ଭୁବନେଶ୍ୱର : ଗତବର୍ଷ ରଥଯାତ୍ରାର ଅବ୍ୟବହିତ ପୂର୍ବରୁ ଏକକ ବ୍ୟବହୃତ (ସିଙ୍ଗିଲ ୟୁଜ୍) ପ୍ଲାଷ୍ଟିକ ବ୍ୟବହାର ନକରିବାକୁ ପୁରୀ ଠାରେ ହୋଇଥିବା ବହୁ ପ୍ରଚାରିତ କାର୍ଯ୍ୟକ୍ରମକୁ ଇତି ମଧ୍ୟରେ ବର୍ଷଟିଏ ପୂରିବାକୁ ଯାଉଛି । ବହୁ ଆଡମ୍ବରରେ ହୋଇଥିବା ଏହି କାର୍ଯ୍ୟକ୍ରମର ଫଳାଫଳ ଏକ ପ୍ରକାର ଶୂନ କହିଲେ ଅତ୍ୟୁକ୍ତି ହେବନାହିଁ ।
ରଥଯାତ୍ରାର ଅବ୍ୟବହିତ ପୂର୍ବରୁ ଏକକ ବ୍ୟବହୃତ ପ୍ଲାଷ୍ଟିକ ବିରୁଦ୍ଧରେ ପୁରୀ ଠାରେ ଅଭିଯାନ ଆରମ୍ଭ ହୋଇଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟ ବରିଷ୍ଠ ନେତା ଓ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି ପ୍ଲାଷ୍ଟିକର ଭୟାବହତା ଦର୍ଶାଇବା ସହିତ ଏହାକୁ ବ୍ୟବହାର ନକରିବାକୁ ଲୋକଙ୍କୁ ବୁଝାଇଥିଲେ । ଏହା ବ୍ୟବହାର କରିବା ଆଇନ୍ତଃ ଦୋଷାବହ ବୋଲି କୁହାଯାଇଥିଲା । ମନ୍ତ୍ରୀ, ଅଫିସରମାନେ ରାସ୍ଥାଘାଟରୁ ଏଭଳି ନିମ୍ନମାନର ପ୍ଲାଷ୍ଟିକ ଗୋଟାଇ ନୂଆ ବାର୍ତ୍ତା ଦେଇଥିଲେ । ଏଭଳି ପ୍ଲାଷ୍ଟିକ ଉପରେ କଡା ନଜର ରଖିବାପାଇଁ ୨୦୨୨ ଜୁଲାଇ ପହିଲାରୁ ନିୟନ୍ତ୍ରଣ କକ୍ଷ ସ୍ଥାପନ ପାଇଁ ମଧ୍ୟ ଯୋଜନା ହୋଇଥିଲା ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଅଭିଯାନ ଆରମ୍ଭ ହୋଇଥିବାବେଳେ ଏହାପରେ ରାଜ୍ୟରେ ଏଭଳି ପ୍ଲାଷ୍ଟିକ ବିରୁଦ୍ଧରେ ଜୋରଦାର ଅଭିଯାନ ଚଳାଯିବ ବୋଲି ଆଶା କରାଯାଉଥିଲା । ହେଲେ କିଛି ଦିନର ହୋ ହଲ୍ଲା ସହିତ ବର୍ଷେ ପରେ ଏବେ ଅବସ୍ଥା ଯଥା ପୂର୍ବଂ ତଥା ପରଂ । ପୂର୍ବଭଳି ପୁରୀ ଠାରୁ ଆରମ୍ଭ କରି ସମଗ୍ର ରାଜ୍ୟରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ହାଉଯାଉ ହେଉଛି । ନିମ୍ନମାନର ପ୍ଲାଷ୍ଟିକ ପାଣିବୋତଲ ଠାରୁ ଆରମ୍ଭକରି ପ୍ଲେଟ, ଗ୍ଲାସ, ଚାମଚ, ଜରିମୁଣା ଆଦି ସବୁଆଡେ ବ୍ୟବହାର ହେଉଥିଲେ ମଧ୍ୟ ସେଭଳି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ହେଉନାହିଁ ।
କେବଳ କେନ୍ଦ୍ର ସରକାର ଏଭଳି ଅଭିଯାନ ଆରମ୍ଭ କରିଥିଲେ ତାହାନୁହେଁ, ରାଜ୍ୟର ଛଅଟି ବଡ ସହରରେ ଏଭଳି ପ୍ଲାଷ୍ଟିକର ପ୍ରସ୍ତୁତି, ବିପ୍ପଣନ ଓ ବ୍ୟବହାର ଉପରେ ୨୦୧୮ ସେପ୍ଟେମ୍ବର ମାସରୁ କଟକଣା ଲଗାଯାଇଥିଲା । ସେତେବେଳେ ନିମ୍ନମାନର ପ୍ଲାଷ୍ଟିକ ଓ ଥର୍ମକୁଲରେ ପ୍ରସ୍ତୁତ ସମସ୍ତ ପ୍ରକାର ସାମଗ୍ରୀ ଭୁବନେଶ୍ୱର, କଟକ, ପୁରୀ, ସମ୍ବଲପୁର, ବ୍ରହ୍ମପୁର ଓ ରାଉରକେଲା ଆଦିରେ ବିକ୍ରି ନକରିବାପାଇଁ କଟକଣା ଜାରି ହୋଇଥିଲା । ଏଭଳି ନିର୍ଦ୍ଦେଶନାମାର ଚାରିବର୍ଷ ମଧ୍ୟରେ ସ୍ଥିତି ସେଭଳି ସୁଧୁରୁ ନାହିଁ । ପୂର୍ବରୁ ଯେତିକି ପରିମାଣରେ ଏହିସବୁ ସାମଗ୍ରୀ ବିକ୍ରି ହେଉଥିଲା ଏବେ ତାହାଠାରୁ ଅଧିକ ବିକ୍ରି ହେଉଛି । ସମସ୍ତ ଆଖି ସାମ୍ନାରେ ଏଭଳି କାରବାର ହେଉଥିଲେ ସମସ୍ତେ ସବୁ ଦେଖି ନଦେଖିଲା ପରି ହେଉଛନ୍ତି ।
ସେହିଭଳି ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ପ୍ଲାଷ୍ଟିକ ମୁଣାର ବହୁଳ ବ୍ୟବହାରକୁ ଦୃଷ୍ଟିରେ ରଖି ଘରକୁ ଘର ଓମ୍ଫେଡ୍ ଦୁଗ୍ଧ ପ୍ୟାକେଟ୍ ଜରି ସଂଗ୍ରହ ପାଇଁ ହୋଇଥିବା ଘୋଷଣା ମଧ୍ୟ ଶୀତଳଭଣ୍ଡାରରେ ରହିଯାଇଛି । ଅନୁରୂପ ଭାବେ ଜରିମୁଣା ବଦଳରେ ଚଳାଯାଉଥିବା କପଡା ପ୍ରସ୍ତୁତ ବ୍ୟାଗ ବ୍ୟବହାର ଅଭିଯାନ ବି ଅଧାବାଟରେ ରହିଛି । ଯାହା ଫଳରେ ଖୋଦ୍ ରାଜଧାନୀରେ ପ୍ଲାଷ୍ଟିକ ବ୍ୟବହାର ବଢି ବଢି ଚାଲିଥିବାବେଳେ ଆଗାମୀ ବର୍ଷାଋତୁରେ ଏହା ନାଳନର୍ଦ୍ଦମା ଜାମ୍ କରିବ ବୋଲି ଆଶଙ୍କା କରାଗଲାଣି ।
ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବହୁ ଆଡମ୍ବରରେ ରାଜ୍ୟର ନିମ୍ନମାନର ପ୍ଲାଷ୍ଟିକ ବିରୁଦ୍ଧରେ କାର୍ଯ୍ୟକ୍ରମ ଆୟୋଜନ କରୁଥିବାବେଳେ ଏହାର ଫଳ କିନ୍ତୁ ଏକ ପ୍ରକାର ଶୂନ । ପ୍ଲାଷ୍ଟିକ ବ୍ୟବହାର କମିବା ବଦଳରେ ବଢିବା ସହିତ ଅନ୍ୟ ରାଜ୍ୟରୁ ଦୈନିକ ଟନ୍ ଟନ୍ ପ୍ଲାଷ୍ଟିକ ସାମଗ୍ରୀ ରାଜ୍ୟକୁ ପ୍ରବେଶ କରୁଥିବା ଦେଖିବାକୁ ମିଳୁଛି । (ତଥ୍ୟ)