ଭୁବନେଶ୍ୱର : ପନିପରିବା ଉତ୍ପାଦନରେ ଓଡିଶା ଦେଶର ସପ୍ତମ ରାଜ୍ୟ ହୋଇଥିବାବେଳେ ରାଜ୍ୟରେ ବାର୍ଷିକ ୧୧ଶହ ମେଟ୍ରିକ ଟନ୍ରୁ ଅଧିକ କୀଟନାଶକ ବ୍ୟବହାର ହେଉଛି । ତେବେ କୀଟନାଶକ ବ୍ୟବହାର ହ୍ରାସ ଲାଗି ରାଜ୍ୟ ସରକାର ଜୈବିକ ଚାଷ ଉପରେ ଗୁରୁତ୍ୱ ଦେଉଥିବାରୁ ଏହାର ବ୍ୟବହାର ହ୍ରାସ ପାଇବ ବୋଲି ଆଶା କରାଯାଉଛି ।
ପନିପରିବା ଚାଷ କ୍ଷେତ୍ରରେ ପାଳଛତୁ ଉତ୍ପାଦନ କ୍ଷେତ୍ରରେ ଓଡିଶା ଦେଶର ଏକ ନମ୍ବର ସ୍ଥାନରେ ରହିଛି । ଓଡିଶାରୁ ବର୍ଷକୁ ସାଢେ ୩ଲକ୍ଷ ମେଟ୍ରିକ ଟନ୍ରୁ ଅଧିକ ପାଳଛତୁ ବାହାରୁଛି । ଏକ ଲକ୍ଷ ୧୦ହଜାର ଟନ୍ରୁ ଅଧିକ ଅମୃତଭଣ୍ଡା, ୨୧ଲକ୍ଷ ମେଟ୍ରିକ ଟନରୁ ଅଧିକ ବାଇଗଣ, ୧୩ଲକ୍ଷ ମେଟ୍ରିକ ଟନ୍ ବନ୍ଧାକୋବି, ୭ଲକ୍ଷ ମେଟ୍ରିକ ଟନ୍ରୁ ଅଧିକ ଫୁଲକୋବି, ୬ଲକ୍ଷ ଟନ୍ରୁ ଅଧିକ କଖାରୁ, ୩ଲକ୍ଷ ଟନ୍ରୁ ଅଧିକ ତରୁଭୁଜ ଓ ୧୫ଲକ୍ଷ ଟନ୍ ଟମାଟୋ ସହିତ ଅନ୍ୟାନ୍ୟ ବହୁ କିସମର ପନିପରିବା ଉତ୍ପାଦନ ହେଉଛି ।
ତେବେ ଏହିସବୁ ପନିପରିବା ଯେଉଁସବୁ ସ୍ଥାନରେ ବ୍ୟବସାୟିକ ଭିତ୍ତିରେ ଉତ୍ପାଦନ ହେଉଛି ସେଠାରେ ଚାଷୀମାନେ କୀଟନାଶକ ବ୍ୟବହାର କରୁଛନ୍ତି । ରାଜ୍ୟ ତଥା ଦେଶ ବାହାରୁ ଆସୁଥିବା ବିଭିନ୍ନ କିସମର କୀଟନାଶକ ବ୍ୟବହାର ହେଉଥିବାବେଳେ ଅନେକ କ୍ଷେତ୍ରରେ ଚାଷୀମାନେ ଅଜ୍ଞାତ ଯୋଗୁଁ ଅଧିକ ପରିମାଣର କୀଟନାଶକ ବ୍ୟବହାର କରୁଛନ୍ତି । କେବଳ ପନିପରିବା ନୁହେଁ ଧାନ ଠାରୁ ଆରମ୍ଭ କରି ନଡିଆ, ଆମ୍ବ ଆଦି ଫସଲ ପାଇଁ ମଧ୍ୟ ବିପୁଳ ପରିମାଣରେ କୀଟନାଶକ ବ୍ୟବହାର ହେଉଛି ।
କୀଟନାଶକ ସହିତ ଫସଲ ଉତ୍ପାଦନ ପାଇଁ ଚାଷୀମାନେ ରସାୟନିକ ସାର ବ୍ୟବହାର କରୁଛନ୍ତି । ରସାୟନିକ ସାର ବ୍ୟବହାର କ୍ଷେତ୍ରରେ ଓଡିଶା ଦେଶର ୧୭ତମ ସ୍ଥାନରେ ରହିଛି । କୀଟନାଶକ ଭଳି ରସାୟନିକ ସାର କ୍ଷେତ୍ରରେ ମଧ୍ୟ ଅଜ୍ଞତା ଅଭାବରୁ ଚାଷୀମାନେ ଆବଶ୍ୟକ ଠାରୁ ଅଧିକ ସାର ବ୍ୟବହାର କରୁଛନ୍ତି । ବହୁ ସ୍ଥାନରେ ଅଧିକ ଫସଲ ଅମଳ ପାଇଁ ଅଧିକ ପରିମାଣରେ ରସାୟନିକ ସାର ବ୍ୟବହାର କରି ମାଟିର ଉର୍ବରତାକୁ ନଷ୍ଟକରି ଦେଉଛନ୍ତି ।
ତେବେ ଚାଷୀମାନେ କିଭଳି କୀଟନାଶକ ଓ ରସାୟନିକ ସାର ଠାରୁ ଦୂରେଇ ରହି ଜୈବିକ ଚାଷ କରିବେ ସେଥିପାଇଁ ସରକାରୀ ସ୍ତରରେ ବିଭିନ୍ନ ପଦକ୍ଷେପ ନିଆଯାଉଛି । ରସାୟନିକ ଯୁକ୍ତ କୀଟନାଶକ ବଦଳରେ ଚାଷୀମାନେ କିଭଳି ବାୟୋ କୀଟନାଶକ ବ୍ୟବହାର କରିବେ ସେଥିପାଇଁ ଏହା ଉପରେ ୫୦ ପ୍ରତିଶତ ରିହାତି ଦିଆଯାଉଛି । ଏ ବାବଦରେ ଚାଷୀମାନଙ୍କୁ ହେକ୍ଟର ପିଛା ସର୍ବାଧିକ ୨୦୦୦ ଟଙ୍କା ଯୋଗାଯାଉଛି । ସେହିଭଳି ପୋର ଜୈବିକ ନିରାକରଣ ନିମନ୍ତେ ରିହାତି ମୂଲ୍ୟରେ ଟ୍ରିଚୋ କାର୍ଡ ଯୋଗାଇ ଦିଆଯାଉଛି ।
ରସାୟନିକ ସାର ବଦଳରେ ଜୈବିକ ଉପାୟରେ ଚାଷ କରିବାପାଇଁ ପରମ୍ପରାଗତ କୃଷି ବିକାଶ ଯେଜାନା ମାଧ୍ୟରେ ୧୦ଟି ଜିଲ୍ଲାରେ ୧୦୦୦ହେକ୍ଟର ଜମିରେ ୨୦୨୧-୨୨ ରୁ ୨୦୨୩-୨୪ ମଧ୍ୟରେ ଚାଷ କରାଯାଇଛି । ଭାରତୀୟ ପ୍ରାକୃତିକ କୃଷି ପଦ୍ଧି ମାଧ୍ୟମରେ ୧୫ଟି ଜିଲ୍ଲାର ୨୪ହଜାର ହେକ୍ଟର ଚାଷ ଜମିରେ ଜୈବିକ ଚାଷ ହେଉଛି । ଜୈବିକ ଚାଷଦ୍ୱାରା ଉତ୍ପାଦିତ ଫସଲର ଅଧିକ ରପ୍ତାନି ସୁଯୋଗ ଥିବାରୁ ଚଳିତ ବର୍ଷ ଠାରୁ ଜାତୀୟ ପ୍ରାକୃତିକ କୃଷି ମିଶନର କାର୍ଯ୍ୟକ୍ରମରେ ଜୈବିକ ଚାଷ ପାଇଁ ସ୍ଥିର ହୋଇଥିବା ସୂଚନା ମିଳିଛି । (ତଥ୍ୟ)