Home Energy ବର୍ଷକୁ ୧୬୫୧ କୋଟିର ବିଜୁଳି ବିକ୍ରି

ବର୍ଷକୁ ୧୬୫୧ କୋଟିର ବିଜୁଳି ବିକ୍ରି

ଭୁବନେଶ୍ୱର : ବିଦ୍ୟୁତ୍‍ ଉତ୍ପାଦନ କ୍ଷେତ୍ରରେ ଓଡିଶା ଏକ ବଳକା ରାଜ୍ୟ ହୋଇଥିବାବେଳେ ଗତ ଆର୍ଥିକ ବର୍ଷରେ ଓଡିଶା ବଳକା ବିଜୁଳି ବିକି ୧୬୫୧ କୋଟି ଟଙ୍କାରୁ ଅଧିକ ରାଜସ୍ୱ ପାଇଛି । ରାଜ୍ୟର ବଳକା ବିଜୁଳି ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ।

ଉପମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ ୨୦୧୯-୨୦ ବର୍ଷରେ ଓଡିଶା ବାହାର ରାଜ୍ୟକୁ ୧୨୮୫ ନିୟୁତ ୟୁନିଟ୍‍ ବିଜୁଳି ବିକ୍ରିକରି ୩୪୪ କୋଟି ଟଙ୍କାର ରାଜସ୍ୱ ପାଇଥିବାବେଳେ ୨୦୨୦-୨୧ ବର୍ଷରେ ରାଜସ୍ୱ ପରିମାଣ ୧୫୮୫ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା । ତେବେ ୨୦୨୨-୨୩ ବର୍ଷରେ ବିଜୁଳି ବିକ୍ରି ପରିମାଣ ୧୨୯୫ ନିୟୁତ ୟୁନିଟ୍‍କୁ ହ୍ରାସ ପାଇବା ସହିତ ରାଜସ୍ୱ ପରିମାଣ ମଧ୍ୟ ୬୭୭ କୋଟି ଟଙ୍କାକୁ ହ୍ରାସ ପାଇଥିଲା । ତେବେ ଏହା ପରଠାରୁ ଅର୍ଥାତ୍‍ ୨୦୨୩-୨୪ ବର୍ଷରେ ଓଡିଶା ୧୧୨୯.୬୪ କୋଟି ଟଙ୍କାର ବିଜୁଳି ବିକ୍ରି କରିଥିବାବେଳେ ୨୦୨୪-୨୫ ବର୍ଷରେ ଏହି ପରିମାଣ ୧୬୫୧ କୋଟି ୫୯ଲକ୍ଷ ଟଙ୍କା ହୋଇଛି ।

ସେହିଭଳି ବିଜୁଳି ପରିବହନ ଓ ବଣ୍ଟନ ଜନିତ କ୍ଷତିର ପରିମାଣ ସଂକ୍ରାନ୍ତରେ ମନ୍ତ୍ରୀ ଦର୍ଶାଇଛନ୍ତି ଯେ ୨୦୨୪-୨୫ ବର୍ଷରେ ଟିପିସିଓଡିଏଲର ଏହି କ୍ଷତି ୧୯.୧୧ ପ୍ରତିଶତ ଥିଲା, ଯାହାକି ସର୍ବଭାରତୀୟ ସ୍ତରରେ ସପ୍ତମ ସ୍ଥାନ । ସେହିଭଳି ଟିପିଡବ୍ଲୁଓଡିଏଲ୍‍ର କ୍ଷତି ୧୬.୨୩% ପ୍ରତିଶଥିବାବେଳେ ଏହା ଦେଶର ଷଷ୍ଠ ସ୍ଥାନରେ ରହିଥିଲା । ଟିପିଏନଓଡିଏଲ୍‍ର କ୍ଷତି ୧୨.୪୬% ହୋଇ ଦେଶର ନବମ ସ୍ଥାନରେ ଥିବାବେଳେ ଟିପିଏସଓଡିଏଲ୍‍ର କ୍ଷତିର ପରିମାଣ ୨୩.୩୬% ରହିଛି ଯାହାକି ଦେଶର ୨୯ତମ ସ୍ଥାନ ।

ଏହି କ୍ଷତିକୁ ହ୍ରାସ ପାଇଁ ଜିଆଇଏସ୍‍ ଆଧାରିତ ନେଟୱାର୍କ ଯୋଜନା ହାତକୁ ନିଆଯାଇଥିବାବଳେ ନୂତନ ଫିଡର ଏବଂ ଇଣ୍ଟରଲିଙ୍କି ଲାଇନ୍‍ ସଂଖ୍ୟା ବୃଦ୍ଧି କରାଯାଇଛି । ଅତିରିକ୍ତ ଲୋଡ୍‍ର ଆବଶ୍ୟକତା ପୂରଣ ପାଇଁ ନୂତନ ପିଏସଏସ ନିର୍ମାଣ କର।।ଯାଉଛି । ନିମୟିତ ଗଛ କାଟିବା ଏବଂ ଖୋଲା ମୁକୁଳା ତାରରୁ ଏଲଟି ଏବିସି ପରିବର୍ତ୍ତନ କରିବା ଭଳି ପଦକ୍ଷେପ ନିଆଯାଉଥିବା ଉପମୁଖ୍ୟମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ।