନୀ ସଙ୍କଳ୍ପର ପ୍ରତିପାଳନ ଲାଗି ସରକାର କାର୍ଯ୍ୟ କରୁଛନ୍ତି ବୋଲି କୁହାଯାଉଛି । ଏହି କ୍ରମରେ ରାଜ୍ୟର ସ୍ୱାସ୍ଥ୍ୟସେବାର ବିକାଶ ଲାଗି ୩ହଜାର ଡାକ୍ତରୀ ପଦବୀ ସୃଷ୍ଟି ସହିତ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକରେ ୩୬ହଜାର ନୂତନ ଶଯ୍ୟା ବ୍ୟବସ୍ଥା, ପ୍ରତି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଆଇସିୟୁ, ଡାଏଲିସିସ୍ କେନ୍ଦ୍ର ଓ ଅପରେସନ ଥିଏଟର ସେବା ଯୋଗାଇ ଦେବାପାଇଁ ଦିଆଯାଇଥିବା ପ୍ରତିଶ୍ରୁତିର କାର୍ଯ୍ୟକାରିତା ଲାଗି ମଧ୍ୟ ପ୍ରୟାସ ଜାରି ରହିଛି ।
ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ କରି ମେଡିକାଲ କଲେଜ, ନର୍ସିଂ କଲେଜ ଓ ସୁପରସ୍ପେଶିଆଲିଷ୍ଟ ହସ୍ପିଟାଲ ପ୍ରତିଷ୍ଠା ଲାଗି ଦଳ ଯେଉଁ ସଙ୍କଳ୍ପ କରିଥିଲା ତାହା ବି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପୂରଣ କରାଯିବ ବୋଲି କୁହାଯାଉଛି । ରାଜ୍ୟରେ ସୁଭଦ୍ରା ଯୋଜନା ମାଧ୍ୟମରେ ମହିଳାମାନଙ୍କୁ ୫୦ହଜାର ଟଙ୍କା କରି ଦେବାପାଇଁ ବିଜେପିର ଯେଉଁ ସଙ୍କଳ୍ପ ଥିଲା ତାହା କାର୍ଯ୍ୟକାରୀ କରିବାକୁ ଯାଇ ପ୍ରାୟ କୋଟିଏ ମହିଳାଙ୍କୁ ଏଯାବତ୍ ସୁଭଦ୍ରା ଯୋଜନା ମାଧ୍ୟମରେ ୨ କିସ୍ତିରେ ଅର୍ଥ ଦିଆସରିଛି । ଏ ପରିପ୍ରେକ୍ଷୀରେ ମହିଳା ଓ ଶିଶୁ ବିକାଶ ଏବଂ ସ୍ୱାସ୍ଥ୍ୟସେବା ପାଇଁ ଦଳର ଯେଉଁ ସଙ୍କଳ୍ପ ରହିଥିଲା ସେସବୁ ଅକ୍ଷରେ ଅକ୍ଷରେ ରାଜ୍ୟ ସରକାର ପାଳନ କରିବେ ବୋଲି ଦଳୀୟ ନେତାମାନେ କହୁଛନ୍ତି । (ତଥ୍ୟ)