ଭୁବନେଶ୍ୱର : ଚଳିତ ବର୍ଷର ବନ୍ୟାରେ ରାଜ୍ୟର ୧୦ଟି ଜିଲ୍ଲାର ମୋଟ୍ ୯୧ଟି ବ୍ଲକ୍, ୬୦୪ଟି ଗ୍ରାମପଞ୍ଚାୟତ, ୧୮୯୫ଟି ଗ୍ରାମ ଏବଂ ୧୩,୫୦,୩୦୬ ଜଣ ଲୋକ ସାମଗ୍ରିକ ଭାବେ ପ୍ରଭାବିତ ହୋଇଛନ୍ତି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାରେ ନଦୀର ଜଳସ୍ତର ବୃଦ୍ଧି ଯୋଗୁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା, ଘାଇ ସୃଷ୍ଟି ଏବଂ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ବର୍ତ୍ତମାନ ସାମଗ୍ରିକ ସ୍ଥିତି ସ୍ଥିର ରହିଥିଲେ ବି କେନ୍ଦ୍ରାପଡ଼ା, ଭଦ୍ରକ ଓ ଯାଜପୁର ଜିଲ୍ଲା ଉପରେ କଡ଼ା ନଜର ରଖିଛନ୍ତି ସରକାର।
କ୍ରମାଗତ ଲଘୁଚାପ ଓ ବର୍ଷା ପାଇଁ ଅଗଷ୍ଟ ୧ ରୁ ୨୬ ତାରିଖ ମଧ୍ୟରେ ରାଜ୍ୟରେ ମୋଟ ୩୪୭.୭ ମିଲିମିଟର ବର୍ଷା ହୋଇଛି, ଯାହାକି ସ୍ୱାଭାବିକ ଠାରୁ ୧୬.୪% ଅଧିକ। ସେହିପରି ଚଳିତ ମୌସୁମୀ ଋତୁ ଅର୍ଥାତ ୧ ଜୁନ ୨୦୨୬ ରୁ ୨୬ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୧୧୦୩.୯ ମିଲିମିଟର ବର୍ଷା ରେକର୍ଡ ହୋଇଛି, ଯାହା ସ୍ୱାଭାବିକ ଠାରୁ ୩୦.୯% ଅଧିକ।
ମୌସୁମୀ ସମୟରେ ରାଜ୍ୟର ୨୧ଟି ଜିଲ୍ଲା – ବରଗଡ଼, କେନ୍ଦୁଝର, ସୁବର୍ଣ୍ଣପୁର, ବୌଦ୍ଧ, ଦେବଗଡ଼, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ବାଲେଶ୍ୱର, କଟକ, ସମ୍ବଲପୁର, ଢେଙ୍କାନାଳ, ଭଦ୍ରକ, ଅନୁଗୋଳ, ବଲାଙ୍ଗୀର, ଖୋର୍ଦ୍ଧା, ନୟାଗଡ଼, ସୁନ୍ଦରଗଡ଼, ନୂଆପଡ଼ା, ଜଗତସିଂହପୁର, ଯାଜପୁର, ଏବଂ ପୁରୀରେ ସ୍ୱାଭାବିକଠାରୁ ୧୯ %ରୁ ଅଧିକ ବର୍ଷା ହୋଇଛି। ଅବଶିଷ୍ଟ ୯ଟି ଜିଲ୍ଲା – ଝାରସୁଗୁଡ଼ା, କନ୍ଧମାଳ, ରାୟଗଡ଼ା, କୋରାପୁଟ, ଗଞ୍ଜାମ, ମାଲକାନଗିରି, କଳାହାଣ୍ଡି, ନବରଙ୍ଗପୁର, ଏବଂ ଗଜପତିରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଛି।
ବର୍ତ୍ତମାନର ରିପୋର୍ଟ୍ ଅନୁଯାୟୀ ୩ଟି ଜିଲ୍ଲା ଯଥା କେନ୍ଦ୍ରାପଡ଼ାର ୫ଟି ବ୍ଲକ୍ , ଭଦ୍ରକର ୨ଟି ବ୍ଲକ୍ ଏବଂ ଯାଜପୁରର ୨ଟି ବ୍ଲକ୍ ବନ୍ୟା ଦ୍ଵାରା ପ୍ରଭାବିତ ଥିବା ବେଳେ ୬୮ଟି ଗ୍ରାମପଞ୍ଚାୟତର ୧୮୯ଟି ଗ୍ରାମର ୮୦୨୮୪ ଲୋକ ପ୍ରଭାବିତ ଅଛନ୍ତି l ବର୍ତ୍ତମାନ ୮୭ଟି ଫ୍ରି କିଚେନ୍ ମାଧ୍ୟମରେ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି l ୧,୦୨,୪୮୧.୫ ହେକ୍ଟର ଚାଷଜମି ପ୍ରଭାବିତ ହୋଇଛି l ରିପୋର୍ଟ୍ ଅନୁଯାୟୀ ୨୧ଟି ଓଡ୍ରାଫ, ଗୋଟିଏ ଏନଡିଆରଏଫ, ୩୩ଟି ଅଗ୍ନିଶମ ଓ ଜରୁରୀକାଳୀନ ସେବା ଏବଂ ୨ଟି ପୋଲିସ/ସିଭିଲ ଡିଫେନ୍ସ/ସ୍ଥାନୀୟ ଟିମକୁ ମିଶାଇ ସମୁଦାୟ ୫୭ଟି ଟିମ୍ ନିୟୋଜିତ ଅଛନ୍ତି l
କେନ୍ଦ୍ରାପଡ଼ା ଜିଲ୍ଲାର ୫ଟି ବ୍ଲକ୍, ୩୦ଟି ଗ୍ରାମ ପଞ୍ଚାୟତର ୫୫ଟି ଗ୍ରାମ ଏବଂ ୪,୭୧୦ ଜଣ ଲୋକ ପ୍ରଭାବିତ ଥିବା ବେଳେ ଭଦ୍ରକ ଜିଲ୍ଲାର ୨ଟି ବ୍ଲକ୍, ୧୮ଟି ଗ୍ରାମ ପଞ୍ଚାୟତ, ୭୦ଟି ଗ୍ରାମ ଏବଂ ୨୫,୪୩୨ ଜଣ ଲୋକ ପ୍ରଭାବିତ ଅଛନ୍ତି l ଯାଜପୁର ଜିଲ୍ଲାର ୨ଟି ବ୍ଲକ୍, ୨୦ଟି ଗ୍ରାମ ପଞ୍ଚାୟତ, ୬୪ଟି ଗ୍ରାମ ଏବଂ ୫୦,୧୪୨ ଜଣ ଲୋକ ପ୍ରଭାବିତ ଅଛନ୍ତି l ସମୁଦାୟ ୪୧,୭୬୧ ଜଣ ଉଦ୍ଧାର ହୋଇଥିବା ବେଳେ ୭୬,୦୫୧ ଜଣଙ୍କୁ ଡଙ୍ଗା ଦ୍ୱାରା ସ୍ଥାନାନ୍ତରଣ କରାଯାଇଛି l ୭୭୫ଟି ବିଚ୍ଛିନ୍ନ ଗ୍ରାମକୁ ଯୋଗାଯୋଗ ସଂଯୋଗ କରାଯାଇଥିବା ବେଳେ ୨୧୫ ଜଣଙ୍କୁ ଜରୁରିକାଳୀନ ଚିକିତ୍ସା ନିମନ୍ତେ ସ୍ଥାନାନ୍ତରଣ କରାଯାଇଛି l ଉଦ୍ଧାର କାର୍ଯ୍ୟରେ ସମୁଦାୟ ୨୧୦ଟି ଡଙ୍ଗା ମୁତୟନ କରାଯାଇଛି l
ବନ୍ୟା ପ୍ରଭାବିତ ଅଂଚଳରେ ୮୬୧୧ଟି ଟ୍ୟୁବୱେଲ୍ ଓ ୨୪୫ଟି ପିଡବ୍ଲୁଏସ ପ୍ରକଳ୍ପ ପ୍ରଭାବିତ ହୋଇଥିବା ବେଳେ ୫୮୧୬ଟି ଟ୍ୟୁବୱେଲ୍ ଓ ୧୪୪ଟି ପିଡବ୍ଲୁଏସ ବିଶୋଧିତ/ପୁନରୁଦ୍ଧାର କରାଯାଇଛି। ୭୬ଟି ୱାଟର ଟ୍ୟାଙ୍କର, ୧୦,୨୮,୨୬୪ଟି ପାଣି ବୋତଲ/ପାଉଚ୍ ବଣ୍ଟାଯାଇଛି ଏବଂ ୬ଟି ମୋବାଇଲ୍ ୱାଟର ଟ୍ରିଟମେଣ୍ଟ ୟୁନିଟ୍ ନିୟୋଜିତ ଅଛନ୍ତି। ୮୮ଟି ରାସ୍ତା ତଥା ପୋଲ ପ୍ରଭାବିତ ହୋଇଥିବା ବେଳେ ୨୬ଟି ଅଞ୍ଚଳରେ ଜଳବନ୍ଦୀଜନିତ ଦୂଷିତ ଜଳ ନିଷ୍କାସନ ଓ ବିଶୋଧନ ଜାରି ରହିଛି। କୌଣସି ଟେଲିକମ୍ ଟାୱାର ପ୍ରଭାବିତ ହୋଇନାହିଁ।
ବନ୍ୟାରେ ପ୍ରାୟ ୧,୦୨,୪୮୧.୫ ହେକ୍ଟର ଜମିର ଧାନ ଫସଲ ପ୍ରଭାବିତ ହୋଇଥିବା ବେଳେ ୫,୬୦,୩୫୬ ପଶୁ ସମ୍ପଦ ଓ ୫୬,୯୮୩ କୁକୁଡ଼ା ପ୍ରଭାବିତ ହୋଇଛନ୍ତି l ୯୮ଟି ପ୍ରାଣୀଚିକିତ୍ସା ଟିମ୍, ୨୪୨ଟି କ୍ୟାମ୍ପ ମାଧ୍ୟମରେ ୨୫,୨୩୦ ପଶୁଙ୍କୁ ଚିକିତ୍ସା ଏବଂ ଟୀକାକରଣ କରାଯାଇଛି ଏବଂ ୧୫୮୭.୫୬ ମେଟ୍ରିକ୍ ଟନ୍ ଗୋଖାଦ୍ୟ ଯୋଗାଇ ଦିଆଯାଇଛି। ମୋଟ ୪୧ଟି ପଶୁ ମୃତ୍ୟୁ ରିପୋର୍ଟ ହୋଇଛି।
ସ୍ପେଶାଲ୍ ରିଲିଫ୍ କମିଶନର ରାଜେଶ ପ୍ରଭାକର ପାଟିଲ କହିଛନ୍ତି ଯେ, ରାଜ୍ୟରେ ଉଦ୍ଧାର ବାହିନୀ, ଖାଦ୍ୟ, ବିଶୁଦ୍ଧ ପିଇବା ପାଣି, ଔଷଧ କିମ୍ବା ରିଲିଫ୍ ସାମଗ୍ରୀର କୌଣସି ଅଭାବ ନାହିଁ ଏବଂ ଆବଶ୍ୟକତା ଅନୁଯାୟୀ ଅଧିକ ସମ୍ବଳ ଯୋଗାଇ ଦେବାକୁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି l ଲୋକମାନେ ବିଭିନ୍ନ ସୁରକ୍ଷା ନିର୍ଦ୍ଦେଶାବଳୀର ଅନୁପାଳନ କରି ନିଜର ଧନଜୀବନ ସହ ସୁରକ୍ଷିତ ରହିବାକୁ ସେ ଅପିଲ କରିଛନ୍ତି।

