ଭୁବନେଶ୍ୱର : ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀଙ୍କ ବରିଷ୍ଠତା ତାଲିକା ଘେନି ଅଦାଲତରେ ମାମଲା ଚାଲିଥିବାରୁ ପ୍ରାୟ ୫ବର୍ଷ ଧରି କନିଷ୍ଠ ବର୍ଗର ଓଏଏସ୍ମାନେ ବରିଷ୍ଠ ବର୍ଗକୁ ପଦୋନ୍ନତି ପାଇପାରୁ ନାହାନ୍ତି । ଏଥିଯୋଗୁ ବିଭିନ୍ନ ଜିଲ୍ଲାରୁ ସଚିବାଳୟ ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ଶତାଧିକ ଓଏଏସ୍ ପଦବୀ ଖାଲି ପଡିଛି ।
ଆଇନ ଅଦାଲତଙ୍କ କଟକଣା ଯୋଗୁ କନିଷ୍ଠ ବର୍ଗ ଓଏଏସ୍ଙ୍କ ବରିଷ୍ଠତା ତାଲିକା ୨୦୨୧ ମସିହାରୁ ଏଯାବତ୍ ଚୂଡ଼ାନ୍ତ ହୋଇପାରୁ ନାହିଁ । ଏଠାରେ ଉଲ୍ଲେଖନୀୟ ଯେ ୨୦୨୧ ଡିସେମ୍ବର ମାସରେ ରାଜସ୍ୱ ବିଭାଗ ଯେଉଁ ଚିଠା ବରିଷ୍ଠତା ତାଲିକା ପ୍ରସ୍ତୁତ କରିଥିଲା ସେଥିରେ ତ୍ରୁଟି ବିଚ୍ୟୁତି ଥିବା ଅଭିଯୋଗ ଆଣି ୪ଜଣ ଓଏଏସ୍ ଅଫିସର ହାଇକୋର୍ଟରେ ମାମଲା ରୁଜୁ କରିଥିଲେ । ଏହି ମାମଲାରେ ସେତେବେଳେ ଅଦାଲତ ଯେଉଁ ଅନ୍ତରୀଣ ଆଦେଶ ଦେଇଥିଲେ ତାହା ଏଯାବତ୍ ବଳବତ୍ତର ରହିଛି । ଏ ପରିପ୍ରେକ୍ଷୀରେ ରାଜସ୍ୱ ବିଭାଗ ବରିଷ୍ଠତା ତାଲିକା ଚୂଡ଼ାନ୍ତ କରିପାରୁନଥିବାରୁ ସାଧାରଣ ପ୍ରଶାସନ ବିଭାଗ ପଦୋନ୍ନତି ଦେଇପାରୁ ନାହିଁ ।
ଇତିମଧ୍ୟରେ ବରିଷ୍ଠତା ତାଲିକା ଚୂଡ଼ାନ୍ତ କରିବା ପ୍ରସଂଗରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଓ ଆଇନ୍ଗତ ଉପଦେଶ ଦେବା ଲାଗି ରାଜସ୍ୱ ବିଭାଗ ପକ୍ଷରୁ ଦୁଇବର୍ଷ ଧରି ଆଡଭୋକେଟ୍ ଜେନେରାଲ୍ଙ୍କୁ ଅନୁରୋଧ କରାଯାଇଛି । ଏମିତିକି ୨୦୨୪ ମସିହାରେ ଏ ସଂକ୍ରାନ୍ତରେ ବିଧିବଦ୍ଧ ନଥି ପ୍ରସ୍ତୁତ କରି ମଧ୍ୟ ପଠାଯାଇଛି । ତେବେ ୨୦୨୪ ପରଠାରୁ ଏହି ମାମଲା ବାରମ୍ବାର ଶୁଣାଣି ପାଇଁ ଅଦାଲତରେ ତାଲିକାଭୁକ୍ତ ହେଉଥିବା ପରିପ୍ରେକ୍ଷୀରେ ତାହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସମ୍ଭବପର ହେଉନାହିଁ ।
ଇତିମଧ୍ୟରେ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଗତ ୧୭ ତାରିଖରେ ପୁଣିଥରେ ଆଡଭୋକେଟ୍ ଜେନେରାଲଙ୍କୁ ଏ ସଂକ୍ରାନ୍ତରେ ବିଧିବଦ୍ଧ ପତ୍ର ଲେଖି ବରିଷ୍ଠ ଓଏଏସ୍ କ୍ୟାଡ୍ରରେ ବ୍ୟାପକ ପଦବୀ ଖାଲି ପଡିଥିବା ପରିପ୍ରେକ୍ଷୀରେ ପ୍ରଶାସନିକ କାର୍ଯ୍ୟ ବ୍ୟାହତ ହେଉଥିବା ଦୃଷ୍ଟିରୁ କିପରି ତୁରନ୍ତ ଚୂଡ଼ାନ୍ତ ବରିଷ୍ଠତା ତାଲିକା ପ୍ରକାଶ ପାଇବ ସେ ସଂକ୍ରାନ୍ତରେ ପଦକ୍ଷେପ ନେବାକୁ ଅନୁରୋଧ କରିଥିବା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।
ରାଜ୍ୟ ସରକାର ଏ ପ୍ରସଂଗରେ ହାଇକୋର୍ଟଙ୍କ ନିର୍ଦ୍ଦିଷ୍ଟ ରାୟ ଓ ଆଡଭୋକେଟ୍ ଜେନେରାଲଙ୍କ ଆଇନ୍ଗତ ପରାମର୍ଶକୁ ଅପେକ୍ଷା କରିଛନ୍ତି । ୫ବର୍ଷ ଧରି ପଦୋନ୍ନତି ପ୍ରକ୍ରିୟା ବ୍ୟାହତ ହେଉଥିବା ଦୃଷ୍ଟିରୁ ଉପ ଶାସନ ସଚିବ ଓ ଅନୁ ଶାସନ ସଚିବ ପାହ୍ୟାର ଅନେକ ପଦବୀ ପୂରଣ ହୋଇପାରୁ ନାହିଁ । ଫଳରେ ବିଭିନ୍ନ ଜିଲ୍ଲାରେ ଜଣେ ଜଣେ ଓଏଏସ୍ ଅଧିକାରୀଙ୍କୁ ଏକାଧିକ ପଦବୀର ଅତିରିକ୍ତ ଦାୟିତ୍ୱ ମୁଣ୍ଡାଇବାକୁ ପଡୁଛି । ତେଣେ ପଦୋନ୍ନତି ଘେନି ଅନିଶ୍ଚିତତା ମଧ୍ୟରେ ରହୁଥିବାରୁ ବହୁ ଅଧିକାରୀଙ୍କର କାମ କରିବାର ସ୍ଫୃହା କମିଯାଉଛି ।
ଇତିମଧ୍ୟରେ ଏ ସଂକ୍ରାନ୍ତରେ ଏକାଧିକ ମାମଲା ହାଇକୋର୍ଟରେ ରୁଜୁ ହୋଇଛି । ତେବେ ମୂଳ ମାମଲାର ଶୁଣାଣି ଶେଷ କରି ହାଇକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି ବୋଲି ସାଧାରଣ ପ୍ରଶାସନ ବିଭାଗର ଜଣେ ଅଧିକାରୀ କହିଛନ୍ତି । ହାଇକୋର୍ଟଙ୍କ ରାୟ ମିଳିବା ପରେ ବରିଷ୍ଠତା ତାଲିକା ଚୂଡ଼ାନ୍ତ ଓ ପଦୋନ୍ନତି ସଂକ୍ରାନ୍ତରେ ସରକାର ନିଷ୍ପତ୍ତି ନେବେ ।
ଅନ୍ୟପକ୍ଷରେ କିଛି ଓଏଏସ୍ ଅଧିକାରୀ କହୁଛନ୍ତି ଯେ ବରିଷ୍ଠତା ତାଲିକା ପ୍ରସ୍ତୁତି କ୍ଷେତ୍ରରେ ସ୍ୱଚ୍ଛତା ଓ ନିରପେକ୍ଷତା ରହୁନଥିବାରୁ ନିର୍ଦ୍ଦିଷ୍ଟ ଅଧିକାରୀଙ୍କ ପ୍ରତି ପକ୍ଷପାତ ନୀତି ଅନୁସରଣ କରାଯାଉଛି । ତେଣୁ ଅଯଥାରେ ମାମଲା ସଂଖ୍ୟା ବଢ଼ୁଛି । ପ୍ରତି ବର୍ଷ ଓଏଏସ୍ ନିଯୁକ୍ତି, ପଦୋନ୍ନତି ଓ ମନୋନୟନ ଭିତ୍ତିରେ ନିଯୁକ୍ତି କରାଗଲେ ଏଭଳି ସମସ୍ୟା ଉପୁଜନ୍ତା ନାହିଁ । ବିଶେଷକରି ଯୋଗ୍ୟତା ତାଲିକା ପ୍ରସ୍ତୁତ ବେଳେ ଓଡ଼ିଶା ଲୋକସେବା ଆୟୋଗର ତ୍ରୁଟି ବିଚ୍ୟୁତି ପାଇଁ ଅନେକ କ୍ଷେତ୍ରରେ ମାମଲା ବଢ଼ିବା ସହିତ ସରକାରଙ୍କୁ ତଣ୍ଡ ଗଣିବାକୁ ପଡୁଛି । ସରକାର ନିଜେ କରିଥିବା ବିଧିବ୍ୟବସ୍ଥାକୁ ଠିକଣା ଭାବେ ନିଜେ ଅନୁପାଳନ କଲେ ଏଭଳି ସମସ୍ୟା ଉପଜନ୍ତା ନାହିଁ ବୋଲି ବିଧିବିଶେଷଜ୍ଞମାନେ ମତ ଦେଉଛନ୍ତି ।(ତଥ୍ୟ)

