Home Administration ବନ୍ଦ ହେଲା ଜାତୀୟ ଜନସଂଖ୍ୟା ଆୟୋଗ

ବନ୍ଦ ହେଲା ଜାତୀୟ ଜନସଂଖ୍ୟା ଆୟୋଗ

ଭୁବନେଶ୍ୱର : ଜାତୀୟ ଜନସଂଖ୍ୟା ଆୟୋଗ (ଏନ୍‍ସିପି)କୁ ବନ୍ଦ କରିବାଲାଗି କେନ୍ଦ୍ର ସରକାର ନିର୍ଦ୍ଦେଶ ଜାରି କରିଛନ୍ତି । ବର୍ତ୍ତମାନ ‘ସର୍ବନିମ୍ନ ସରକାର ସର୍ବାଧିକ ଶାସନ’ ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଥିବାରୁ ଏହାକୁ ବନ୍ଦ କରାଯାଉଛି ।

ଜନସଂଖ୍ୟାରେ ସ୍ଥିରତା ଆଣିବାପାଇଁ ଏନ୍‍ସିପିର ଯେଉଁ ଭୂମିକା ଏବଂ ଦାୟିତ୍ୱ ରହିଥିଲା ତାହା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଉପରେ ନ୍ୟସ୍ତ କରାଯାଇଛି । ଆନ୍ତଃ ବିଭାଗୀୟ ସମନ୍ୱୟ ଦାୟିତ୍ୱ ନୀତି ଆୟୋଗଙ୍କୁ ପ୍ରଦାନ କରାଯାଇଛି । ତେଣୁ ଏହି ଦୁଇ ଦାୟିତ୍ୱ ସ୍ୱାସ୍ଥ ମନ୍ତ୍ରାଳୟ ଓ ନୀତି ଆୟୋଗ ଏବେ ବୁଝିବେ । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ପୂର୍ବରୁ କେନ୍ଦ୍ର କ୍ୟାବିନେଟ୍‍ ଏନ୍‍ସିପିକୁ ବନ୍ଦପାଇଁ ଆସିଥିବା ପ୍ରସ୍ତାବକୁ ଅନୁମୋଦନ କରିସାରିଛନ୍ତି ।

୨୦୦୦ ମଇ ୧୧ରେ ଏନ୍‍ସିପି ପ୍ରତିଷ୍ଠା ହୋଇଥିଲା । ପ୍ରଧାନମନ୍ତ୍ରୀ ଏହାର ଅଧ୍ୟକ୍ଷ ଥିବାବେଳେ ଯୋଜନା କମିଶନ ଉପାଧ୍ୟକ୍ଷ ଥିଲେ ଏବଂ ପରବର୍ତ୍ତୀ ସମୟରେ ନୀତି ଆୟୋଗ ଗଠନ ହେବାପରେ ଏହାର ଉପାଧ୍ୟକ୍ଷ ଏନ୍‍ସିପିର ଉପାଧ୍ୟକ୍ଷ ହୋଇଥିଲେ ।

ଏନ୍‍ସିପି ଜାତୀୟ ଜନସଂଖ୍ୟା ନୀତି (ଏନ୍‍ପିପି) ୨୦୦୦ର ଲକ୍ଷ୍ୟଗୁଡିକୁ ପୂରଣ କରିବାପାଇଁ ପଦକ୍ଷେପ ନେବା ସଂଗେ ସଂଗେ ଏହାର କାର୍ଯ୍ୟକାରିତାର ସମୀକ୍ଷା ଏବଂ ଆବଶ୍ୟକ ଅନୁଧ୍ୟାନ କରୁଥିଲେ । ଜନସଂଖ୍ୟା ନୀତିରେ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବା ଲକ୍ଷ୍ୟରେ ଜାତୀୟ ଜନସଂଖ୍ୟା ନୀତିର କାର୍ଯ୍ୟକାରିତା ପାଇଁ ଏନସିପି ନିର୍ଦ୍ଦେଶ ଦେଉଥିଲା । ଏହା ସ୍ୱାସ୍ଥ୍ୟ, ଶିକ୍ଷାଗତ ପରିବେଶ ଏବଂ ବିକାଶମୂଳକ କାର୍ଯ୍ୟକ୍ରମ ମଧ୍ୟରେ ସମନ୍ୱୟକୁ ପ୍ରୋତ୍ସାହିତ କରୁଥିଲା ଯାହାଦ୍ୱାରା ଜନସଂଖ୍ୟା ସ୍ଥିରତା ବଳବତ୍ତର ହୋଇପାରୁଥିଲା ।

କେନ୍ଦ୍ର ତଥା ରାଜ୍ୟଗୁଡିକର ବିଭିନ୍ନ କ୍ଷେତ୍ର ଏବଂ ସଂସ୍ଥା ମାଧ୍ୟମରେ କାର୍ଯ୍ୟକ୍ରମଗୁଡିକର ଯୋଜନା ତଥା କାର୍ଯ୍ୟାନ୍ୱୟନରେ ଆନ୍ତଃ ବିଭାଗୀୟ ସମନ୍ୱୟକୁ ପ୍ରୋତ୍ସାହିତ କରିବା ଏନ୍‍ସିପିର ଆଉ ଏକ ଦାୟିତ୍ୱ ଥିଲା । ଏହି ଜାତୀୟ ପ୍ରୟାସକୁ କାର୍ଯ୍ୟକାରୀ କରିବା ପାଇଁ ଏନସିପି ଲୋକାଭିମୁଖୀ କାର୍ଯ୍ୟକ୍ରମ ପ୍ରସ୍ତୁତ କରୁଥିଲେ । ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ, ସମ୍ପୃକ୍ତ କେନ୍ଦ୍ରୀୟ ମନ୍ତ୍ରଣାଳୟର ମନ୍ତ୍ରୀ, ସଂପୃକ୍ତ ବିଭାଗର ସଚିବ, ବିଶିଷ୍ଟ ଚିକିତ୍ସକ, ଜନସଂଖ୍ୟାବିତ୍‍ ଏବଂ ନାଗରିକ ସମାଜର ପ୍ରତିନିଧିମାନେ ଆୟୋଗର ସଦସ୍ୟ ଥିଲେ । ଏନ୍‍ସିପି ଗଢାହେବା ସମୟରେ ଏଥିରେ ୧୩୦ଜଣ ସଦସ୍ୟ ଥିଲେ । ଏହାପରେ ଏପ୍ରିଲ୍‍ ୨୦୦୫ରେ ପୁର୍ନଗଠନ ଏହାର ସଦସ୍ୟ ସଂଖ୍ୟା ୪୧କୁ ହ୍ରାସ କରାଯାଇଥିଲା ।

ତେବେ ଏନ୍‍ଡିଏ ସରକାର ଆସିବାପରେ ସର୍ବନିମ୍ନ ସରକାର ଓ ସର୍ବାଧିକ ଶାସନ ନୀତି ପ୍ରଣୟନ କରି ଯୋଜନା କମିଶନକୁ ଯେଭଳି ବନ୍ଦକରି ତାହା ପରିବର୍ତ୍ତେ ନୀତି ଆୟୋଗ ପ୍ରତିଷ୍ଠା କଲେ ସେହି ନୀତିରେ ଜାତୀୟ ଜନସଂଖ୍ୟା ଆୟୋଗକୁ ବନ୍ଦକରି ଏହାର ଦାୟିତ୍ୱ ସୂଚାରୁ ଭାବେ ତୁଲାଇବାପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ହାତରେ ନ୍ୟସ୍ତ କରାଯାଇଛି । ନୀତି ଆୟୋଗ ଯେଭଳି ଆନ୍ତଃ ବିଭାଗୀୟ ଓ ଆନ୍ତଃ ରାଜ୍ୟ ସମନ୍ୱୟ ରକ୍ଷା କରୁଛନ୍ତି ସେହି ଢାଞ୍ଚାରେ ବନ୍ଦ କରାଯାଇଥିବା ଏନ୍‍ସିପିର ଦାୟିତ୍ୱ ମଧ୍ୟ ନୀତି ଆୟୋଗକୁ ହସ୍ତାନ୍ତର କରାଯାଇଛି । (ତଥ୍ୟ)