ଭୁବନେଶ୍ୱର : ରାଜ୍ୟ ସରକାର ୮୦ବର୍ଷ ବୟସରୁ ଅଧିକ ହିତାଧିକାରୀଙ୍କ ସମେତ ୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ହିତାଧିକାରୀମାନଙ୍କୁ ମାସିକ ୩୫୦୦ ଟଙ୍କାର ଭତ୍ତା ଦେବାପାଇଁ ଘୋଷଣା କରିଥିବାବେଳେ ଏଥିରେ ପ୍ରାୟ ୪ଲକ୍ଷ ଭତ୍ତାଧାରୀ ଉପକୃତ ହେବେ । ଏଥି ମଧ୍ୟରେ ମଧୁବାବୁ ପେନସନ ଯୋଜନାରେ ଅଧିକ ବୟସ୍କ ହିତାଧିକାରୀ ରହିଥିବା ଜଣାଯାଇଛି ।
ରାଜ୍ୟରେ ଭତ୍ତାଧାରୀଙ୍କ ସଂଖ୍ୟା ସଂକ୍ରାନ୍ତରେ ବିଜେଡି ବିଧାୟକ ଗଣେଶ୍ୱର ବେହେରା ପଚାରିଥିବା ପ୍ରଶ୍ନର ଉତ୍ତରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଦେଇଥିବା ଉତ୍ତରରୁ ଏହି ସୂଚନା ମିଳିଛି । ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ରାଜ୍ୟରେ ଏବେ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ମୋଟ୍ ୪୭,୪୯,୨୮୭ ଜଣ ବ୍ୟକ୍ତି ଉପକୃତ ହେଉଛନ୍ତି ।
ଏହି ଭତ୍ତାଧାରୀଙ୍କ ମଧ୍ୟରେ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ୬୦ରୁ ୭୯ ବୟର ୧୨,୬୨,୯୨୨ ଜଣ ହିତାଧିକାରୀ ରହିଛନ୍ତି । ଏହି କେନ୍ଦ୍ରୀୟ ଯୋଜନାରେ ୮୦ବର୍ଷ ବା ତଦୁର୍ଦ୍ଧ ବୟସର ୧,୫୫,୭୦୯ ଜଣ ହିତାଧିକାରୀ ଥିବାବେଳେ ୫,୨୫,୦୪୫ ଜଣ ବିଧବା ଭତ୍ତା ଓ ୯୦,୨୮୩ ଜଣ ଭିନ୍ନକ୍ଷମ ଭତ୍ତା ପାଉଛନ୍ତିା
ରାଜ୍ୟ ସରକାର ଦେଉଥିବା ମଧୁବାବୁ ଯୋଜନାରେ ୬୦ ରୁ ୭୯ ବର୍ଷ ବୟସର ୩୪,୬୪,୩୨୩ ଜଣ ବ୍ୟକ୍ତି ଭତ୍ତା ପାଉଥିବାବେଳେ ୮୦ ବର୍ଷ ବା ତାହାଠାରୁ ଅଧିକ ବୟସର ୨,୧୦,୬୮୫ ଜଣ ଭତ୍ତାଧାରୀ ରହିଛନ୍ତି । ମଧୁବାବୁ ପେନ୍ସନ ଯୋଜନାରେ ୧,୪୦,୩୨୦ ଜଣ ଭିନ୍ନକ୍ଷମ ବ୍ୟକ୍ତି ଭତ୍ତା ପାଉଛନ୍ତି ।
ତେବେ ଜାତୀୟ ପେନ୍ସନ ଯୋଜନା ଓ ମଧୁବାବୁ ପେନ୍ସନ ଯୋଜନାରେ ଥିବା ୮୦ବର୍ଷ କିମ୍ବା ତଦୁର୍ଦ୍ଧ ବୟସର ବ୍ୟକ୍ତିଙ୍କ ସଂଖ୍ୟା ୩,୬୬,୩୯୪ ରହିଛି । ସେହିଭଳି ଏହି ଦୁଇ ଯୋଜନାରେ ୨,୩୦,୬୦୩ ଜଣ ଭିନ୍ନକ୍ଷମ ଭତ୍ତା ପାଉଛନ୍ତି । ତେବେ ଏମାନଙ୍କ ମଧ୍ୟରୁ କେତେଜଣ ୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ରହିଛନ୍ତି ତାହାର ଆକଳନ କରାଯିବ । ଯେଉଁମାନେ ଏହି ବର୍ଗରେ ଆସିବେ ସରକାରଙ୍କ ଘୋଷଣା ଅନୁଯାୟୀ ସେମାନେ ମାସକୁ ୩୫୦୦ ଟଙ୍କା କରି ଭତ୍ତା ପାଇବେ ।
ତେଣୁ ବର୍ତ୍ତମାନ ୮୦ବର୍ଷ ଓ ତଦୁର୍ଦ୍ଧ ବୟସର ଭତ୍ତା ପାଉଥିବା ବ୍ୟକ୍ତିଙ୍କ ସମେତ ଭିନ୍ନକ୍ଷମ ଆକଳନ ପରେ ମାସିକ ୩୫୦୦ ଟଙ୍କା ଭତ୍ତା ପାଇବାକୁ ଥିବା ବ୍ୟକ୍ତିଙ୍କ ସଂଖ୍ୟା ୪ଲକ୍ଷରୁ ଅତିକ୍ରମ କରିଯିବ ବୋଲି ଅନୁମାନ କରାଯାଉଛି । ଏମାନଙ୍କ ବାଦ୍ ଅନ୍ୟମାନେ ପୂର୍ବଭଳି ୧୦୦୦ ଟଙ୍କା କରି ଭତ୍ତା ପାଇବେ । ଉଲ୍ଲେଖନୀୟ ଯେ ଜାତୀୟ ପେନ୍ସନ ଯୋଜନାରେ ୬୦ରୁ ୭୯ବର୍ଷ ବୟସର ବ୍ୟକ୍ତି ମାସିକ ୧୦୦୦ ଟଙ୍କା ଭତ୍ତା ପାଉଥିବାବେଳେ ରାଜ୍ୟ ସରକାର ଏଥିପାଇଁ ୮୦୦ ଟଙ୍କା ପ୍ରଦାନ କରୁଛନ୍ତି । ମଧୁବାବୁ ପେନ୍ସନ ଯୋଜନାରେ ଏହି ବର୍ଗର ଭତ୍ତାଧାରୀଙ୍କ ପାଇଁ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି । (ତଥ୍ୟ)