ଭୁବନେଶ୍ୱର : ଓଡିଶା ପ୍ରଶାସନିକ ସେବା ଓ ଓଡିଶା ରାଜସ୍ୱ ସେବାରେ ଥିବା ଅଧିକାରୀମାନଙ୍କର ବରିଷ୍ଠତା ତାଲିକା ବିବାଦ ଯୋଗୁଁ ଓଏଏସ୍ କ୍ୟାଡରରେ ବର୍ଷାଧିକାଳ ଧରି ପଦୋନ୍ନତି ବାଧାପ୍ରାପ୍ତ ହେଉଛି । ଏଥିଯୋଗୁଁ ବହୁ ପଦ ପଦବୀ ଖାଲି ପଡୁଥିଲେ ମଧ୍ୟ ତାହା ପୂରଣ ହୋଇପାରୁନଥିବାବେଳେ ତଳ ପାହ୍ୟାରେ ଅନେକ ଅଧିକାରୀ ବିନା ପଦୋନ୍ନତିରେ ଅବସରଗ୍ରହଣ କରିବାକୁ ବାଧ୍ୟ ହେଉଛନ୍ତି ।
ଓଡିଶା ପ୍ରଶାସନିକ ସେବା ଆଇନ୍ ମୁତାବକ ପ୍ରତିବର୍ଷ ଏହି କ୍ୟାଡରରେ ପ୍ରତ୍ୟକ୍ଷ ନିଯୁକ୍ତି ସହିତ ପଦୋନ୍ନତି ଓ ମନୋନୟନ ଭିତ୍ତିରେ ପଦବୀଗୁଡିକ ପୂରଣ ହେବାକଥା । କିନ୍ତୁ ଏକ ସମୟରେ ଏହା ପ୍ରତିବର୍ଷ କରାଯାଇ ପାରୁନଥିବାରୁ ବିଭିନ୍ନ ସୂତ୍ରରୁ ଓଏଏସ୍ କ୍ୟାଡରକୁ ଆସୁଥିବା ଅଧିକାରୀମାନଙ୍କ ବରିଷ୍ଠତା ତାଲିକା ଘେନି ବିବାଦ ଲାଗି ରହୁଛି । ବିଭାଗୀୟ ସ୍ତରରେ ଏହାର ତ୍ୱରିତ ସମାଧାନ ହୋଇପାରୁନଥିବାରୁ ଆଇନ୍ ଅଦାଲତରେ ମାମଲାମାନ ଗଡୁଛି ।
ହାଇକୋର୍ଟରେ ମାମଲା ବିଚାରାଧିନ ରହିଥିବାରୁ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ସେ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ପକ୍ଷରୁ ବାରମ୍ବାର ଆଡଭୋକେଟ ଜେନେରାଲଙ୍କ ଦପ୍ତରକୁ ପତ୍ର ପରେ ପତ୍ର ପଠାଯାଉଛି । ଏ କ୍ଷେତ୍ରରେ ବିଧି ବିଭାଗ ମଧ୍ୟ ଯେଉଁ ମାର୍ଗଦର୍ଶନ ଦେଉଛନ୍ତି ତାହାର ଠିକଣା ଅନୁପାଳନ ହୋଇପାରୁନାହିଁ । ତେଣୁ ଓଏଏସ୍ କ୍ୟାଡରରେ ପଦୋନ୍ନତି ଅଦାଲତି ବିବାଦରେ ଛନ୍ଦିହୋଇ ବର୍ଷ ବର୍ଷ ଧରି ଗଡୁଛି ।
ପ୍ରାୟ ୧୪ବର୍ଷ ତଳେ ଓଡିଶା ସରକାର ରାଜସ୍ୱ ସେବା ନାମରେ ଏକ ସ୍ୱତନ୍ତ୍ର କ୍ୟାଡର ସୃଷ୍ଟି କରିଥିଲେ । ବିଭିନ୍ନ ଦପ୍ତରରେ ଭିନ୍ନ ଭିନ୍ନ ପାହ୍ୟାରେ ତୃତୀୟଶ୍ରେଣୀ ପଦବୀରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ଓଡିଶା ରାଜସ୍ୱ ସେବାକୁ ଅଣାଯାଇଥାଏ । କିଏ ଆରଆଇ ଭାବରେ କାମ କରୁଥିଲା ତ ଆଉ କିଏ ବରିଷ୍ଠ ସହାୟକ କିମ୍ବା ଦପ୍ତରର ମୁଖ୍ୟ କିରାଣୀ ଆଦି ପଦବୀରେ ଥାଇ ଓଡିଶା ରାଜସ୍ୱ ସେବା (ଓଆରଏସ୍) କୁ ଆସୁଥିଲେ । ଏ କ୍ଷେତ୍ରରେ ବରିଷ୍ଠତା ତାଲିକା ଓଆରଏସ୍ କ୍ୟାଡରରେ ପ୍ରସ୍ତୁତ କରିବା କାଠିକରପାଠ ହୋଇଯାଉଛି ।
ବରିଷ୍ଠ ହୁଅନ୍ତୁ କି କନିଷ୍ଠ ହୁଅନ୍ତୁ ଯେଉଁମାନେ ତଳ ପାହ୍ୟାରେ ଅଧିକ ବେତନ ଓ ଗ୍ରେଡ୍ ପେ ପାଉଥିଲେ ସେମାନଙ୍କୁ ଓଆରଏସ୍ କ୍ୟାଡରରେ ବରିଷ୍ଠ ଦେଖାଇବାପାଇଁ ଆଇନ୍ ରହିଛି । ତେବେ ଏ କ୍ଷେତ୍ରରେ ଗୋଟିଏ ବେତନ କି ଗ୍ରେଡ୍ ପେରେ ଯଦି ଅଧିକ ଅଧିକାରୀ ରହିଥାନ୍ତି ତେବେ ସେ କ୍ଷେତ୍ରରେ ବରିଷ୍ଠତାକୁ ପ୍ରାଧାନ୍ୟ ଦିଆଯିବ ବୋଲି ଆଇନ୍ରେ ବ୍ୟବସ୍ଥା ରହିଛି ।
କିନ୍ତୁ ବିଭିନ୍ନ କାରଣରୁ ଅନେକ ସମୟରେ ଆଇନ୍ଗତ ବ୍ୟବସ୍ଥାକୁ ଏଡାଇ ଭିନ୍ନ ଭାବରେ ବରିଷ୍ଠତା ତାଲିକା ପ୍ରସ୍ତୁତ କରାଯାଉଥିବାରୁ ଏଥିଘେନି ଓଆରଏସ୍ କ୍ୟାଡରରେ ଅସନ୍ତୋଷ ସୃଷ୍ଟି ହେଉଛି । ଫଳରେ ଓଏଏସ୍ ପଦବୀକୁ ପଦୋନ୍ନତି ପାଇବା କ୍ଷେତ୍ରରେ ବଞ୍ଚିତ ହେବେବୋଲି ଆଶଙ୍କା କରି ଅଧିକାରୀମାନେ ଆଇନ୍ ଅଦାଲତଙ୍କ ଦ୍ୱାରସ୍ଥ ହେବାପରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ବୁଦ୍ଧି ହଜିଯାଉଛି ।
ନିକଟରେ ରଣଜିତ୍ କୁମାର ଦାଶ ଓ ଧନଞ୍ଜୟ ସାହୁ ନାମକ ଦୁଇଜଣ ଓଆରଏସ୍ ଅଧିକାରୀ ବରିଷ୍ଠତା ତାଲିକାକୁ ତ୍ରୁଟିପୂର୍ଣ୍ଣ ଦର୍ଶାଇ ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି । ସେମାନଙ୍କର ଯୁକ୍ତି ହେଉଛି ଯେ ଓଆରଏସ୍ରେ ଯୋଗଦେବା ପୂର୍ବରୁ ଯେଉଁମାନେ ତାଙ୍କ ଠାରୁ କମ୍ ବେତନ ପାଉଥିଲେ ସେମାନଙ୍କୁ ତ୍ରୁଟିପୂର୍ଣ୍ଣ ଭାବେ ବରିଷ୍ଠ ଦେଖାଇ ଆଇନ୍ର ଉଲ୍ଲଙ୍ଘନ କରାଯାଉଛି ।
ହାଇକୋର୍ଟର ଅନ୍ୟତମ ବିଚାରପତି ବିରଜା ପ୍ରସନ୍ନ ଶତପଥୀ ଏହି ଦୁଇଟି ମାମଲା ବିଚାରପାଇଁ ଗ୍ରହଣ କରି ଏ ସଂକ୍ରାନ୍ତରେ ଆବଶ୍ୟକ ତଥ୍ୟ ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେବା ସହିତ ଗତ ଜୁନ୍ ମାସରେ ପ୍ରକାଶ ପାଇଥିବା ଓଆରଏସ୍ ବରିଷ୍ଠତା ତାଲିକା ଆଧାରରେ କୌଣସି ପଦକ୍ଷେପ ନନେବାକୁ ଅନ୍ତରୀଣ ଆଦେଶ ଦେଇଛନ୍ତି । ଏହି ମାମଲାଟି ଜାନୁଆରୀ ୨୭ ପରେ ଶୁଣାଣିପାଇଁ ଆସିବ । ଏଥିରେ ଆବେଦନକାରୀ ଓଆରଏସ୍ ଅଧିକାରୀମାନଙ୍କ ପକ୍ଷରୁ ଅନ୍ୟତମ ଆଇନ୍ଜୀବୀ ଅମୀୟ ଛାଟୋଇ ମାମଲା ଲଢୁଛନ୍ତି । (ତଥ୍ୟ)

