Home General ବରପୁତ୍ରଙ୍କ ସ୍ମାରକୀ ନିର୍ମାଣ ବିଳମ୍ବ

ବରପୁତ୍ରଙ୍କ ସ୍ମାରକୀ ନିର୍ମାଣ ବିଳମ୍ବ

ଭୁବନେଶ୍ୱର : ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏବଂ ବିଶିଷ୍ଟ ସାରସ୍ୱତ ସାଧକ ପ୍ରଫେସର ମନ୍ମଥନାଥ ଦାସ ଓ ମନୋଜ ଦାସଙ୍କ ଜନ୍ମପୀଠକୁ ଯେଭଳି ରାଜ୍ୟ ସରକାର ଐତିହସ୍ଥଳୀ ଭାବେ ବିକଶିତ କରିଛନ୍ତି ସେହିପରି ଉତ୍କଳ ଗୌରବ ମଧୁସୂଦନ ଦାସ, ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ଓ ନବକୃଷ୍ଣ ଚୌଧୁରୀ ଏବଂ ମା’ରମାଦେବୀଙ୍କ ନିବାସ ସ୍ଥଳକୁ ରାଜ୍ୟ ମାନ୍ୟତା ଦେଇ ଏଠାରେ ସୁଦୃଶ ସଂଗ୍ରହାଳୟ ସ୍ଥାପନ ଲାଗି ବିଭିନ୍ନ ମହଲରୁ ଦାବି ହେଉଛି । ଏମାନଙ୍କ ଛଡ଼ା ଆଉ ଯେଉଁ ବରପୁତ୍ର ଓ ପୁତ୍ରୀମାନଙ୍କ ରାଜ୍ୟପାଇଁ ପ୍ରମୁଖ ଅବଦାନ ରହିଛି ଏବଂ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସହ ସ୍ୱାଧୀନତା ସଂଗ୍ରାମରେ ରାଜ୍ୟର ଯେଉଁ ଶକ୍ତିକେନ୍ଦ୍ରମାନ ରହିଥିଲା ସେଗୁଡ଼ିକୁ ମଧ୍ୟ ସୁରକ୍ଷିତ ରଖିବା ଲାଗି ମତ ପ୍ରକାଶ ପାଉଛି ।

କଟକର ଓଡ଼ିଆ ବଜାରରେ ଥିବା ନେତାଜୀ ସୁଭାଷ ଚନ୍ଦ୍ରଙ୍କ ପୈତୃକ ଗୃହ ଜାନକୀନାଥ ଭବନକୁ ରାଜ୍ୟ ସରକାର ହାତକୁ ନେଇ ଏହାକୁ ଏକ ପ୍ରେରଣାଦାୟୀ ଦର୍ଶନୀୟ ସ୍ଥାନ ଭାବେ ଗଢ଼ି ତୋଳିଛନ୍ତି । ସେହିପରି ସୁଆଣ୍ଡୋରେ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠର ମଧ୍ୟ ଆକର୍ଷଣୀୟ ବିକାଶ କରାଯାଇଛି । ବିଜୁ ପଟ୍ଟନାୟକଙ୍କ କଟକସ୍ଥିତ ପୈତୃକ ବାସଗୃହ ଆନନ୍ଦ ଭବନକୁ ରାଜ୍ୟ ସରକାର ନିଜ ଅକ୍ତିଆରକୁ ନେଇ ସେଠାରେ ସୁଦୃଶ ସ୍ମାରକୀ ନିର୍ମାଣ କରିଛନ୍ତି । ବାଲେଶ୍ୱର ଜିଲ୍ଲାରେ ଥିବା ପ୍ରଫେସର ମନ୍ମଥନାଥ ଦାସ ଓ ମନୋଜ ଦାସଙ୍କ ପୈତୃକ ଗୃହକୁ ମଧ୍ୟ ସରକାର ନିଜ ଅକ୍ତିଆରକୁ ଆଣି ତାହାକୁ ସ୍ମାରକୀସ୍ଥଳ ଭାବେ ପ୍ରତିଷ୍ଠିତ କରାଇଛନ୍ତି ।

କିନ୍ତୁ ଏଯାବତ୍‍ ଓଡ଼ିଶା ପ୍ରଦେଶ ଗଠନର ଆଦ୍ୟ ବିନ୍ଧାଣୀ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠ ସତ୍ୟଭାମାପୁରକୁ ଯେଭଳି ବିକାଶ କରାଯିବା କଥା ତାହା ହୋଇପାରି ନାହିଁ । ଅବଶ୍ୟ ମଧୁବାବୁଙ୍କ ପାଳିତା କନ୍ୟା ଶୈଳବାଳା କଟକରେ ଥିବା ମଧୁକୋଠିକୁ ସରକାରଙ୍କ ହାତରେ ଟେକିଦେବା ପରେ ସେହି ପରିସରରେ ଶୈଳବାଳା ସ୍ୱୟଂ ଶାସିତ ମହିଳା କଲେଜ୍‍ ଛିଡ଼ା ହୋଇଛି ଏବଂ ସେଠାରେ ମଧୁବାବୁଙ୍କ ବାସଗୃହ ସଂରକ୍ଷିତ ହୋଇ ରହିବା ସହିତ ଏକ ସଂଗ୍ରହାଳୟ ମଧ୍ୟ କାମ କରୁଛି ।

ସତ୍ୟଭାମାପୁରରେ ମଧୁବାବୁଙ୍କ ଜନ୍ମପୀଠକୁ ଐତିହସ୍ଥଳୀ ଭାବେ ଗଢ଼ି ତୋଳିବା ଲାଗି ବିଭିନ୍ନ ମହଲରୁ ଚାପ ପ୍ରୟୋଗ ହେବା ପରେ ଗତ ସରକାର ସମୟରେ ଏଠାରେ ସ୍ମାରକୀ ନିର୍ମାଣ ଲାଗି ଘୋଷଣା କରାଯାଇଥିଲା । ତେବେ ଏହି ପ୍ରକଳ୍ପ ଘେନି ବିବାଦ ଲାଗି ରହିବା ପରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆଗେଇ ପାରୁନାହିଁ । କେବଳ ସେତିକି ନୁହେଁ, ଗତ ଫେବୃଆରୀ ମାସରେ ଉତ୍କଳ ଗୌରବଙ୍କ ଓ ଲୋକମାତା କସ୍ତୂରବାଙ୍କ ପୂଣ୍ୟତିଥି ମଧ୍ୟ ଏଠାରେ ଠିକଣା ଭାବେ ପାଳିତ ହୋଇନାହିଁ । ରାଜନୈତିକ ପ୍ରସଂଗରୁ ଊର୍ଦ୍ଧ୍ୱରେ ରହି ଏହି ପ୍ରକଳ୍ପ କାମ ଯେଭଳି ସୀମିତ ସମୟ ମଧ୍ୟରେ ଶେଷ ହେବ ସେ ଦିଗରେ ସରକାର ଦୃଷ୍ଟି ଦେବାକୁ ବହୁୂ ସଂଗଠନ ଓ ବ୍ୟକ୍ତି ବିଶେଷ ଦାବି କରୁଛନ୍ତି ।

ଓଡ଼ିଶା ତଥା ଦେଶ ରାଜନୀତିର ସମର୍ପିତ ସଂଗ୍ରାମୀ ନେତା ନବକୃଷ୍ଣ ଚୌଧୁରୀ ଓ ମାଳତୀ ଚୌଧୁରୀଙ୍କ ଅନୁଗୁଳସ୍ଥିତ ନଡ଼ା ଛପର ବାସଗୃହକୁ ଜାତୀୟ ସ୍ମାରକୀ ଭାବେ ଗଢ଼ି ତୋଳିବା ପାଇଁ ବାରମ୍ବାର ଦାବି ହୋଇଆସୁଛି । ସଂସ୍କୃତି ବିଭାଗର ସଚିବ, ନିର୍ଦ୍ଦେଶକ ଆଦି ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ଏମିତିକି ସ୍ଥପତିମାନଙ୍କ ଦ୍ୱାରା ଏହି ପ୍ରକଳ୍ପର ନକ୍ସା ପ୍ରସ୍ତୁତ କରାଯାଇଥିଲା ଏବଂ ଜିଲ୍ଲା ପ୍ରଶାସନ ଓ ଚୌଧୁରୀ ଦମ୍ପତିଙ୍କ ସୁପୁତ୍ରୀ କ୍ରିଷ୍ଣା ମହାନ୍ତିଙ୍କ ସହିତ ବାରମ୍ବାର ସରକାରୀ କର୍ତ୍ତୃପକ୍ଷ ଆଲୋଚନା କରିଥିଲେ ବି ଏହି ପ୍ରକଳ୍ପ କାମ ଏଯାବତ୍‍ ଆରମ୍ଭ ହୋଇନାହିଁ । ସତ୍ୟଭାମାପୁର ଓ ଅନୁଗୁଳ ପ୍ରକଳ୍ପ ପାଇଁ ଜମିଜମା ସମସ୍ୟା ଲାଗିରହିଥିବାରୁ ଏହି ଦୁଇ ପ୍ରକଳ୍ପ କାମ ଆଗେଇ ପାରୁନଥିବା ବିଭାଗୀୟ ଅଧିକାରୀମାନେ କହୁଛନ୍ତି । ଏହାଛଡ଼ା ଆଗରପଡ଼ାରେ ହରେକୃଷ୍ଣ ମହତାବଙ୍କ ଜନ୍ମପୀଠ ଓ କଟକ ବାଖରାବାଦ୍‍ର ମା’ରମାଦେବୀ ଏବଂ ଗୋପବନ୍ଧୁ ଚୌଧୁରୀଙ୍କ ସାଧନାପୀଠ ଚୌଧୁରୀ ନିବାସରେ ମଧ୍ୟ ଜାତୀୟ ସ୍ମାରକୀ ନିର୍ମାଣଲାଗି ମତ ପ୍ରକାଶ ପାଉଛି । (ତଥ୍ୟ)