Home News in Odia ବର୍ଷକରେ ୨୮ହଜାର ମହିଳା ଓ ଶିଶୁ ନିର୍ଯ୍ୟାତନା

ବର୍ଷକରେ ୨୮ହଜାର ମହିଳା ଓ ଶିଶୁ ନିର୍ଯ୍ୟାତନା

ଭୁବନେଶ୍ୱର : ମହିଳା ଓ ଶିଶୁ ନିର୍ଯ୍ୟାତନା ରୋକିବାପାଇଁ ରାଜ୍ୟ ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରୁଥିବାବେଳେ ଗୋଟିଏ ବର୍ଷରେ ପାଖାପାଖି ୨୮ହଜାର ମହିଳା ଓ ଶିଶୁ ନିର୍ଯ୍ୟାତିତ ହୋଇଛନ୍ତି । ଏମାନଙ୍କ ସଂଖ୍ୟା ଯାଜପୁର ଜିଲ୍ଲାରେ ସର୍ବାଧିକ ରହିଛି ।

ଗତବର୍ଷ ରାଜ୍ୟରେ ପାଖପାଖି ୨୮ହଜାର ମହିଳା ଓ ଶିଶୁ ନିର୍ଯ୍ୟାତନାର ପଞ୍ଜିକରଣ ହୋଇଥିବାବେଳେ ଯାଜପୁର ଜିଲ୍ଲାରେ ଏହି ସଂଖ୍ୟା ୨ହଜାରରୁ ଅଧିକ ରହିଛି । ଗଞ୍ଜାମ, ବାଲେଶ୍ୱର, ଭଦକ୍ର, କଟକ, ଜଗତ୍‍ସିଂହପୁର, ଢେଙ୍କାନାଳ, କେନ୍ଦୁଝର, ଖୋରଧା, ମୟୁରଭଞ୍ଜ ଜିଲ୍ଲାରେ ଏଭଳି ନିର୍ଯ୍ୟାତନାର ସଂଖ୍ୟା ହଜାରେରୁ ଅଧିକ ରହିଛି । ତେବେ ଆଦିବାସୀ ଅଧ୍ୟୁଷିତ ନୂଆପଡା, ମାଲକାନଗିରି, ଗଜପତି, ବୌଦ୍ଧ, କଳାହାଣ୍ଡି ଆଦି ଜିଲ୍ଲାରେ ଏହି ନିର୍ଯ୍ୟାତନାର ହାର ଅପେକ୍ଷାକୃତ କମ୍‍ ରେକର୍ଡ କରାଯାଇଛି ।

ତେବେ ରାଜ୍ୟର ଯେଉଁସବୁ ଜିଲ୍ଲାରେ ସାକ୍ଷରତାର ହାର ଅଧିକ ରହିଛି ସେଠାରେ ମହିଳା ଓ ଶିଶୁ ଅଧିକ ନିର୍ଯ୍ୟାତିତ ହେଉଥିବା ଲକ୍ଷ୍ୟ କରାଯାଉଛି । ଏହି ଜିଲ୍ଲାଗୁଡିକରେ ମହିଳାମାନେ ଘରୋଇ ହିଂସା ଓ ଯୌତୁକ ହିଂସାର ଶିକାର ହେଉଥିବାବେଳେ ଶିଶୁମାନେ ପାଶବିକ ନିର୍ଯ୍ୟାତନା ସହିତ ଅପହରଣର ଶିକାର ହେଉଛନ୍ତି ।

ରାଜ୍ୟରେ ମହିଳା ଓ ଶିଶୁ ନିର୍ଯ୍ୟାତନା ହାର କମାଇବାପାଇଁ ୬ଶହରୁ ଅଧିକ ଥାନାରେ ମହିଳା ଓ ଶିଶୁ ଡେସ୍କ କାର୍ଯ୍ୟ କରୁଛି । ଏହିସବୁ ଥାନାରେ ମହିଳା ଓ ଶିଶୁମାନଙ୍କ ଅଭିଯୋଗ ଅଗ୍ରାଧିକାର ଭିତ୍ତିରେ ପଞ୍ଜିକରଣର ବ୍ୟବସ୍ଥା ରହିଛି । ସେହିଭଳି ମହିଳାମାନେ ଏଠାକୁ ଆସି ସହଜରେ ମଧ୍ୟ ନିଜର ଅଭିଯୋଗ ଦରଜ କରିପାରିବେ । ଏଥି ସହିତ ଓଡିଶାରେ ୩୪ଟି ଶିଶୁ ବନ୍ଧୁ ପୁଲିସ୍‍ ଷ୍ଟେସନ ପ୍ରତିଷ୍ଠା କରାଯାଇଛି ।

ମହିଳା ଓ ଶିଶୁଙ୍କ ବିରୁଦ୍ଧରେ ସାଇବର ଅପରାଧର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଅଧିନରେ ଶିଶୁ ଏବଂମହିଳା ଅନଲାଇନ୍‍ ନିର୍ଯ୍ୟାତନା ମନିଟରିଂ ୟୁନିଟ୍‍ କାର୍ଯ୍ୟ କରୁଛି । ବିପଦରେ ପଡିଥିବା ମହିଳାମାନଙ୍କୁ ଠିକ୍‍ ସମୟରେ ତ୍ୱରିତ ଏବଂ ସମ୍ବେଦନଶୀଳ ସହାୟତା ପାଇଁ ଡାଏଲ-୧୧୨ କାର୍ଯ୍ୟ କରୁଛି ।

ଏହାବାଦ୍‍ ମହିଳା ଓ ଶିଶୁ ନିର୍ଯ୍ୟାତନା ରୋକିବାପାଇଁ ରାଜ୍ୟ ସରକାର ବିଭିନ୍ନ ଅନୁଷ୍ଠାନ ଜରିଆରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଚଳାଉଛନ୍ତି । ଏ ବାବଦରେ ମଧ୍ୟ ରାଜକୋଷରୁ ଅର୍ଥ ଖର୍ଚ୍ଚ ହେଉଛି । ଏହା ସତ୍ୱେ ବି ରାଜ୍ୟରେ ମହିଳା ଓ ଶିଶୁ ନିର୍ଯ୍ୟାତନାରେ ସେଭଳି ଉଲ୍ଲେଖନୀୟ ସୁଧାର ଆସୁନାହିଁ । ଯୌତୁକ ନିର୍ଯ୍ୟାତନା ପ୍ରାୟ ଅଧିକାଂଶ ଜିଲ୍ଲାରେ ପୁଲିସ୍‍ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିବାବେଳେ ଶିଶୁ ନିର୍ଯ୍ୟାତନାକୁ ନେଇ ଅନକ ସମୟରେ ରାଜ୍ୟରେ ଝଡ ସୃଷ୍ଟି ହୋଇଛି । (ତଥ୍ୟ)