Home Forest ବର୍ଷକୁ ୨ହଜାର ହେକ୍ଟର ଜଙ୍ଗଲ କଟା ଅନୁମତି

ବର୍ଷକୁ ୨ହଜାର ହେକ୍ଟର ଜଙ୍ଗଲ କଟା ଅନୁମତି

ଭୁବନେଶ୍ୱର : ରାଜ୍ୟରେ ୫୨ହଜାର କିଲୋମିଟରରୁ ଅଧିକ ପରିମିତ ଅଞ୍ଚଳରେ ଜଙ୍ଗଲ ଥିବାବେଳେ ପ୍ରତିବର୍ଷ କିନ୍ତୁ ହାରାହାରି ଭାବେ ୨ହଜାର ହେକ୍ଟର ଜଙ୍ଗଲ ଅଣଜଙ୍ଗଲ କାର୍ଯ୍ୟରେ ବ୍ୟବହାର ହେଉଛି । ଏଥିପାଇଁ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ସବୁଜ ସଙ୍କେତ ଦେଉଥିବା ଜଣାଯାଇଛି ।

ରାଜ୍ୟରେ ସର୍ବଶେଷ ସର୍ବେକ୍ଷଣ ଅନୁଯାୟୀ ମୋଟ୍‍ ୫୨,୪୩୩ ବର୍ଗ ମିଲୋମିଟରର ଜଙ୍ଗଲ ଅଞ୍ଚଳ ରହିଛି । ୨୦୨୩ ମସିହାରେ ଏହା ୪୮,୩୬୬ ବର୍ଗ କିଲୋମିଟର ରହିଥିଲା । ଅର୍ଥାତ୍‍ ଗୋଟିଏ ବର୍ଷ ମଧ୍ୟରେ ରାଜ୍ୟରେ ଜଙ୍ଗଲ ପରିମାଣ ୪ହଜାର ବର୍ଗ କିଲୋମିଟର ବୃଦ୍ଧି ପାଇଛି ।

ତେବେ ଏହି ସୂଚନା ଅନୁଯାୟୀ ଗତ ୨୦ବର୍ଷ ମଧ୍ୟରେ ରାଜ୍ୟରେ ୩୯ହଜାର ହେକ୍ଟରରୁ ଅଧିକ ଜଙ୍ଗଲ ଜମି ଅନ୍ୟ କାର୍ଯ୍ୟରେ ବ୍ୟବହାର ହେଉଛି । ଅର୍ଥାତ୍‍ ବର୍ଷକୁ ହାରାହାରି ଭାବେ ୨ହଜାର ହେକ୍ଟର ଜଙ୍ଗଲ ଜମି ହ୍ରାସ ପାଉଛି । ସୂଚନା ଅନୁଯାୟୀ ୨୦୧୯ ମସିହାରେ ସର୍ବାଧିକ ୪୦୪୩ ହେକ୍ଟର ଜଙ୍ଗଲ ଜମିକୁ ଅଣଜଙ୍ଗଲ କାର୍ଯ୍ୟରେ ବ୍ୟବହାର ପାଇଁ ଅନୁମତି ଦିଆଯାଇଥିଲା ଯାହାକି ବିଗତ ୨୦ବର୍ଷ ମଧ୍ୟରେ ଗୋଟିଏ ବର୍ଷରେ ସର୍ବାଧିକ ।

ସେହିଭଳି ୨୦୨୩ ମସିହାରେ ୩୯୨୦ ହେକ୍ଟର ଜଙ୍ଗଲ ଜମିକୁ ଅନ୍ୟ କାର୍ଯ୍ୟରେ ବ୍ୟବହାର କରିବାକୁ ଅନୁମତି ମିଳିଥିବାବେଳେ ଗତବର୍ଷ ଏହି ପରିମାଣ ୨୧୯୧ ହେକ୍ଟର ରହିଛି । ତେବେ ସବୁଠାରୁ କମ୍‍ ଅର୍ଥାତ୍‍ ୨୩୭ ହେକ୍ଟର ଜଙ୍ଗଲ ଜମିକୁ ଏଭଳି ଅନୁମତି ୨୦୧୨ ମସିହାରେ ମିଳିଥିଲା । ସେହିବର୍ଷ ୧୦ଟି ପ୍ରକଳ୍ପ ପାଇଁ ଏହି ଅନୁମତି ପ୍ରଦାନ କରାଯାଇଥିଲା ।

ଜଙ୍ଗଲ ଜମିକୁ ସାଧାରଣତଃ ବିଭିନ୍ନ କଳାକାରଖାନା, ଖଣି ଖନନ, ସହରୀକରଣ ଆଦି ପାଇଁ ବ୍ୟବହାର ଅନୁମତି ପ୍ରଦାନ କରାଯାଇଥାଏ । ଗତ ୨୦ ବର୍ଷ ମଧ୍ୟରେ ୪୨୭ଟି ପ୍ରକଳ୍ପ ପାଇଁ ଏଭଳି ଅନୁମତି ଦିଆଯାଇଛି । ଏଥି ମଧ୍ୟରେ ୨୦୨୩ ମସିହାରେ ସର୍ବାଧିକ ୩୮ଟି ପ୍ରକଳ୍ପକୁ ଅନୁମତି ପ୍ରଦାନ କରାଯାଇଥିବାବେଳେ ଗତବର୍ଷ ପ୍ରକଳ୍ପ ସଂଖ୍ୟା ୩୬ ରହିଛି ।

ତେବେ ଜଙ୍ଗଲ ଜମିକୁ ଅଣଜଙ୍ଗଲ କାର୍ଯ୍ୟରେ ବ୍ୟବହାର ପାଇଁ ଅନୁମତି ଦେବା ସମୟରେ କ୍ଷତିପୂରକ ବନୀକରଣ ଯୋଜନାରେ ଅନୁରୂପ ସଂଖ୍ୟକ ଜଙ୍ଗଲ ସୃଷ୍ଟି ପାଇଁ ନିର୍ଦ୍ଦେଶ ଦିଆଯାଇଥାଏ । ଜଙ୍ଗଲ ଜମିକୁ ବ୍ୟବହାର କରୁଥିବା ସଂସ୍ଥାମାନେ ମଧ୍ୟ ଏହାକୁ ପାଳନ କରିବାକୁ ବାଧ୍ୟ ହୋଇଥାନ୍ତି । ତେବେ ନିକଟରେ ସୁନ୍ଦରଗଡ ଜିଲ୍ଲାରେ ଜଙ୍ଗଲ ଜମି ନେଇଥିବା ସଂସ୍ଥାମାନେ ବଲାଙ୍ଗିର ଜିଲ୍ଲାରେ କ୍ଷତିପୂରକ ବନୀକରଣ ଯୋଜନାରେ ଗଛ ଲଗାଇବାକୁ ନେଇ ବିବାଦ ସୃଷ୍ଟି ହୋଇଛି । (ତଥ୍ୟ)