ଭୁବନେଶ୍ୱର :ଆଜି ଭୁବନେଶ୍ୱର ମହାନଗର ନିଗମ ଏବଂ ଅଏଲ ଇଣ୍ଡିଆ ଲିମିଟେଡ୍ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି । ଅଏଲ ଇଣ୍ଡିଆ ଲିମିଟେଡ୍ ପକ୍ଷରୁଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୧୭୫ କୋଟି ଟଙ୍କା ବ୍ୟୟରେ ୨୦୦ ଟିପିଡି (ଟନ୍ ପର୍ ଡେ) ବିଶିଷ୍ଟ କମ୍ପ୍ରେସଡେ ବାୟୋଗ୍ୟାସ୍ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ଯାଉଛି ।
ସେଥିପାଇଁ ଅଏଲ୍ ଇଣ୍ଡିଆ ଲିମିଟେଡର ପରିଚାଳନା ନିର୍ଦେଶକଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସମେତ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ, ବି ଏମ୍ ସି କମିଶନର ରାଜେଶ ପ୍ରଭାକର ପାଟିଲ, ଅତିରିକ୍ତ ସଚିବ ବିନୟ କୁମାର ଦାଶ, ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ, ସାନିଟେସନ ଷ୍ଟାଣ୍ଡିଂ କମିଟିର ସଦସ୍ୟ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ, ଅଏଲ୍ ଇଣ୍ଡିଆର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଡକ୍ଟର ରଞ୍ଜିତ ରଥ, ଡାଇରେକ୍ଟର ଅପରେସନ ଶ୍ରୀ ତ୍ରୈଲୋକ୍ୟ ବୋରଗୋହିଁ, କାର୍ଯ୍ୟନିର୍ବାହୀ ନିର୍ଦେଶକ (ବିଜନେସ୍ ଡେଭଲପମେଣ୍ଟ) ଶ୍ରୀ ରଞ୍ଜନ ଗୋସ୍ୱାମୀ ପ୍ରମୁଖଙ୍କ ସହ ବି ଏମ୍ ସି ଓ ଅଏଲ ଇଣ୍ଡିଆର ପ୍ରମୁଖ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ଥିଲେ ।
ବର୍ଜ୍ୟରୁ ପ୍ରସ୍ତୁତ ହେବ ବାୟୋଗ୍ୟାସ୍ । ଆଉ ସେହି ବାୟୋ ଗ୍ୟାସକୁ ସିଏଏନ୍ ଜି ଗ୍ୟାସକୁ ରୂପାନ୍ତରିତ ହେବ। କେବଳ ସେତିକି ନୁହେଁ, ଏଥିରୁ ପ୍ରସ୍ତୁତ ଖତ ଅର୍ଗାନିକ ଫାର୍ମିଂକୁ ବେଶ ଉତ୍ସାହିତ କରିବ । ଅଏଲ ଇଣ୍ଡିଆ ପକ୍ଷରୁ ପ୍ରଥମଥର ପାଇଁ ଏପରି ପଦେକ୍ଷେପ ନେଇଥିବାରୁ ମାନ୍ୟବର ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଧନ୍ୟବାଦ ଦେବା ସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆହୁରି ୬ରୁ ୮ଟି ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ଅନୁରୋଧ ଜଣାଇଥଛନ୍ତି ।
ଏହା ଦ୍ୱାରା ଭୁବନେଶ୍ୱର ମହାଗନର ନିଗମ ଆଉ ଏକ ମାଇଲ ଖୁଣ୍ଟ ସୃଷ୍ଟି କରିବା ସହ ଆଗାମୀ ଦିନରେ ଭୁବନେଶ୍ୱର ମହାନଗର ନିଗମକୁ ସ୍ୱଚ୍ଛ, ସବୁଜ ଓ ସୁନ୍ଦର ରଖିବାରେ ବେଶ ସହାୟକ ହୋଇପାରି । ତେବେ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ଅତି କମରେ ଦୁଇ ବର୍ଷ ଲାଗିବ ବୋଲି ଅଏଲ ଇଣ୍ଡିଆ ପକ୍ଷରୁ କୁହାଯାଇଛି । ମାତ୍ର ଯୁଦ୍ଧ କାଳୀନ ଭିତ୍ତିରେ ଅର୍ଥାତ 2 ବର୍ଷ ପୂର୍ବରୁ କାମ ସାରିବାକୁ ଉପସ୍ଥିତ ଅଏଲ ଇଣ୍ଡିଆର ପରିଚାଳନା ନିର୍ଦେଶକ ତଥା ବରିଷ୍ଠ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି ମାନ୍ୟବର ମନ୍ତ୍ରୀ । ସେ ଆହୁରି କହିଛନ୍ତି ଯେ, ଏଥିପାଇଁ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ସହଯୋଗର ହାତ ବଢାଇଥିବାରୁ ତାଙ୍କୁ ମଧ୍ୟ ଧନ୍ୟବାଦ ଦେଇଥିଲେ ।
ବର୍ଜ୍ୟ ପରିଚାଳନାରେ ବି ଏମ୍ ସି ସମଗ୍ର ଦେଶରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଆଉ ଏହି ବାୟୋଗ୍ୟାସ୍ ପ୍ଲାଣ୍ଟ କାର୍ଯ୍ୟକାରୀ ହେଲେ ବି ଏମ୍ ସି ଆଉ ପାଦେ ଆଗକୁ ଯିବ । ବାୟୋଗ୍ୟାସ୍ ପ୍ଲାଣ୍ଟ ପ୍ରତିଷ୍ଠା କରିବା ପାଇଁ ଅଏଲ୍ ଇଣ୍ଡିଆ ଲିମିଟେଡ୍ ଆଗେଇ ଆସିଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ ।
ଏହି ପ୍ଲାଣ୍ଟ ପ୍ରତିଷ୍ଠା ଦ୍ୱାରା ଅପରିଚାଳିତ ବର୍ଜ୍ୟର ପ୍ରକ୍ରିୟାକରଣ ହୋଇପାରିବ ଏବଂ ଚରମ ଉପାଦେୟତା ନାଗରିକମାନଙ୍କ ନିକଟରେ ପହଞ୍ଚିବ । ସ୍ୱଚ୍ଛ ଓ ସୁସ୍ଥ ପରିବେଶ ସହ ଲୋକମାନଙ୍କର ଜୀବନ ଧାରଣ ମାନ ବୃଦ୍ଧି ହେବ ବୋଲି ସେ କହିଛନ୍ତି । ଏହି ପ୍ଲାଣ୍ଟ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାର ସ୍ୱୀକୃତି ପ୍ରଦାନ କରିବା ସହ ୮ ଏକର ଜମି ଯୋଗାଇ ଦେବାକୁ ରାଜି ହୋଇଛନ୍ତି । ଜମି ମଧ୍ୟ ଚିହ୍ନଟ ହୋଇସାରିଛି ।
ଅପରପକ୍ଷେ ଅଏଲ ଇଣ୍ଡିଆ ପକ୍ଷରୁ ୧୭୫ କୋଟି ଟଙ୍କା ବ୍ୟୟରେ ଏହି ପ୍ଲାଣ୍ଟ ପ୍ରତିଷ୍ଠା ହେବ । ଅଏଲ୍ ଇଣ୍ଡିଆର ଅଭିଜ୍ଞତା ଥିବାରୁ, ଏଠାରୁ ଉତ୍ପାଦିତ ବାୟୋ ଗ୍ୟାସ୍ ଓ ସିଏନ୍ ଜି ବିକ୍ରି ଦାୟିତ୍ୱ ଅଏଲ ଇଣ୍ଡିଆ ନେବ। ଖାଲି ସେତିକି ନୁହେଁ, ଏହା ଦ୍ୱାରା ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ଭୁବନେଶ୍ୱର ପରିବେଶ ଅନୁକୂଳ ସ୍ୱଚ୍ଛ, ସବୁଜ ଓ ସୁନ୍ଦର ହୋଇ ରହିବ ବୋଲି ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷାପାଢୀ କହିଛନ୍ତି ।
ବାୟୋଗ୍ୟାସ୍ ପ୍ଲାଣ୍ଟ ପ୍ରତିଷ୍ଠା କରିବା ପାଇଁ ଅଏଲ୍ ଇଣ୍ଡିଆ ଲିମିଟେଡ୍ ନିଜର ଆଗ୍ରହ ପ୍ରକାଶ କରିଥିବାରୁ ସେଥିପାଇଁ ତାଙ୍କୁ ବଧେଇ ଜଣାଇଛନ୍ତି ଭୁବନେଶ୍ୱର ମହାନଗର ନିଗମ କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲ । ପ୍ଲାଣ୍ଟ ପ୍ରତିଷ୍ଠା କରିବା ପାଇଁ ସମସ୍ତ ପ୍ରକାର ସହାୟତା ରାଜ୍ୟ ସରକାର ଏବଂ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଯୋଗାଇ ଦିଆଯିବ । ଆଗାମୀ ୨ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ ନିର୍ମାଣ କାମ ଶେଷ କରିବାକୁ ଅଏଲ୍ ଇଣ୍ଡିଆ ଲିମିଟେଡ୍ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଏଥିପାଇଁ ଅଏଲ ଇଣ୍ଡିଆ ଲିମିଟେଡ୍ ଆର୍ଥିକ ସହାୟତା, ବୈଷୟିକ ଜ୍ଞାନ କୌଶଳ, ଉତ୍ପାଦିତ ସାମଗ୍ରୀର ବିକ୍ରି ଏବଂ ରିକ୍ସ ମ୍ୟାନେଜମେଣ୍ଟ ଆଦି କ୍ଷେତ୍ରରେ ସହାୟତା ଯୋଗାଇ ଦେବାରେ ବିଶେଷ ଅଭିଜ୍ଞତା ରହିଛି ।
ତେବେ ଯେତେ ଶୀଘ୍ର ସମ୍ଭବଃ ସେତେଶୀଘ୍ର କାମ ସାରିବାକୁ ପରାମର୍ଶ ଦେଇଛନ୍ତି ବିଏମ୍ ସି କମିଶନର ଶ୍ରୀ ରାଜେଶ ପ୍ରଭାକରପାଟିଲ । ସଂପ୍ରତ୍ତି ଭୁବନେଶ୍ୱରରୁ ଦୈନିକ ୩୮୦ ଟନ୍ ଓଦା ବର୍ଜ୍ୟବସ୍ତୁ ଉତ୍ପନ୍ନ ହେଉଛି । ଏଥିରୁ ୧୨୦ ଟନ୍ ବୈଜ୍ଞାନିକ ପଦ୍ଧତିରେ ୩୭ଟିମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟରରେ ପ୍ରକ୍ରିୟାକରଣ କରାଯାଉଛି । ସେଥିରୁ ‘ମୋ ଖତ’ ଭାବରେ, ଅବଶିଷ୍ଟ ୨୬୦ ଟନ୍ ପାରମ୍ପାରିକ ଭାବରେ ୱିଣ୍ଡୋ କମ୍ପୋଷ୍ଟିଂ ସେଣ୍ଟରରେ ପ୍ରକ୍ରିୟାକରଣ କରାଯାଉଛି ।
ଏହି ବର୍ଜ୍ୟକୁ ପ୍ରକ୍ରିୟାକରଣ କରି ସେଥିରୁ ବାୟୋ ଗ୍ୟାସ୍ ଉତ୍ପାଦନ କରିବା ପାଇଁ ଅତ୍ୟାଧୁନିକ ଜ୍ଞାନ କୌଶଳ ପ୍ରୟୋଗ ହେଉଥିବାରୁ ଏହି ପ୍ରକଳ୍ପ ପରିବେଶ ଅନୁକୂଳ । ସ୍ୱଚ୍ଛ ଶକ୍ତିକୁ ପ୍ରୋତ୍ସାହିତ କରିବା ସହ ଭୁବନେଶ୍ୱର ମହାନଗର ନିଗମ ଅଂଚଳ ନାଗରିକଙ୍କ ଜୀବନ ଧାରଣମାନ ବୃଦ୍ଧି କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିବ ।ଏଥିରୁ ଉତ୍ପାଦିତ ଜୈବସାର, ଅର୍ଗାନିକ ଫାର୍ମିଂକୁ ପ୍ରୋତ୍ସାହିତ କରିବ ବୋଲି ସେ କହିଛନ୍ତି ।
ପ୍ଲାଣ୍ଟ ପାଇଁ ବି ଏମ୍ ସି ଆବଶ୍ୟକ ଜୈବ ବିଘଟନ ଯୋଗ୍ୟ ବର୍ଜ୍ୟ ଯୋଗାଇ ଦେବ । ଏହି ପ୍ରକଳ୍ପକୁ ସଫଳତାର ସହ ଚାଲୁ କରିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସୁବିଧା ଓ ସହାୟତା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିବାରୁ ସେ ରାଜ୍ୟ ସରକାରଙ୍କୁ ଖାସ୍ କରି ବିଭାଗୀୟ ମନ୍ତ୍ରୀ ମହୋଦୟଙ୍କୁ ଧନ୍ୟବାଦ ଜଣାଇଛନ୍ତି ।