ଭୁବନେଶ୍ୱର : ୮୦ବର୍ଷ ବୟସରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ମାସିକ ୩୫୦୦ ଟଙ୍କା ଭତ୍ତା ଦେବା କଥା ସରକାର ବିଚାର କରୁଛନ୍ତି । ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।
ବର୍ଦ୍ଧିତ ଭତ୍ତା ପ୍ରଦାନ ପ୍ରସଙ୍ଗରେ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆ ପଚାରିଥିବା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହଛନ୍ତି ଯେ ରାଜ୍ୟରେ ମଧୁବାବୁ ଭତ୍ତା ଯୋଜନା ଅଧିନରେ ମୋଟ୍ ୩୬,୭୫,୦୦୮ଜଣ ହିତାଧିକାରୀଙ୍କୁ ମାସିକ ଭତ୍ତା ପ୍ରଦାନ କରାଯାଉଛି ।
ରାଜ୍ୟରେ ମଧୁବାବୁ ଭତ୍ତା ଯୋଜନା ଓ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅଧିନରେ ମୋଟ୍ ୫,୬୩,୧୩୬ ଜଣ ୮୦ବର୍ଷ ବୟସ୍କ କିମ୍ବା ତାହାଠାରୁ ଅଧିକ ବୟସର ବ୍ୟକ୍ତି ଓ ୮୦ ପ୍ରତିଶତରୁ ଉର୍ଦ୍ଧ୍ୱ ଭିନ୍ନକ୍ଷମ ଭତ୍ତା ପାଉଛନ୍ତି । ଏମାନଙ୍କ ମାସିକ ଭତ୍ତା ରାଶିକୁ ୩୫୦୦ ଟଙ୍କାକୁ ବୃଦ୍ଧି କରିବାପାଇଁ ରାଜ୍ୟ ସରକାର ବିଚାର କରୁଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି । (ତଥ୍ୟ)