ଭୁବନେଶ୍ୱର : ରାଜ୍ୟର ୧୧୦ଟି ମ୍ୟୁନିସିପାଲିଟି ଓ ଏନଏସିରୁ ଯେତିକି ପରିମାଣର ବର୍ଜ୍ୟଜଳ ବାହାରୁଛି ତାହାର ୨ ପ୍ରତିଶତରୁ କମ୍ ପରିଚାଳନା କରାଯାଉଛି । ରାଜ୍ୟର ୪ଟି ମହାନଗର ନିଗମ ସମେତ ପୁରୀ ପୌରସଂସ୍ଥା ଏହି ବର୍ଜ୍ୟଜଳ ତାଲିକାରେ ନାହିଁ ।
ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟର ୧୧୦ ଟି ପøରାଞ୍ଚଳରେ ବର୍ତ୍ତମାନ ପ୍ରାୟ ୬ଲକ୍ଷ ୭୫ହଜାର ପରିବାର ବସବାସ କରୁଥିବାବେଳେ ୫୦ଲକ୍ଷରୁ ଅଧିକ ଜନସଂଖ୍ୟା ରହିଛନ୍ତି । ଏମାନେ ବ୍ୟବହାର କରୁଥିବା ଜଳରୁ ବାହାରୁଥିବା ବର୍ଜ୍ୟଜଳର ପରିମାଣ ଦୈନିକ ୪୪୫ ନିୟୁତ ଲିଟର ରହିଛି । ତେବେ ଏଥିରୁ ମାତ୍ର ୮ନିୟୁତ ଲିଟରରୁ ସାମାନ୍ୟ ଅଧିକ ଜଳ ବିଶୋଧନ କରାଯାଇ ପାରୁଛି । ଏହାର ପରିମାଣ ମୋଟ୍ ବାହାରୁଥିବା ବର୍ଜ୍ୟଜଳ ପରିମାଣର ୧.୮୬ ପ୍ରତିଶତ ରହିଥିବା ସରକାରୀ ଭାବେ କୁହାଯାଉଛି ।
ତେବେ ସରକାର ବର୍ଜ୍ୟଜଳ ପରିଚାଳନା ଯେଉଁ ଯେଉଁ ତଥ୍ୟ ଦର୍ଶାଇଛନ୍ତି ସେଥିରେ ଭୁବନେଶ୍ୱର ମହାନଗର ନିଗମ, କଟକ ମହାନଗର ନିଗମ, ସମ୍ବଲପୁର ମହାନଗର ନିଗମ, ବ୍ରହ୍ମପୁର ମହାନଗର ନିଗମ ଏବଂ ପୁରୀ ପୌରସଂସ୍ଥା ସାମିଲ ହୋଇନାହାନ୍ତି । ଏହିସବୁ ପୌରସଂସ୍ଥାରୁ ବାହାରୁଥିବା ବର୍ଜ୍ୟଜଳ ଓ ତାହାର ପରିଚାଳନାର ତଥ୍ୟ ଉପସ୍ଥାପନ କରାଗଲେ ବହୁ ଉଦବେଗଜନକ ସ୍ଥିତି ପଦାକୁ ଆସି ବୋଲି ପରିବେଶବିତ୍ମାନେ ମତ ଦେଉଛନ୍ତି ।
ଉଲ୍ଲେଖନୀୟ ଯେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ରୁ ବାହାରୁଥିବା ବର୍ଜ୍ୟଜଳ ଦୟାନଦୀରେ ମିଶିବା ଫଳରେ କେବଳ ଦୟାଉପକୂଳରେ ଥିବା ଗାଁ ଗୁଡିକରେ ଲୋକେ ବିଭିନ୍ନ ରୋଗରେ ପଡୁନାହନ୍ତି, ଏହାର ପ୍ରଭାବରେ ଚିଲିକାର ଜଳ ପ୍ରଦୂଷିତ ହେଉଥିବା ଏଠାରେ ମାଛ ଓ କଙ୍କଡା ବଂଶ ହ୍ରାସ ପାଉଥିବା ନେଇ ପରିବେଶବିତ୍ମାନେ ବାରମ୍ବାର ଅଭିଯୋଗ କରିବାରେ ଲାଗିଛନ୍ତି ।
ରାଜ୍ୟରେ ଏକ ଲକ୍ଷରୁ ଉର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ପୌରାଞ୍ଚଳର ସଂଖ୍ୟା ୯ଟି ରହିଛି । ଏଗୁଡିକ ମଧ୍ୟରେ ବ୍ରହ୍ମପୁର, ବାଲେଶ୍ୱର, ବାରିପଦା, ଭଦ୍ରକ, ବଲାଙ୍ଗିର, ଝାରସୁଗୁଡା, ଜୟପୁର, ବରଗଡ ଓ ବ୍ରଜରାଜନଗର ରହିଛି । ତେବେ ରାଜ୍ୟରେ ଥିବା ୧୧୫ଟି ପୌରାଞ୍ଚଳ ମଧ୍ୟରୁ ୧୧୦ ଟି ସହରାଞ୍ଚଳରେ ଲୋକେ ବ୍ୟବହାର କରୁଥିବା ଜଳକୁ ଛାଡିବାପାଇଁ ସ୍ୱରେଜ ବ୍ୟବସ୍ଥାନାହିଁ । ଏହିସବୁ ସ୍ଥାନରେ ଜଳଗୁଡିକୁ ଖୋଲାନାଳକୁ ଛଡାଯାଇଥାଏ ।
ରାଜ୍ୟରେ ଥିବା ୪ଟି ମହାନଗର ନିଗମ ସମେତ ପୁରୀ ପୌରାଞ୍ଚଳରେ ସ୍ୱରେଜ ବ୍ୟବସ୍ଥା ରହିଥିବାବେଳେ ତାହା ମଧ୍ୟରୁ ବ୍ୟବହାର ହେଉଥିବା ଜଳ ଛଡାଯାଇଥାଏ । ଏଠାରେ ଜଳ ପରିଚାଳନା ପାଇଁ ୧୨ଟି ଟ୍ରିଟମେଣ୍ଟ ପ୍ଲାଣ୍ଟ ରହିଥିବାବେଳେ ତାହାର ଏହାର କ୍ଷମତା ଦୈନିକ ୩୭୩ ନିୟୁଜ ଲିଟର ଜଳ ରହିଛି । ତେବେ ଏହିସବୁ ସହରାଞ୍ଚଳରୁ ନର୍ଦ୍ଦମା ସମେତ ବାହାରୁଥିବା ବର୍ଜ୍ୟ ଜଳ ମଧ୍ୟରୁ ଦୈନିକ ମାତ୍ର ୧୮୬ ନିୟୁତ ଜଳର ପରିଚାଳନା ହୋଇପାରୁଛି ।
ରାଜ୍ୟର ସହରାଞ୍ଚଳରେ ଜନସଂଖ୍ୟା ବଢି ଚାଲିଥିବାବେଳେ ବାହାରୁଥିବା ବର୍ଜ୍ୟଜଳର ପରିମାଣ ମଧ୍ୟ ବୃଦ୍ଧି ପାଉଛି । ଏଭଳି ସ୍ଥିତିରେ ବର୍ଜ୍ୟଜଳର ପରିଚାଳନା ପାଇଁ ବ୍ୟବସ୍ଥା ହେଉନଥିବାରୁ କେବଳ ସହରାଞ୍ଚଳର ପରିବେଶ ବିଗୁଡୁନାହିଁ, ସହରତଳି ଅଞ୍ଚଳ ଅଞ୍ଚଳ ଆଖପାଖରେ ଥିବା ନଦୀ ନାଳ ଓ ଜଳଉତ୍ସ ଗୁଡିକ ବ୍ୟାପକ ଭାବେ ପ୍ରଦୂଷିତ ହେବାରେ ଲାଗିଛି । (ତଥ୍ୟ)