ଭୁବନେଶ୍ୱର : ଓଡିଶାରେ ବର୍ଷକୁ ପ୍ରାୟ ୨୮ହଜାର ଲୋକ ନିଖୋଜ ହେଉଛନ୍ତି । ଏମାନଙ୍କ ଭିତରୁ ଶିଶୁଙ୍କ ସଂଖ୍ୟା ହେଉଛି ୬୭୦୦ରୁ ଅଧିକ । ନିଖୋଜ ବ୍ୟକ୍ତିଙ୍କ ଭିତରେ ବାଳିକା ଓ ମହିଳାଙ୍କ ସଂଖ୍ୟା ଢେର ଅଧିକ ରହୁଥିବା ଏବଂ ଏମାନଙ୍କ ଭିତରୁ ଅନେକଙ୍କୁ ଉଦ୍ଧାର କରାଯାଇ ପାରୁନଥିବାରୁ ଏହା ପଛରେ ଅପରାଧିକ ଗ୍ୟାଙ୍ଗ୍ର ର୍ୟାକେଟ୍ କାମ କରିଥାଇପାରେ ବୋଲି ଆଶଙ୍କା କରାଯାଉଛି ।
ସରକାରୀ ରିପୋର୍ଟ ମୁତାବକ ୨୦୨୪ ବର୍ଷରେ ଓଡିଶାରେ ୬୭୨୭ଜଣ ଶିଶୁ ନିଖୋଜ ହୋଇଥିବାବେଳେ ଏମାନଙ୍କ ଭିତରେ ୫୯୮୯ଜଣ ବାଳିକା ଓ ୭୩୮ଜଣ ବାଳକ ଥିଲେ । ଏହି ବର୍ଷରେ ୫୧୪ଜଣ ବାଳିକା ଓ ୫୬ଜଣ ବାଳକଙ୍କୁ ମିଶାଇ ୫୭୦ଜଣଙ୍କୁ ଉଦ୍ଧାର କରାଯାଇଥିଲା । ଅବଶିଷ୍ଟ ୬ହଜାରରୁ ଅଧିକ ଶିଶୁ କୁଆଡେ ଗଲେ ଓ କେଉଁଠି ଅଛନ୍ତି ତାହାର ଖବର ନଥିବାବେଳେ ସେମାନଙ୍କ ପରିବାରବର୍ଗ ଆଶା ଓ ଆଶଙ୍କା ମଧ୍ୟରେ ଦିନ କାଟୁଛନ୍ତି ।
ସେହିଭଳି ଗତବର୍ଷ ୧୬,୦୧୪ ଜଣ ମହିଳା ଓ ୫୧୯୯ଜଣ ପୁରୁଷଙ୍କୁ ମିଶାଇ ମୋଟ୍ ୨୧,୨୧୩ଜଣ ଓଡିଶାରୁ ନିଖୋଜ ହୋଇଥିବା ସରକାରୀ ରିପୋର୍ଟ କହୁଛି । ଏଥି ମଧ୍ୟରୁ ୫୨୩୪ ଜଣ ମହିଳା ଓ ୨୧୯୩ ପୁରୁଷଙ୍କୁ ମିଶାଇ ୭୪୨୭ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଅବଶିଷ୍ଟ ପ୍ରାୟ ୧୪ହଜାର କୁଆଡେ ଗଲେ ତାହା ଏବେ ବି ପ୍ରଶ୍ନବାଚୀ ଭିତରେ ରହିଛି ।
ଏହି ହିସାବ ମୁତାବକ ଓଡିଶାରେ ଦୈନିକ ହାରାହାରି ୧୮ଜଣ ଶିଶୁ ଗତବର୍ଷ ନିଖୋଜ ହେଉଥିଲେ, ଯେଉଁମାନଙ୍କ ମଧ୍ୟରୁ ୧୬ଜଣ ବାଳିକା । ସେହିଭଳି ଦୈନିକ ହାରାହାରି ୬୦ଜଣ ବ୍ୟକ୍ତି ଓଡିଶାରୁ ଗତବର୍ଷ ନିଖୋଜ ହେଉଥିବାବେଳେ ସେମାନଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ୪୩ । ଏତେ ସଂଖ୍ୟକ ମହିଳା ଓ ବାଳିକା ନିଖୋଜ ହେବା ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ପତ୍ତା ମିଳୁନଥିବା ଦୃଷ୍ଟିରୁ ଏହା ପୁଲିସ୍ ପ୍ରଶାସନ ପାଇଁ ଏକ ଆହ୍ୱାନ ହୋଇଛି ।
ଇତି ମଧ୍ୟରେ ରାଜ୍ୟ ସରକାର ବିଧାନସଭାରେ ଦେଇଥିବା ତଥ୍ୟ ମୁତାବକ ଗତ ଆଠମାସ ଭିତରେ ୨୦,୦୬୦ ଜଣ ଓଡିଶାରୁ ନିଖୋଜ ହୋଇଥିବାବେଳେ ସେମାନଙ୍କ ଭିତରୁ ୭୦୪୮ଜଣ ଠାବ ହୋଇଛନ୍ତି ଓ ୧୩,୦୧୨ ଜଣଙ୍କର ପତ୍ତା ମିଳିପାରୁନାହିଁ । ନିଖୋଜ ଘଟଣା ତୁରନ୍ତ ଦରଜ କରାଯାଉନଥିବାରୁ ବିଳମ୍ବରେ ପୁଲିସ୍ ନଜରକୁ ଏହା ଆସିବାପରେ ଉଦ୍ଧାର କରିବା କାଠିକରପାଠ ହୋଇଯାଉଛି । ଏହି ଆଠମାସ ଭିତରେ ବି ନିଖୋଜ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ମହିଳା ଓ ବାଳିକାଙ୍କ ସଂଖ୍ୟା ଢେର ଅଧିକ ରହିଛି ।
ମୋଟାମୋଟି ଭାବେ ରାଜ୍ୟରେ ଅପରାଧ ସଂଖ୍ୟା ବର୍ଷକୁ ବର୍ଷ ବଢି ବଢି ଚାଲିଛି । ୨୦୨୪ ବର୍ଷରେ ସରକାରୀ ତଥ୍ୟ ମୁତାବକ ୨,୧୪,୧୧୩ଟି ଧର୍ତ୍ତବ୍ୟ ଅପରାଧ ମାମଲା ପୁଲିସ୍ ନିକଟରେ ଆମ ରାଜ୍ୟରେ ଦରଜ ହୋଇଛି । ଏଥିରୁ ୧୨୫୮ଟି ହତ୍ୟା ମାମଲା ଥିବାବେଳେ ୩୦୫୪ଟି ଥିଲା ବଳାତ୍କାର ଓ ୧୨,୩୭୫ଟି ଥିଲା ମୋଟରଗାଡି ଦୁର୍ଘଟଣା ମାମଲା ।
ଏବେ ରାଜ୍ୟର ଆଇନ୍ ଅଦାଲତଗୁଡିକରେ ୨୦ଲକ୍ଷରୁ ଅଧିକ ମାମଲା ବିଚାର ପ୍ରତୀକ୍ଷାରେ ଥିବାବେଳେ ସେଥିରୁ ପ୍ରାୟ ୧୩ଲକ୍ଷ ହେଉଛି ଅପରାଧିକ ମାମଲା । ଏଥି ମଧ୍ୟରେ ମହିଳାଙ୍କ ପ୍ରତି ଘଟିଥିବା ଅପରାଧିକ ମାମଲା ସଂଖ୍ୟା ୨ଲକ୍ଷରୁ ଅଧିକ ହେବବୋଲି ଆଶଙ୍କା କରାଯାଉଛି । ମହିଳାଙ୍କ ପ୍ରତି ଘଟୁଥିବା ଅପରାଧିକ ମାମଲାରୁ ବର୍ଷରେ ୫ ପ୍ରତିଶତ ଫଏସଲା ହୋଇପାରୁନଥିବାବେଳେ ଦଣ୍ଡବିଧାନ ହାର ୧୦ପ୍ରତିଶତରୁ କମ୍ ରହିଥିବା ଏନସିଆରବି ରିପୋର୍ଟର ତଥ୍ୟ ବିଶ୍ଳେଷଣରୁ ଜଣାପଡିଛି । (ତଥ୍ୟ)