ଭୁବନେଶ୍ୱର : ଯୋଗଦା ସତ୍ସଙ୍ଗ ସୋସାଇଟି ତରଫରୁ ପୁରୀ ଜିଲ୍ଲା ଅନ୍ତର୍ଗତ ଗୋପ୍ ଓ ନିମାପଡା ବ୍ଲକ୍ର ବନ୍ୟା ପ୍ରଭାବିତ ପରିବାରମାନଙ୍କୁ ବନ୍ୟା ସହାୟତାଭାବେ ସୌର ଲଣ୍ଠନ (ସୋଲାର ଲାଇଟ୍) ବଣ୍ଟନ କରାଯାଇଛି । ୧୯୧୭ ମସିହାରେ ପ୍ରତିଷ୍ଠିତ ଏବଂ ଶ୍ରୀ ଶ୍ରୀ ପରମହଂସ ଯୋଗଦାନନ୍ଦଙ୍କ ପ୍ରଦର୍ଶିତ ମାର୍ଗରେ ପରିଚାଳିତ ଏହି ସୋସାଇଟିର ସଦସ୍ୟ ଓ ଭକ୍ତ ବୃନ୍ଦମାନେ ପୁରୀ ଜିଲ୍ଲାର ୭ ଟି ବନ୍ୟା ପ୍ରଭାବିତ ଗ୍ରାମରେ ଏହା ବଣ୍ଟନ କରିଥିଲେ । ଗାପ ବ୍ଲକ୍ର ଭିତରଡାଳିଗାଁ, ଆଳେଇ, ରାହାଙ୍ଗ୍ଗୋରଡା, ଓଲଣ୍ଡି, ଗବସିଂଘା, ଖଣ୍ଡିଆକୁଦ ଏବଂ ନିମାପଡା ବ୍ଲକ୍ର ତିହୁଲା ଗ୍ରାମର ପ୍ରାୟ ୬୫୦ ପରିବାରଙ୍କୁ ଏହି ଲାଇଟ୍ ବଣ୍ଟନ କରାଯାଇଥିଲା ।
ପ୍ରାପ୍ତ ସୂଚନାରୁ ଜଣାପଡିଛି, ସୋସାଇଟିର ଭକ୍ତବୃନ୍ଦ ରିଲିଫ୍ ବଣ୍ଟନ ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କର ପରାମର୍ଶ ଲୋଡିଥିଲେ । ଶ୍ରୀ ମହାପାତ୍ର କହିଥିଲେ ଯେ ବନ୍ୟାର ଜରୁରୀକାଳୀନ ସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସରକାରଙ୍କ ତରଫରୁ ଆଶ୍ରୟ, ଶୁଖିଲା ଓ ରନ୍ଧା ଖାଦ୍ୟ, ଓୌଷଧପତ୍ର, ଗୋଖାଦ୍ୟ ଆଦି ଯୋଗାଇ ଦିଆଯାଇଛି ।
ବର୍ତ୍ତମାନ ବନ୍ୟା-ପରବର୍ତ୍ତୀ ସ୍ଥିତିରେ ଶସ୍ୟହାନୀ, ଘର ମରାମତି ଆଦି ସହାୟତା ଦିଆଯାଉଥିବାରୁ ପ୍ରଭାବିତ ପରିବାରମାନଙ୍କୁ ସୌର ଲଣ୍ଠନ (ସୋଲାର ଲାଇଟ୍) ସହ ଚାର୍ଜର ବଣ୍ଟନ କରିବାକୁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ । “ସୌର ଲଣ୍ଠନ ପରିବାରର ଏକ ସଂପତ୍ତି ହେବ । ମାଗଣାରେ ପରିବେଶ ଅନୁକୂଳ ଆଲୋକଦେବା ସହ ସୌର ଶକ୍ତି ବ୍ୟବହାର ବିଷୟରେ ଅନୁଭୁତିସିଦ୍ଧ ସଚେତନତା ବଢ଼ାଇବ ବୋଲି” ଶ୍ରୀ ମହାପାତ୍ର କହିଥିଲେ । ତଦନୁଯାୟୀ ସୋସାଇଟିର ଭକ୍ତମାନଙ୍କ ଦ୍ୱାରା ଉପରୋକ୍ତ ଗ୍ରାମମାନଙ୍କରେ ବନ୍ୟା ପ୍ରଭାବିତ ଗରିବ ପରିବାରମାନଙ୍କୁ ସୌର ଲଣ୍ଠନ ବଣ୍ଟନ କରାଯାଇଥିଲା ।