Home Excise ବର୍ଷକୁ ୧୦ହଜାର ନିଶା ମୁକ୍ତ

ବର୍ଷକୁ ୧୦ହଜାର ନିଶା ମୁକ୍ତ

ଭୁବନେଶ୍ୱର : ରାଜ୍ୟରେ ବର୍ଷକୁ ହାରାହାରି ୧୦ହଜାର ନିଶାଡିଙ୍କୁ ନିଶାରୁ ନିବୃତ୍ତ କରାଯାଉଥିବା ନେଇ ରାଜ୍ୟର ନିଶା ନିବାରଣ କେନ୍ଦ୍ରଗୁଡିକ ଦାବି କରୁଥିବାବେଳେ କେନ୍ଦ୍ର ବାହାରେ ଥିବା ନିଶାଡିଙ୍କ ସଂଖ୍ୟା କିନ୍ତୁ ବଢିବାରେ ଲାଗିଛି ।

ରାଜ୍ୟରେ ସମସ୍ତ ଜିଲ୍ଲାରେ ଏବେ ନିଶା ନିବାରଣ କେନ୍ଦ୍ର ରହିଛି । ମୋଟ୍‍ ୫୫ଟି କେନ୍ଦ୍ର ଥିବାବେଳେ ଏଥି ମଧ୍ୟରୁ ସର୍ବାଧିକ ୬ଟି କେନ୍ଦ୍ର ଖୋରଧା ଜିଲ୍ଲାରେ ରହିଥିବାବେଳେ ପୁରୀ ଜିଲ୍ଲାରେ ୫ଟି ଓ କଟକରେ ୪ଟି କେନ୍ଦ୍ର ରହିଛି । ଗଞ୍ଜା, ଝାରସୁଗୁଡା, କେନ୍ଦ୍ରୁର ଜିଲ୍‍ଲାରେ ୩ଟି କରି ନିଶା ନିବାରଣ କେନ୍ଦ୍ର ରହିଛି ।

ଏଥି ମଧ୍ୟରୁ କେନ୍ଦ୍ର ସରକାରଙ୍କ ଅନୁଦାନରେ ୨୯ଟି ଜିଲ୍ଲାରେ ୪୧ଟି ନିଶା ନିବାରଣ କେନ୍ଦ୍ର ଚାଲୁଥିବାବେଳେ ରାଜ୍ୟ ସରକାରଙ୍କ ଅନୁଦାନରେ ୧୦ଟି ଜିଲ୍ଲାରେ ୧୧ଟି କେନ୍ଦ୍ର ରହିଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ନିଶା ନିବାରଣ କେନ୍ଦ୍ରରେ ୧୫ ଜଣ ଓ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ନିଶା ନିବାରଣ କେନ୍ଦ୍ରରେ ୩୦ ଜଣ କରି ନିଶାସକ୍ତ ବ୍ୟକ୍ତିଙ୍କ ପାଇଁ ଏକ ମାସ ପର୍ଯ୍ୟନ୍ତ ମାଗଣାରେ ରହିବା, ଖାଇବା, ଚିକିତ୍ସା ସହିତ ବୈଷୟିକ ତାଲିମର ବ୍ୟବସ୍ଥା ରହିଛି ।

ସରକାରୀ ସ୍ତରରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୨ବର୍ଷ ମଧ୍ୟରେ ରାଜ୍ୟରେ ଥିବା ସମସ୍ତ ୫୫ଟି ନିଶା ନିବାରଣ କେନ୍ଦ୍ରରୁ ୧୯,୩୯୫ ଜଣ ନିଶାସକ୍ତଙ୍କୁ ନିଶାମୁକ୍ତ କରାଯାଇ ପାରିଛି । ଏମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ସର୍ବାଧିକ ୬୦୩୯ ଜଣଥିବାବେଳେ ଖୋରଧା ଜିଲ୍ଲାରେ ୧୪୪୦, କେନ୍ଦୁଝରରେ ୧୧୨୫ ଓ କଟକ ଜିଲ୍ଲାରେ ୧୦୩୭ ଜଣ ରହିଛନ୍ତି । ସବୁଠାରୁ କମ୍‍ ଯାଜପୁର ଜିଲ୍ଲାରେ ମାତ୍ର ୩୫ଜଣଙ୍କୁ ନିଶାରୁ ନିବୃତ୍ତ କରାଯାଇ ପାରିଛି ।

ତେବେ ନିଶାମୁକ୍ତ କ୍ଷେତ୍ରରେ କାର୍ଯ୍ୟରତ ସ୍ୱେଚ୍ଛାସେବୀମାନଙ୍କ ମତ ହେଉଛି ଯେ ରାଜ୍ୟରେ ଯେଉଁ ହାରରେ ନିଶା କାରବାର ଓ ନିଶାଡିମାନଙ୍କ ସଂଖ୍ୟା ବଢିଚାଲିଛି ସେହି ତୁଳନାରେ ଏହି ନିଶା ନିବାରଣ କେନ୍ଦ୍ର ସଂଖ୍ୟା ସମୁଦ୍ରକୁ ଶଙ୍ଖେ ଭଳି । ମଦ, ଗଞ୍ଜେଇ ଠାରୁ ଆରମ୍ଭକରି ଚରସ ହେରୋଇନ୍‍ ଭଳି ନିଶା ଏବେ ଯୁବବର୍ଗଙ୍କୁ ଗ୍ରାସ କରିବାରେ ଲାଗିଛି । ତେଣୁ ନିଶା ନିବାରଣ କେନ୍ଦ୍ର ପ୍ରତିଷ୍ଠା କରି ବିଭିନ୍ନ ସଂସ୍ଥାଙ୍କୁ ଅର୍ଥ ପ୍ରଦାନ କରିବା ବଦଳରେ ରାଜ୍ୟରୁ ନିଶା ନିବାରଣ ଦିଗରେ କଠୋର ପଦକ୍ଷେପ ନିଅଯିବା ଆବଶ୍ୟକ ।

ସରକାରୀ ସ୍ତରରେ ନିଶା ନିବାରଣ ପାଇଁ ଯେଉଁସବୁ ପଦକ୍ଷେପ ଗ୍ରହଣ କରାଯାଉଛି ତାହା ବି କାମ ଦେଉନଥିବା ସ୍ୱେଚ୍ଛାସେବୀମାନେ ଅଭିଯୋଗ କରୁଛନ୍ତି । ରାଜ୍ୟରେ ନିଶା ନିବାରଣ ଏବେ ପଥପ୍ରାନ୍ତ ନାଟକ, ପଦଯାତ୍ରା, ସାଧାରଣସଭା, ବିଜ୍ଞାପନ ନାଟକ ଆଦି ସଚେତନତାରେ ସୀମିତ ରହୁଛି । ଏଥିପାଇଁ ବିଭିନ୍ନ ସଂସ୍ଥାଙ୍କୁ ଲକ୍ଷାଧିକ ଟଙ୍କା ପ୍ରଦାନ କରାଯାଉଛି । ହେଲେ ଏଥିରେ ନିଶା ନିବାରଣ ଯେଉଁଭଳି ଭାବେ ହେବାକଥା ତାହା ହୋଇପାରୁ ନାହିଁ । କଠୋର ହସ୍ତରେ ନିଶା କାରବାରକୁ ଦମନ କରିବା ସହିତ ପର୍ଯ୍ୟାୟକ୍ରମେ ସମ୍ପୂର୍ଣ୍ଣ ନିଶା ନିବାରଣକୁ ନଆପଣେଇଲେ ରାଜ୍ୟରେ ନିଶାବରଣ କେନ୍ଦ୍ର ସିନା ବୃଦ୍ଧି ପାଇବ ହେଲେ ନିଶାମୁକ୍ତ ସମ୍ଭବପର ହେବନାହିଁ ବୋଲି ସ୍ୱେଚ୍ଛାସେବୀମାନେ ଖୋଲା ମତ ପ୍ରଦାନ କରୁଛନ୍ତି । (ତଥ୍ୟ)