ଭୁବନେଶ୍ୱର : ଓଡିଶା ସରକାର ବରିଷ୍ଠ ନାଗରିକ ରାଜ୍ୟ ପରିଷଦର ପୁର୍ନଗଠନ କରିଛନ୍ତି । ଏ ନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି ।
ଏହି ବିଜ୍ଞପ୍ତି ଅନୁଯାୟୀ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ପରିଷଦର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ । ସେହିଭଳି ଏହାର ସଦସ୍ୟ ପଦବୀରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଗୃହ, ବାଣିଜ୍ୟ ଓ ପରିବହନ, ସୂଚନା ଓ ଲୋକସମ୍ପର୍କ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଆଦି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, କମିଶନର ଓ ସଚିବ ଆଦି ପରିଷଦର ସଦସ୍ୟ ଭାବେ କାର୍ଯ୍ୟ କରିବେ ।
ସେହିଭଳି ହେଲ୍ପ ଏଜ୍ ଇଣ୍ଡିଆର ରାଜ୍ୟ ମୁଖ୍ୟ ଏବଂ ଭୁବନେଶ୍ୱରରେ ଥିବା ବୋଉ ଫାଉଣ୍ଡେସନର ପ୍ରତିଷ୍ଠାତା ଏହାର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି । ଏମାନଙ୍କ ବ୍ୟତିତ ଏଫ୍ଓଏସସିଏଓର ସଭାପତି ଡକ୍ଟର ପ୍ରସନ୍ନ କୁମାର ଦାସ, ପ୍ରତିଷ୍ଠାତା ସଭାପତି କୃପାସିନ୍ଧୁ ସାହୁ, ନବରଙ୍ଗପୁର ବରିଷ୍ଠ ନାଗରିକ ସଂଘର ସଭାପତି ତଥା ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଡକ୍ଟର ରାଧାନାଥ ବେହେରା, ଅବସରପ୍ରାପ୍ତ ଆଇଏଏସ୍ ଅଫିସର ହୃଷିକେଶ ତ୍ରିପାଠୀ, ଶ୍ରୀମତୀ ପ୍ରମିଳା ବୋହିଦାର ସଦସ୍ୟ ଭାବେ ମନୋନୀତ ହୋଇଥିବାବେଳେ ଏସଏସଇପିଡି ବିଭାଗର ବରିଷ୍ଠ ନାଗରିକଙ୍କ ଦାୟିତ୍ୱରେ ଥିବା ନିର୍ଦ୍ଦେଶକ, ସ୍ୱତନ୍ତ୍ର ସଚିବ, ନିର୍ଦ୍ଦେଶକ, ଅତିରିକ୍ତ ସଚିବ ଆଦି ସଦସ୍ୟ ସଚିବ ଭାବେ ଦାୟିତ୍ୱ ନିର୍ବାହ କରିବେ ।
ବରିଷ୍ଠ ନାଗରିକ ରାଜ୍ୟପରିଷଦର ସଦସ୍ୟଙ୍କ କାର୍ଯ୍ୟକାଳ ୨ବର୍ଷ ରହିବ । ପ୍ରତ୍ୟେକ ୬ମାସରେ ଥରେ ରାଜ୍ୟ ପରିଷଦର ବୈଠକ ବସିବ । ପରିଷଦ ବରିଷ୍ଠ ନାଗରିକଙ୍କ ପାଇଁ ଆବଶ୍ୟକ ବିଭିନ୍ନ ସୁବିଧା ସୁଯୋଗ ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା ସହିତ ଏହାକୁ ପାରିତ କରିବ ।
ବରିଷ୍ଠ ନାଗରିକଙ୍କ ଅବସ୍ଥାରେ ଉନ୍ନତି ବିଧାନ ପାଇଁ ପରିଷଦ ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସ୍ତାବ ସୁପାରିଶ୍ କରିବ । ଏଥି ସହିତ ବରିଷ୍ଠ ନାଗରିକମାନଙ୍କର ଅଧିକାର, ସନ୍ତାନ ସନ୍ତତିମାନେ ସେମାନଙ୍କ ରକ୍ଷଣା ବେକ୍ଷଣ ପାଇଁ ଥିବା ଆଇନ୍ ସଂକ୍ରାନ୍ତରେ ଲୋକଙ୍କୁ ସଚେତନ ପାଇଁ ପଦକ୍ଷେପ ନେବେ । ରାଜ୍ୟରେ ବରିଷ୍ଠ ନାଗିରକମାନଙ୍କ ପାଇଁ ଯୋଜନା ପ୍ରସ୍ତୁତି, ତାହାକୁ କାର୍ଯ୍ୟକାରୀ କରିବା ଆଦି ପାଇଁ ରାଜ୍ୟ ପରିଷଦ ଉତ୍ତରଦାୟୀ ରହିବ । (ତଥ୍ୟ)